ପରକୀୟା ପ୍ରୀତିରୁ ହତ୍ୟା!

ସୁନ୍ଦରଗଡ଼ : ତଲସରା ଥାନା ମହୁଲଗାଁର ସୁରେଶ ବରୁଆ (୨୨) ଗତ ଚାରିଦିନ ହେଲା ନିଖୋଜ ଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସୁରେଶଙ୍କ ମା’ କିଞ୍ଜିରିକେଲା ଥାନାରେ ଏତଲା ଦେଇଛନ୍ତି। ସେଥିରେ ସେ ଝାରମୁଣ୍ଡା ଗ୍ରାମର ବିବାହିତା ମହିଳା ଦେବକୀ ନାଏକ (୪୦) ଓ ତାଙ୍କ ଭାଇ ଶରତ ନାଏକ (୩୬)ଙ୍କୁ ହତ୍ୟାକାରୀ ଭାବେ ଦର୍ଶାଇଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର୍‌ ଥିବାରୁ ସେମାନଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଛି। ଅପରପକ୍ଷରେ ଭାଇ-ଭଉଣୀ ସୁରେଶଙ୍କୁ ଘରେ ଏକ ଖୁଣ୍ଟରେ ବାନ୍ଧି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଆଧାରରେ ପୁଲିସ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ପରେ କିଛି ପ୍ରମାଣ ହାତରେ ଲାଗିଛି।

ସୁରେଶଙ୍କ ମା’ କାତ ବରୁଆ କିଞ୍ଜିରିକେଲା ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଦେବକୀ ଅନେକ ଦିନ ପୂର୍ବରୁ ସ୍ୱାମୀଙ୍କଠାରୁ ପୃଥକ ହେବା ପରେ ତିନି ପୁଅ-ଝିଅ ସହ ଝାରମୁଣ୍ଡା ଗ୍ରାମରେ ରହିଆସୁଛନ୍ତି। ସୁରେଶ ନିୟମିତ ବ୍ୟବଧାନରେ ଦେବକୀଙ୍କ ଘରକୁ ଯାଉଥିଲେ। ତେଣୁ ସେମାନଙ୍କ ସମ୍ପର୍କକୁ ନେଇ ପଡ଼ୋଶୀ ସନ୍ଦିହାନ ଥିଲେ। ଗତ ୪ ତାରିଖ ରାତି ପ୍ରାୟ ୮ଟାରେ ସେ ଦେବକୀ ରହୁଥିବା ଝାରମୁଣ୍ଡା ଗ୍ରାମକୁ ଯାଇଥିଲେ। ତା’ ପରେ ସେ ଆଉ ଘରକୁ ଫେରିନାହାନ୍ତି। ତେଣୁ ସୁରେଶଙ୍କୁ ଯୋଜନାବଦ୍ଧଭାବେ ଦେବକୀ ଓ ତାଙ୍କ ସାନ ଭାଇ ଶରତ ହତ୍ୟା କରି ମୃତଦେହକୁ କେଉଁଠି ପୋତି ଦେଇଥିବେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର