ସୁନ୍ଦରଗଡ଼: ୧୮ ବର୍ଷର ଝିଅ ଵହୁ ସମୟ ଧରି ଅସୁସ୍ଥ ରହୁଥିଲା। ଯେତେ ଯାହା ଚିକିତ୍ସା କଲେ ବି ଭଲ ହେଉ ନଥିଲା। ବାପା ମନରେ ସନ୍ଦେହ ହେଲା। ପଡ଼ୋଶୀ ଦମ୍ପତି ଗୁଣି କରି ଝିଅକୁ ମାରିଦେବାକୁ ଯୋଜନା କରିଛନ୍ତି। ଵାସ୍ ଏହି ସନ୍ଦେହ ତାକୁ ସଜାଇ ଦେଇଥିଲା ଜହ୍ଲାଦ, ହୋଇଥିଲା ରକ୍ତମୁଖା। ଖଣ୍ଡା ଓ ଫାର୍ସାରେ ଅତି ନିର୍ମମ ଭାବେ ହାଣି ନେଇଥିଲା ଦମ୍ପତିଙ୍କ ଜୀବନ।
ସୁନ୍ଦରଗଡ଼ ଜିଲ୍ଲାର ରାଇବଗା ଥାନା ଅନ୍ତର୍ଗତ କାଦୋବାହାଲ ଭଡରାଟୋଲି ଗାଁରେ ୨୦ ତାରିଖ ରାତିରେ ଘଟିଥିବା ବୃଦ୍ଧ ଦମ୍ପତିଙ୍କ ହତ୍ୟାର ପର୍ଦ୍ଦାଫାସ କରି ସୁନ୍ଦରଗଡ଼ ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ସେହି ଗାଁର ପୁରନ ପଡୱାରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ହତ୍ୟାରେ ବ୍ୟଵହୃତ ଖଣ୍ଡା ଓ ଫାର୍ସାକୁ ଜବତ କରାଯାଇଛି। କାଦୋବାହାଲ ଗାଁରେ ଗତ ୨୦ ତାରିଖ ରାତି ୮ଟାରେ ଲୟା ପଡଓ୍ଵାର ଓ ଲୁଡି ପଡଓ୍ଵାରଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା।
ଏ ସମ୍ପର୍କରେ ସୂଚନା ମିଳିବା କ୍ଷଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜଵତ କରି ଛାନଭିନ୍ ଚଲାଇଥିଲା। ସେତେଵେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ଗାଁର ପୁରନ ପଡୱାର ନାମକ ଜଣେ ବ୍ୟକ୍ତିଙ୍କ ଝିଅର ଦେହ ବାରମ୍ଵାର ଖରାପ ହେଉଥିଲା ଓ ଏହାକୁ ନେଇ ମୃତକ ଓ ଅଭିଯୁକ୍ତଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଏଣୁ ରାସ୍ତାରୁ ଏହି ବୃଦ୍ଧ ଦମ୍ପତିଙ୍କୁ ହଟାଇବା ପାଇଁ ଅଭିଯୁକ୍ତ ସୁଚିନ୍ତିତ ଯୋଜନା କରି ୨୦ ତାରିଖ ରାତିରେ ଘରେ ପଶି ଆକ୍ରମଣ କରିଥିଲା। ମୃତକଙ୍କ ପୁଅ କଷ୍ଟ ପଡୱାର ରାଏବଗା ଥାନାରେ ଲିଖିତ ଏତଲାକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ବୀରମିତ୍ରପୁର ଏସଡିପିଓଙ୍କ ନେତୃତ୍ଵରେ ଏକ ଟିମ୍ ଅଭିଯୁକ୍ତକୁ ଗିରଫ କରିଥିବା ଏସପି ସାଗରିକା କହିଛନ୍ତି।