ବୀରମିତ୍ରପୁର: ରାଏବଗା ଥାନା ଅନ୍ତର୍ଗତ କଦୋବାହାଲ ପଞ୍ଚାୟତର ଆମ୍ବାଡାଣ ଭଦ୍ରାଟୋଲି ନିକଟରେ ଥିବା କାଜୁବଗିଚା ଜଙ୍ଗଲରେ ଦୁର୍ବୃତ୍ତମାନେ ଜଣେ ବୃଦ୍ଧଙ୍କୁ ହତ୍ୟାକରି ଫେରାର ହୋଇଯାଇଥିବା ଜଣାପଡିଛି। ମୃତକଙ୍କ ନାମ ତୁଲା ମିଞ୍ଜ (୫୫)। ସେ କଦୋବାହାଲ ବାଘିଆଯୋର ବାସିନ୍ଦା ବୋଲି ଜଣାପଡିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବାଘିଆଯୋର ବାସିନ୍ଦା ତୁଲା ମିଞ୍ଜ ଗତକାଲି ବିଲରେ ପ୍ଲାଷ୍ଟିକ ବାଡ଼ ଦେବାପାଇଁ ତିନିହଜାର ଟଙ୍କା ନେଇ ଯାଇଥିଲେ। ତୁଲା ମିଞ୍ଜ ଟଙ୍କା ଧରି ଗତକାଲି ସକାଳେ ଘରୁ ବାହାରିଥିଲେ।  ଆଜି ସକାଳେ ତାଙ୍କର ରକ୍ତ ଜୁଲୁବୁଡୁ ମୃତଦେହ ଭଦ୍ରାଟୋଲି ନିକଟରେ ଥିବା କାଜୁବଗିଚା ଜଙ୍ଗଲରେ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ରାଏବଗା ଥାନାକୁ ଖବର ଦେଇଥିଲେ।

ସୂଚନା ପାଇଁ ରାଏବଗା ଥାନା ଏସଆଇ ପ୍ରହ୍ଲାଦ ପ୍ରଧାନ, ବୀରମିତ୍ରପୁର ପୁଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାଶ ପୁଲିସ ଦଳସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ରାଉରକେଲାରୁ ସାଇଣ୍ଟିଫିକ ଅଧିକାରୀ ନିକୁଞ୍ଜ କୁମାର ନାଏକ, ଫିଙ୍ଗରପ୍ରିଣ୍ଟ ଅଧିକାରୀ ରିତାଞ୍ଜଳି ସୋରେନ, ଫଟୋଗ୍ରାଫର ଅନୁପ ପଟେଲ ଓ ସୁନ୍ଦରଗଡ଼ ଠାରୁ ସନ୍ଧନୀ କୁକୁର ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ତୁଲା ମିଞ୍ଜଙ୍କୁ କେହି ଦୁର୍ବୃତ୍ତ ଠେଙ୍ଗାରେ ପିଟିପିଟି ହତ୍ୟା କରିବା ପରେ ଏଠାରେ ଆଣି ଫିଙ୍ଗି ଦେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚାରଉଚରା କରୁଥିବା ଜଣାଯାଇଛି।