ରାଉରକେଲା,: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର ଜଣେ ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ଯୌନ କେଳେଙ୍କାରୀ ଏ ପର୍ଯ୍ୟନ୍ତ ଜନମାନସରୁ ଲିଭି ନ ଥିବାବେଳେ ଏବେ ନୂଆ ଅପବାଦ ଏନ୍ଆଇଟିରେ ଯୋଡ଼ି ହୋଇଯାଇଛି। ଜାତୀୟସ୍ତରରେ ଉଚ୍ଚ ସୁନାମ ଥିବା ରାଉରକେଲା ଏନ୍ଆଇଟି କ୍ୟାମ୍ପସ୍ ଭିତରକୁ ଅସାମାଜିକ ଲୋକଙ୍କ ଅବାଧ ପ୍ରବେଶ ଏବେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅସାମାଜିକ ଲୋକଙ୍କ ଦ୍ବାରା ବିଶେଷକରି ଛାତ୍ରୀମାନେ ମଧ୍ୟେ ମଧ୍ୟେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଏଧରଣର ଏକ ଘଟଣାକୁ ଏହାର ସଦ୍ୟତମ ଉଦାହରଣ ରୂପେ ନିଆ ଯାଇପାରେ।
କିଛି ଦିନ ପୂର୍ବେ ଅନୁଷ୍ଠାନର ଜଣେ ଛାତ୍ର ନିଜ ସହପାଠିନୀଙ୍କ ସହ ସାନ୍ଧ୍ୟ ଭ୍ରମଣରେ ବାହାରିଥିଲେ। ରାତି ପ୍ରାୟ ୮ଟା ୪୫ ମିନିଟ ସମୟ। ଏହି ସମୟରେ ପ୍ରାୟତଃ ଛାତ୍ରଛାତ୍ରୀ କ୍ୟାମ୍ପସ୍ ଭିତରେ ଭ୍ରମଣରେ ବାହାରିବା ସହ କ୍ୟାମ୍ପସ୍ ଚଳଚଞ୍ଚଳ ପରିଲକ୍ଷିତ ହୋଇଥାଏ। ଦୁଇ ସହପାଠୀ ପରିଭ୍ରମଣ ସାରି ନିଜ ନିଜ ଛାତ୍ରାବାସ/ଛାତ୍ରୀନିବାସକୁ ଫେରୁଥିଲେ। ଜଗଦା ଗେଟ୍ର ମାତ୍ର ୨ ଶହ ମିଟର ଦୂର ରାସ୍ତା କଡ଼ରେ ଜଣେ ଯୁବକ ସାଇକେଲ୍ରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ଉକ୍ତ ଅସାମାଜିକ ଯୁବକ କିନ୍ତୁ ଅସଂଜତ ଅବସ୍ଥାରେ ତଥା ଅନୈତିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥିଲା। ଏଭଳି ଅଶୋଭନୀୟ ଦୃଶ୍ୟକୁ ଦେଖି ଦୁଇ ସହପାଠୀ ଏଡ଼ାଇ ଦେଇ ନିଜ ଗନ୍ତବ୍ୟ ପଥରେ ବାହାରିଥିଲେ। ମାତ୍ର ସଂପୃକ୍ତ ଯୁବକ ନିଜ କାମ ଜାରି ରଖିବା ସହ ଦୁଇ ଛାତ୍ରଛାତ୍ରୀଙ୍କ ପାଦରେ ପାଦ ମିଶାଇ ଆଗକୁ ବଢ଼ି ଚାଲିଥିଲା। ଉକ୍ତ ଯୁବକର ଏଭଳି ଖୋଲାଖୋଲି ଅଶୋଭନୀୟ ଆଚରଣରେ ଭୟଭୀତ ହୋଇ ଦୁଇ ଛାତ୍ର/ଛାତ୍ରୀ ରାସ୍ତା ଉପରେ ଛିଡ଼ା ହୋଇଯାଇଥିଲା। ମାତ୍ର ଏତିକିରେ ଅଟକି ନ ଥିଲା ଉକ୍ତ ଯୁବକ। ସାମାନ୍ୟ ଆଗକୁ ବଢ଼ି ସେମାନଙ୍କ ସମ୍ମୁଖରେ ପୁଣି ସେହି ଅଶୋଭନୀୟ କାର୍ଯ୍ୟରେ ଲାଗିପଡ଼ିଥିଲା। ଯୁବକର ଏଭଳି ଅସଦାଚରଣରେ ବିବ୍ରତ ହୋଇ ଦୁଇ ଛାତ୍ରଛାତ୍ରୀ ମାତ୍ର ଅନତି ଦୂରରେ ଥିବା ଜଗଦା ଗେଟ୍ ସ୍ଥିତ ସିକ୍ୟୁରିଟି ଅଫିସ୍କୁ ଧସେଇ ପଶିଥିଲେ। ଏହା ଦେଖି ସଂପୃକ୍ତ ଯୁବକ ମଧ୍ୟ ସାଇକେଲରେ ସେହି
ଗେଟ୍ ଦେଇ କ୍ୟାମ୍ପସ୍ ବାହାରକୁ ଚମ୍ପଟ ମାରିଥିଲା। ସେହିଭଳି କିଛିଦିନ ପୂର୍ବେ ଜଣେ ଛାତ୍ରୀ ଲାଇବ୍ରେରୀରୁ ନିଜର ହଷ୍ଟେଲକୁ ଫେରିବା ବାଟରେ ଅସଦାଚରଣର ଶିକାର ହୋଇଥିଲେ। ବାଇକ୍ରେ ଯାଉଥିବା ଜଣେ ଯୁବକ ଛାତ୍ରୀଙ୍କ ଶରୀରରେ ହାତ ମାରି ଫେରାର ହୋଇଯାଇଥିଲା। ଅସାମାଜିକ ଲୋକମାନେ ଅବାଧରେ ଏନ୍ଆଇଟି କ୍ୟାମ୍ପସ୍ରେ ପଶି ଏଭଳି ଖୋଲାଖୋଲି ଅସଦାଚରଣ କରୁଥିବାରୁ ଛାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ସେମାନେ ନିଜ କ୍ୟାମ୍ପସ ଭିତରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଉଲ୍ଲେଖନୀୟ ଯେ ଏହି ଅନୁଷ୍ଠାନରେ ରାଜ୍ୟ ବାହାରର ଶହ ଶହ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। କିଛି ବିଦେଶୀ ମଧ୍ୟ ଅଛନ୍ତି। କ୍ୟାମ୍ପସ୍ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଛାତ୍ରଛାତ୍ରୀଙ୍କ ମହଲରେ ଦାବି ହୋଇଛି।
ଏନ୍ଆଇଟିରେ ଛାତ୍ରୀ ଅସୁରକ୍ଷିତ!
କ୍ୟାମ୍ପ୍ସରେ ଅସାମାଜିକଙ୍କ ଅବାଧ ପ୍ରବେଶ
/sambad/media/post_attachments/wp-content/uploads/2019/03/rapegirl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)