ସୁନ୍ଦରଗଡ଼ରେ ମୁସଲମାନଙ୍କ ପର୍ବ ‘ଇଦ୍-ମିଲାଦ-ଉନ୍ନୱି ପାଳିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ମୁସଲମାନ ସମ୍ପ୍ରଦାୟର ପର୍ବ ‘ଇଦ୍-ମିଲାଦ-ଉନ୍ନୱି’ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ପରି ପ୍ରଦର୍ଶନୀ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇ ନଥିଲା ।

ସକାଳେ ରିଜେଣ୍ଟ ମାର୍କେଟ ନିକଟସ୍ଥ ସଦର ମସଜିଦ୍ ପ୍ରାଙ୍ଗଣରେ ତକରିର ବା ଧାର୍ମିକ ପ୍ରବଚନର କାର୍ଯ୍ୟାରମ୍ଭ କରାଯାଇଥିଲା । ଯେଉଁଥିରେ ସୀମିତ ସଂଖ୍ୟାରେ ଲୋକେ ସାମାଜିକ ଦୂରତ୍ବ ବଜାୟ ରଖି ଯୋଗ ଦେଇଥିଲେ। ସେହିପରି ଘରେ ଘରେ ହଜରତ ମହମ୍ମଦଙ୍କ ଜନ୍ମଦିବସ ପାଳନ କରାଯାଇ ତାଙ୍କ ନାଁରେ ଫାତିହା କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରେ ଲୋକେ ଲଙ୍ଗର ବଣ୍ଟନ କରିଥିଲେ। ଅପରାହ୍ନରେ କୁନି କୁନି ପିଲାମାନଙ୍କୁ ନେଇ ସାହିର ଗଳିଗୁଡ଼ିକରେ ଛୋଟ ଛୋଟ ଶୋଭାଯାତ୍ରା ବାହାର କରାଯାଇଥିଲା। ଏଥିରେ ୧୦ରୁ ୨୦ ଜଣ ପିଲା ସାମିଲ ହୋଇଥିଲେ। ପିଲାଙ୍କ ମଧ୍ୟରେ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପର୍ବ ଇସଲାମ ଧର୍ମର ଶେଷ ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଦିବସ ଉପଲକ୍ଷେ ପାଳନ କରାଯାଏ। ଇସ୍ଲାମୀ କ୍ୟାଲେଣ୍ଡରର ରବି-ଉଲ-ଅବଲ ମାସର ୧୨ ତାରିଖରେ ଏହି ପର୍ବ ପାଳନ କରାଯାଇଥାଏ।

ସମ୍ବନ୍ଧିତ ଖବର