ସୁନ୍ଦରଗଡ଼: ଇବ ସେତୁ ନିକଟରେ କୋଇଲା ଗାଡି ଧକ୍କାରେ ନାବାଳକ ମୃତ

ସୁନ୍ଦରଗଡ଼: ବୁଧବାର ସକାଳୁ ସୁନ୍ଦରଗଡ଼ କଲେଜ ଇବ ସେତୁ ନିକଟରେ ଏକ କୋଇଲା ବୋଝେଇ ଗାଡ଼ି ଧକ୍କାରେ ଜଣେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ସୁନ୍ଦରଗଡ଼ ସହର ମହନ୍ତିଆପଡାର ମହେଶ କଣ୍ଟା (୧୫)। ମହେଶ ଅନ୍ୟ ଜଣେ ସାଥୀଙ୍କ ସହ ସଦରଥାନା ଛକ ଫାଷ୍ଟଫୁଡ୍ ଦୋକାନରୁ ଏକ ବାଇକ ଯୋଗେ ସହରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା। ମହେଶ ଓ ତାଙ୍କ ସାଥୀ ବାଇକରୁ ଛିଟକି ପଡିଥିଲେ। ମହେଶ ରାସ୍ତକଡ଼ ମାଇଲ ଖୁଣ୍ଟରେ ପିଟି ହୋଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ଦୁର୍ଘଟଣା ପରେ ମୃତକଙ୍କ ପଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଇବ ସେତୁ ପାଖରେ ରାସ୍ତାରୋକ କରିଥିଲେ। ଫଳରେ ସୁନ୍ଦରଗଡ଼- ହେମଗିର ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ କୋଇଲା ବୋଝେଇ ଓ ଖାଲି ଭାରୀଯାନ ଅଟକି ରହିଥିଲା।

ପରେ ପୂର୍ବ ପୌରାଧ୍ଯକ୍ଷ ବେଣୁଧର ତାଣ୍ଡିଆ, ସଦରଥାନା ଅଧିକାରୀ ରମେଶଚନ୍ଦ୍ର ମାହାନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବି କ୍ଷତିପୂରଣ ଦାବିରେ ଲୋକେ ହଟି ନଥିଲେ। ପରେ ଜିଲ୍ଲା ରେଡକ୍ରସରୁ ୨୦ ହଜାର ଓ ସୁନ୍ଦରଗଡ଼ ଟ୍ରକ ଆସୋସିଏସନ ପକ୍ଷରୁ ୨୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ଦେବା ସହ ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରେ ରାସ୍ତାରୋକ ହଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁନ୍ଦରଗଡ଼ ଟ୍ରକ ଆସୋସିଏସନର ସଭାପତି ରିତେଶ ପଟେଲଙ୍କ ନିର୍ଦ୍ଦେଶରେ ସମ୍ପାଦକ ରମଣୀରଞ୍ଜନ ଯୋଶୀ ଓ ସଂଘର ଅନ୍ୟ ସଦସ୍ୟମାନେ ପହଞ୍ଚି ମୃତକଙ୍କ ମାଆଙ୍କୁ ସହାୟତା ଦେଇଥିଲେ।
ଅତି ଗରିବ ପରିବାରର ବାପ ଛେଉଣ୍ଡ ମହେଶ ବିଧବା ମା ଶାନ୍ତି କଣ୍ଟା ସହ ରହୁଥିଲେ। କୁଲି ମଜୁରି କରି ମା ପୁଅ ଚଳୁଥିଲେ। ମହେଶ ସଦରଥାନା ପାଖ ଫାଷ୍ଟଫୁଡରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ମାଙ୍କ କୋଳ ଶୂନ୍ୟ ହୋଇଯାଇଛି।

ସମ୍ବନ୍ଧିତ ଖବର