ରାଉରକେଲା: ଗଣେଶ ପୂଜାରେ ନକ୍ସଲଙ୍କ ବଡ଼ ଧରଣର ହିଂସା ଯୋଜନା ପଣ୍ଡ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ସ୍ଥାନୀୟ ପୁଲିସ ଓ ସିଆର୍ପିଏଫ୍ର ସର୍ଚ୍ଚ ଅପରେସନ୍ବେଳେ ଗୋଏଲକେରା ବେଡାଦୁଇଆ ଗାଁ ନିକଟ ଜଙ୍ଗଲ ରାସ୍ତାରୁ ନକ୍ସଲମାନେ ଖଞ୍ଜିଥିବା ଟିଫିନ୍ ବୋମା ଉଦ୍ଧାର ହୋଇଛି। ଟିଫିନ୍ ବୋମାର ଓଜନ ପ୍ରାୟ ୮ କିଲୋଗ୍ରାମରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏଥିସହ କିଛି ତାର ଓ ପେନ୍ସିଲ୍ ବ୍ୟାଟେରି ମଧ୍ୟ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଟିଫିନ୍ ବୋମାକୁ ନଷ୍ଟ କରିଦେଇଛନ୍ତି। ପରେ ସ୍ଥାନୀୟ ଅଞ୍ଚଳରେ ଉଭୟ ପୁଲିସ ଓ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି।
ସ୍ଥାନୀୟ ପୁଲିସ ଅଧୀକ୍ଷକଙ୍କ କହିବାନୁଯାୟୀ ନକ୍ସଲ ସଙ୍ଗଠନ ନେତା ମିସ୍ରି ବେସ୍ରା, ଅନମୋଲ, ମୋଚ୍ଛୁ, ଚମନ, ଅଜୟ ମହାତୋ, ସାଗେନ୍ ଅଙ୍ଗାରିଆ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କୋହ୍ଲାଣ ଜଙ୍ଗଲରେ ନକ୍ସଲ ଶିବିରମାନ କରୁଛନ୍ତି। ଆଗାମୀ ଦିନରେ ଏସବୁ ଅଞ୍ଚଳରେ ନକ୍ସଲ ଅଭିଯାନକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ କୋହ୍ଲାଣ ଜଙ୍ଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଓଡ଼ିଆ ଯବାନ ସହିଦ ହୋଇଥିଲେ। ଆଇଇଡି ବିସ୍ଫୋରଣରେ ଝାଡ଼ଖଣ୍ଡର ଜାଗୁଆର ଦୁଇ ଯବାନ ମଧ୍ୟ ସହିଦ ହୋଇଥିଲେ।