ସୁନ୍ଦରଗଡ଼: ବାଜୁଥିଲା ଢୋଲ, ନିଶାଣ, ତାଳେତାଳେ ନାଚୁଥିଲେ ଆଦିବାସୀ ନୃତ୍ୟ ଦଳ। ଠିକ୍ ଏହି ସମୟରେ ମଞ୍ଚ ଉପରକୁ ଉଠି ନୃତ୍ୟଦଳ ସହ ପାଦରେ ପାଦ ମିଶାଇ
ନାଚିଲେ ବିଧାୟିକା କୁସୁମ ଟେଟେ। ଏପରିକି ନୃତ୍ୟର ଏକ ଦୃଶ୍ୟରେ ଝିଅମାନଙ୍କ ସହ ସେ ପୁଚି ବି ଖେଳିଥିଲେ। ଅବସର ଥିଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ ନୂଆଁଖାଇ ଭେଟଘାଟ୍।
ଗତକାଲି ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ ଟେଟେ। ଆଉ ଢୋଲ, ନିଶାନ ବାଜିବା ପରେ ଆଦିବାସୀ ମହିଳା ହୋଇଥିବାରୁ ଥୟ ଧରି ରହି ନପାରି ଉଠି ଯାଇଥିଲେ ମଞ୍ଚକୁ। କେବଳ ଏକା କୁସୁମ ନୁହନ୍ତି, ଉତ୍ସବର ଅତିଥି ଜିଲ୍ଲା ପରିଷଦ ସଭାପତି କୁନ୍ତି ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ଦାଶରଥୀ ସରାବୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ବି ନାଚିଥିଲେ। ନୂଆଁଖାଇ ମଞ୍ଚରେ ବିଧାୟିକା ଓ ଅନ୍ୟ ଅଧିକାରୀଙ୍କ ନୃତ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।