ସୁନ୍ଦରଗଡ଼: ଏକ ବୁଦାମୂଳେ ନବଜାତ ଶିଶୁକନ୍ୟାକୁ ଜନ୍ମ ଦେଇ ଲୋକଲଜ୍ଜା ଭୟରେ ଛାଡ଼ି ଚାଲିଗଲା କୁମାରୀ ମା। ପରେ ଲୋକେ ଶିଶୁକୁ ଉଦ୍ଧାର କରିଥିବା ବେଳେ ପୁଲିସ ମା’କୁ ଠାବ କରିଛି। ଉଭୟ ମା’ ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ପର୍ଶକାତର ଘଟଣାଟି ଘଟିଛି ଭଷ୍ମା ଥାନା ଅବନକେଲା ମୁକ୍ତିଢିପାରେ।
ଘଟଣାଟି ଥିଲା ଏମିତି। ମୁକ୍ତିଢିପାର ଚୁମନ ତାଣ୍ଡିଆଙ୍କ ଆବାସ ଗୃହ ଛାତ ଢଳେଇ କାମରେ ଭଷ୍ମା ଗାଁର କେତେକ ମହିଳା ଓ ପୁରୁଷ ଶ୍ରମିକ ନିୟୋଜିତ ଥିଲେ। ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଶୌଚ ପାଇଁ ଯାଉଛି କହି କାର୍ଯ୍ୟସ୍ଥଳରୁ ଦୂରକୁ ଚାଲି ଯାଇଥିଲେ। ଏକ ବୁଦାମୂଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ତାକୁ ସେଠାରେ ଛାଡ଼ି ଦେଇ ଚାଲି ଆସିଥିଲେ। କିଛି ସମୟ ପରେ ଶ୍ରମିକମାନଙ୍କ ସହ ଗାଁକୁ ଫେରିଥିଲେ। ପରେ ପରେ ଏକ ନବଜାତର କୁଆଁକୁଆଁ ଡାକ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବୁଦାମୂଳେ ଶିଶୁକୁ ଉଦ୍ଧାର କରି ଭଷ୍ମା ଥାନାକୁ ସୂଚୀତ କରିଥିଲେ।
ପୁଲିସ ତଦନ୍ତ କରି ସମ୍ପୃକ୍ତି ଯୁବତୀଙ୍କୁ ଠାବ କରିଥିଲା। ତାଙ୍କୁ ପଚରାଉଚରା କରିବା ପରେ ସେ ସତକଥା ମାନି ଯାଇଥିଲା। ଲୋକଲଜ୍ଜା ଭୟରେ ସେ ନବଜାତକୁ ଛାଡ଼ି ଚାଲି ଆସିଥିବା ସ୍ବୀକାର କରିଥିଲା। ଏହା ପରେ ପୁଲିସ ଉଭୟ ମା’, ଝିଅକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଯୁବତୀ କାହା ସହ ସମ୍ପର୍କରେ ଆସି ଗର୍ଭବତୀ ହୋଇଥିଲେ ସେ ସମ୍ପର୍କରେ ମୁହଁ ଖୋଲି ନଥିବା ପ୍ରକାଶ ପାଇଛି। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।