ରାଜଗାଙ୍ଗପୁର: ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଆଜି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦ୍ୱିତୀୟ ଦିନରେ ରୋଗୀଙ୍କୁ ଚିକିତ୍ସା କରିଛନ୍ତି। ପ୍ରାୟ ଡାକ୍ତର ପୂଜା ପାଇଁ ଛୁଟିରେ ଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ବୁଧବାର ଦିନ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡ଼ି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । ରୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଜାଣିପାରି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଗୁରୁବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡିରେ ବସି ୬୬ ଜଣ ରୋଗୀ ଚିକିତ୍ସା କରିଥିଲେ। ଏହି ଖବର ଜାଣିପାରି ସବୁ ଆଡୁ ପ୍ରଶଂସାର ସୁଅ ଛୁଟିଥିଲା।
ଜନ ପ୍ରତିନିଧ ହୋଇ ନିଜର ଦାୟିତ୍ୱ ତୁଲାଇବାରେ ଅବହେଳା କରିନାହାନ୍ତି ବିଧାୟକ। ବିଧାୟକ ହେବା ପୂର୍ବରୁ ଭାରତୀୟ ସେନା ବାହିନୀରେ ୧୨ ବର୍ଷ ମେଡିକାଲ ଅଫିସର ରୂପେ ନିଜର ଦାୟିତ୍ୱ ତୁଲାଇ ଅବସର ଗ୍ରହଣ କରିଛନ୍ତି। ଏହାପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ତା ପରଦିନ ଅର୍ଥାତ ଶୁକ୍ରବାର ଦିନ ଦୁଇ ଜଣ ଡାକ୍ତରଙ୍କୁ ଚିକିତ୍ସା କରିବା ନିମନ୍ତେ ବ୍ୟବସ୍ଥା କରିଥିଲେ। କିନ୍ତୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ବିଧାୟକ ଜାଣିପାରି ପୁଣି ରୋଗୀ ଚିକିତ୍ସା କରିଥିଲେ ଓ ଡାକ୍ତର ଆସିବା ପରେ ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଚିକିତ୍ସା ବନ୍ଦ କରିଥିଲେ। ବିଧାୟକ ଚିକିତ୍ସା କରିବା ସମୟରେ ବହୁ ଯନ୍ତ୍ରାଂଶ ଅଭାବ ଥିବା ଜାଣିପାରିଥିଲେ ଏନେଇ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିପି ମେସିନ, ଅକ୍ସିମିଟର ଓ ଷ୍ଟେଥୋସ୍କୋପ୍ ଆଦି ଦାନ କରିଥିଲେ। ବିଧାୟକଙ୍କ ଏପରି ରୋଗୀ ସେବା ପାଇଁ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି।