ରେଳ ଷ୍ଟେସନ୍‌ରେ ରେଲବାଇ କର୍ମଚାରୀଙ୍କୁ ବି ମିଳିଲାନି ହ୍ବିଲ୍ ଚେୟାର

-କାକୁତିମିନତି କେହି ଶୁଣିଲେନି, ଉଭୟ ରାଉରକେଲା ଓ ହାୱଡ଼ା ଷ୍ଟେସନରେ ହିନସ୍ତା ହେଲେ

ରାଉରକେଲା: ଚିକିତ୍ସା ପାଇଁ ବାହାରିଥିବା ରାଉରକେଲାର ଜଣେ ରେଲବାଇ କର୍ମଚାରୀଙ୍କୁ କୋଲକାତା ରେଲୱେ ଷ୍ଟେସନରେ ହ୍ବିଲ୍‌ ଚେୟାରଟିଏ ମିଳିଲାନି। ଏମିତିକି ଷ୍ଟ୍ରେଚର୍‌ଟିଏ ବି ଯୋଗାଇ ଦିଆଗଲାନି। ଫଳରେ ବାଧ୍ୟହୋଇ ଆମ୍ପୁଲାନ୍‌ସରେ ଥିବା ଷ୍ଟ୍ରେଚର୍‌ରେ ଲଦି ତାଙ୍କୁ ଟାଣି ଟାଣି ନିଆଯାଇଛି। ରେଳ ଷ୍ଟ‌େସନ୍‌ରେ ଜଣେ ରେଲବାଇ କର୍ମଚାରୀଙ୍କୁ ଏଇ ସାମାନ୍ୟ ସୁବିଧା ଦିଆ ନ ଯାଇ ଏଭଳିଭାବେ ଟଣା ହୋଇ ନେବା ଘଟଣା ରାଉରକେଲା ସହରରେ ଆଲୋଡ଼ନ ସୃଷ୍ଟି କରିଛି। କୋଏଲନଗର ଜେନା ବସ୍ତିରେ ରହୁଥିବା କମଳ ବାରିକ (୫୦) ଝାଡ଼ଖଣ୍ଡ ବାନୋ ଷ୍ଟେସନରେ ଲାଇନ୍‌ମ୍ୟାନ୍‌ ଭାବେ କାର୍ଯ୍ୟରତ। ଫେବ୍ରୁଆରି ମାସରେ ହେବାକୁ ଥିବା ତାଙ୍କ ଝିଅ ବାହାଘର ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇଥିବାବେଳେ ଶ୍ରୀ ବାରିକ ଗତ ୨ ତାରିଖରେ ନୂଆଗାଁ-ଝୀରପାଣି ମଝିରେ ଥିବା କେର୍କେଟାଡାଣରେ ବାଇକ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫଳରେ ତାଙ୍କ ଗୋଡ଼ ଓ ହାତ ଭାଙ୍ଗିବା ସହ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରାଉରକେଲାସ୍ଥ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଗୋଡ଼ରେ ରଡ୍‌ ଲଗାଇବାକୁ ପରାମର୍ଶ ଦେଇଥିଲେ। ଗୋଡ଼ରେ ଖଞ୍ଜାଯିବାକୁ ଥିବା ରଡ୍‌ର ଚଢ଼ା ଦର ଯୋଗୁଁ ‌ତାଙ୍କୁ କୋଲକାତାରେ ଥିବା ରେଲୱେ ହସ୍‌ପିଟାଲକୁ ସ୍ଥାନାନ୍ତର ପାଇଁ ପରିବାର ନିଷ୍ପତ୍ତି ନେଇଥିଲେ। ସେହିଅନୁସାରେ ଗତକାଲି ସଂଧ୍ୟାରେ ଆଇଜିଏଚ୍‌ରୁ ସେମାନେ କୋଲକତା ଅଭିମୁଖେ ବାହାରିଥିଲେ। ମାତ୍ର ରାଉରକେଲା ଷ୍ଟେସନରେ ଶ୍ରୀ ବାରିକଙ୍କୁ ଷ୍ଟ୍ରେଚର୍‌ଟି ମଧ୍ୟ ଯୋଗାଇ ଦିଆଯାଇ ନ ଥିଲା।

