କନିଷ୍ଠ ମହିଳା ହକି ବିଶ୍ବକପ୍‌ରେ ଜିଲ୍ଲାର ଆଜମିନା, ଜୀବନ କିଶୋରୀ

ରାଉରକେଲା: ସୁନ୍ଦରଗଡ଼ ମାଟିରେ ଜନ୍ମିତ ଦୁଇ ଉଦୀୟମାନ ମହିଳା ହକି ଖେଳାଳି ହେଉଛନ୍ତି ମିଡ୍‌ଫିଲଡର ଆଜମିନା କୁଜୁର ଓ ଫରୱାର୍ଡ‌୍ ଜୀବନ କିଶୋରୀ ଟପ୍ପୋ। ଭାରତୀୟ କନିଷ୍ଠ ମହିଳା ହକି ଦଳର ଭରସାଯୋଗ୍ୟ ତଥା ସ୍ଥାୟୀ ସଦସ୍ୟା। ଉଭୟେ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହିଁ ପ୍ରଶିକ୍ଷିତ ହୋଇଥିଲେ। ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଜାତୀୟ ଦଳରେ ପ୍ରତିନିଧିତ୍ବ କରିବାସହ ଭାରତୀୟ କନିଷ୍ଠ ମହିଳା ଦଳରେ ସ୍ଥାନ ସୁରକ୍ଷିତ କରିବାରେ ସକ୍ଷମ ହୋଇଛନ୍ତି।

ତେବେ ଉଭୟଙ୍କ ମଧ୍ୟରେ ଏକାଧିକ ସାମଞ୍ଜସ୍ୟ। ଉଭୟଙ୍କର ପାରିବାରିକ ଆର୍ଥିକ ସ୍ଥିତି ଏତେ ସ୍ବଚ୍ଛଳ ନ ଥିଲା। ଦୈନନ୍ଦିନ ଜୀବନରେ ଯାବତୀୟ ଝଡ଼ଝଞ୍ଜାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ଆକୁଣ୍ଠ ସମର୍ଥନ ଜଣାଇଥିଲେ ପରିବାର ସଦସ୍ୟ। ନିଷ୍ଠାପର ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଉଥିଲେ। ନିକଟ ଅତିତରେ ଉଭୟେ ନିଜ ବାପାଙ୍କୁ ବି ହରାଇଛନ୍ତି।

ଗତ ଅକ୍ଟୋବର ୨ ତାରିଖରେ ଆଜମିନାଙ୍କ ବାପାଙ୍କ ପରଲୋକ ଘଟିଥିବାବେଳେ ଗତ ଏପ୍ରିଲ ମାସରେ ଜୀବନ କିଶୋରୀ ତାଙ୍କ ପିତାଙ୍କୁ ହରାଇଥିଲେ। ବାପାଙ୍କ ଆବର୍ତ୍ତମାନରେ ଉଭୟେ ଏକ ବଡ଼ ପ୍ରତିଯୋଗିତାରେ ପଡ଼ିଆକୁ ଓହ୍ଲାଇବେ। ଆସନ୍ତା ଡିସେମ୍ବର ମାସରେ ଦକ୍ଷିଣଆଫ୍ରିକାରେ ଖେଳାଯିବାକୁ ଥିବା କନିଷ୍ଠ ମହିଳା ହକି ବିଶ୍ବକପ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଦିବଂଗତ ପିତାଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବାକୁ ଉଭୟେ ବଦ୍ଧ ପରିକର। କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ୩ ଜଣ ଓଡ଼ିଆ ସ୍ଥାନ ପାଇଥିବାବେଳେ କନିଷ୍ଠ ମହିଳା ବିଶ୍ବକପ୍‌ ପାଇଁ ଏହି ଦୁଇ ଖେଳାଳିଙ୍କ ଯୋଗଦାନ ରାଜ୍ୟବାସୀ, ବିଶେଷକରି ଜିଲ୍ଲାବାସୀଙ୍କ ଖୁସିକୁ ଦ୍ବିଗୁଣିତ କରିଛି।

ସମ୍ବନ୍ଧିତ ଖବର