ଫଳରେ ବାଧ୍ୟହୋଇ ପରିବାରର ଲୋକେ ତାଙ୍କୁ ହାତରେ ଟେକି ଟେକି ଟ୍ରେନରେ ବସାଇଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ସେମାନେ ହାୱଡ଼ା ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କୌଣସିମତେ ଟ୍ରେନ୍‌ରୁ ଓହ୍ଲାଇ ପରିବାର ଲୋକେ ଷ୍ଟ୍ରେଚ୍‌ର ଯୋଗାଡ଼ କରିବାଲାଗି ବହୁ ଚେଷ୍ଟା କରିଥିଲେ। ଷ୍ଟେସନରେ ମହଜୁଦ ଥିବା ବ୍ୟାଟେରୀ ଚାଳିତ ଗାଡ଼ି (ବରିଷ୍ଠ ନାଗରିକ, ଗୁରୁତର ଅସୁସ୍ଥ ଓ ଚିକିତ୍ସା ପାଇଁ ଯାଉଥିବା ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ) ବା ଅତିକମ୍‌ରେ ହ୍ବିଲ୍‌ଚେୟାରଟିଏ ବନ୍ଦୋବସ୍ତ କରିବାକୁ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ବହୁ କାକୁତିମିନତି କରିଥିଲେ। କିନ୍ତୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ନେହୁରା ହୋଇଥିଲେ ମଧ୍ୟ ସେମାନଙ୍କୁ କୌଣସି ସହଯୋଗ ମିଳି ନ ଥିଲା। ଏଣୁ ସେମାନେ ରେଲୱେ ହସ୍‌ପିଟାଲର ଆମ୍ବୁଲାନ୍‌ସ ସହ ଯୋଗାଯୋଗ କରିଥିଲେ। ଦୀର୍ଘ ସମୟପରେ ଉକ୍ତ ଆମ୍ବୁଲାନ୍‌ସ ଆସିଥିଲା। ଆମ୍ବୁଲାନସ୍‌ରେ ଥିବା ଚକଯୁକ୍ତ ଷ୍ଟ୍ରେଚ୍‌ରରେ ପରିବାର ଲୋକେ ଶ୍ରୀ ବାରିକଙ୍କୁ ଲଦି ପ୍ଲାଟ୍‌ଫର୍ମ ନଂ ୨୨ରୁ ପ୍ଲାଟ୍‌ଫର୍ମ ନଂ ୧କୁ ଟାଣିଟାଣି ନେଇଥିଲେ। ସାମଗ୍ରୀ ପରିବହନ ଭଳି ତାଙ୍କୁ ଷ୍ଟ୍ରେଚର୍‌ରେ ଲଦି ଟାଣି ଟାଣି ଆଣିବା ଦୃଶ୍ୟ ହୃଦୟବିଦାରକ ଥିଲା। ଏହାକୁ ଦେଖିଥିବା ଅନେକ ଯାତ୍ରୀ ନାପସନ୍ଦ କରିବା ସହ ରେଳବାଇ କର୍ତ୍ତୃପକ୍ଷଙ୍କ ଅମାନବିକତାକୁ କଡ଼ା ସମାଲୋଚନା କରିଥିଲେ। ଯଦି ରେଳ ଷ୍ଟେସନ୍‌ରେ ଜଣେ ରେଳବାଇ କର୍ମଚାରୀଙ୍କୁ ଏସବୁ ସାମ୍‌ନା କରିବାକୁ ହେଉଛି, ଜଣେ ସାଧାରଣ ରୋଗୀର ସ୍ଥିତି କ’ଣ ହେଉଥିବ ବୋଲି ଲୋକେ ଆଲୋଚନା କରୁଛନ୍ତି।
(ଫଟୋ ଅଛି)

ସମ୍ବନ୍ଧିତ ଖବର