ରାଉରକେଲା: ବର୍ଷ ତମାମ ଯାତ୍ରୀଙ୍କୁ ଧୋକ୍କା ଚାଲିଥିଲା ରାଉରକେଲାରୁ ଭୁବନେଶ୍ବର ବିମାନ ସେବା। କେବଳ ଏତିକି ନୁହେଁ ୨୬ରୁ ଆରମ୍ଭ ହୋଇଥିଲା ରାଉରକେଲା- କୋଲକାତା ସିଧାସଳଖ ବିମାନ ସେବା। କିନ୍ତୁ ଥରୁଟିଏ ବି ରାଉରକେଲା କୋଲକାତା ଉଡ଼ିଲାନି। ଘନକୁହୁଡ଼ି ଓ ସଠିକ୍‌ ଭିଜିଭିଲିଟ୍‌ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି। ବାସ୍ତବ ସମସ୍ୟା କିନ୍ତୁ ଅଲଗା କୁହାଯାଉଛି। ଆବଶ୍ୟକ କର୍ମଚାରୀ ଅଭାବରୁ ଏଭଳି ତ୍ରୁଟି ପରିଲକ୍ଷିତ ହେଉଛି ବୋଲି ଜଣାପଡିଛି। ଏସବୁ ଭିତରେ ବିମାନ ସେବା କମ୍ପାନୀ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଉରକେଲାରୁ ଭୁବନେଶ୍ବର ଓ ରାଉରକେଲାରୁ କୋଲକାତା ପର୍ଯ୍ୟନ୍ତ ବିମାନ ଉଡ଼ିବନି ବୋଲି‌ ଘୋଷଣା ଯାଇଛି। ୨୦୨୩ରେ ବର୍ଷ ତମାମ ଯାତ୍ରୀଙ୍କୁ ହଇରାଣ ହରକତ କରିଥିବା ବିମାନ କମ୍ପାନୀ ଆସନ୍ତା ୭ ତାରିଖ ପରେ ୨୦୨୩ ଘଟଣାର ପୁନରାବୃତ୍ତି ହେବ ନାହିଁ ତ ବୋଲି ସହରବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

Advertisment

ଉଲ୍ଲେଖଯୋଗ୍ୟ, ଜାନୁଆରି ୭ରୁ ରାଉରକେଲା- ଭୁବନେଶ୍ବର ଆରମ୍ଭ ହେଇଥିଲା ଦୈନିକ ବିମାନ ସେବା। ଗତ ମଙ୍ଗଳବାର (୨୬.୧୨.୨୦୨୩)ରୁ ଆରମ୍ଭ ହୋଇଥିଲା ରାଉରକେଲା-କୋଲାକାତା ସିଧାସଳଖ ବିମାନ ସେବା। ବିମାନ ନ ଚାଲିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ବାରମ୍ବାର ବିମାନ ସେବା ବାତିଲ ହେଉଥିବାରୁ ଅଧିକାଂଶ ଯାତ୍ରୀ ରାଉରକେଲାରୁ ବିମାନରେ ଯିବାକୁ ଅମଙ୍ଗ ହେଲେଣି। ଗତ ମଙ୍ଗଳବାର ରାଉରକେଲାରୁ କୋଲକାତା ସିଧାସଳଖ ବିମାନ ସେବା ଆରମ୍ଭ ହେଲା ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ସେହି ଦିନ କୋଲକାତାରୁ ରାଉରକେଲା ବିମାନ ଆସି ନଥିଲା। ମଙ୍ଗଳବାର, ଗୁରୁବାର ଓ ଶନିବାର ସପ୍ତାହରେ ତିନି ଦିନ ରାଉରକେଲାରୁ କୋଲକାତା ଚାଲିବ ବୋଲି ସମୟ ଧାର୍ଯ୍ୟ ‌ହୋଇଛି। ପ୍ରଥମ ଦିନ ଅର୍ଥାତ୍‌ ଗତ ମଙ୍ଗଳବାର ବିମାନ ସେବା ବାତିଲ ହୋଇଥିଲା। ସେହି ସମାନ ସମସ୍ୟା ଉପୁଜିଥିଲା ଗତ (ଗୁରୁବାର)। କେବଳ ରାଉରକେଲାରୁ କୋଲକାତା ନୁହେଁ, ରାଉରକେଲାରୁ ଭୁବନେଶ୍ବର ମଧ୍ୟ ବାତିଲ ହୋଇଥିଲା। ଆଜି ଆଲିଆନ୍ସ ଏୟାର କୋଲକାତାରୁ ବାହାରି ରାଉରକେଲାରେ ପହଞ୍ଚିବାର ଥିଲା। ପୁଣି ରାଉରକେଲାରୁ ବାହାରି ଭୁବନେଶ୍ବର ଯିବାର ଥିଲା। ପୁଣି ଭୁବନେଶ୍ବରରୁ ବାହାରି ରାଉରକେଲାରେ ଅପରାହ୍ନ ୩ଟା ୫୫ ମିନିଟ୍‌ରେ ପହଞ୍ଚିବାର ଥିଲା। ପୁଣି ସଂଧ୍ୟା ୫ଟା ୧୫ ମିନିଟ୍‌ରେ ରାଉରକେଲାରୁ ସିଧାସଳଖ କୋଲକାତା ଯିବା ଥିଲା। କୋଲକାତା ନା ଭୁବନେଶ୍ବର କେଉଁଠି ବି ଉଡିଲାନି। ଘଣ୍ଟା ଘଣ୍ଟା ଅପେକ୍ଷା କରି ପ୍ରାୟ ୭୦ରୁ ଅଧିକ ଯାତ୍ରୀ ବିମାନ ବନ୍ଦରରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ବିମାନ ସେବା କମ୍ପାନୀ ଆଲିଆନ୍ସ ଏୟାର ଶେଷ ମୂହୂର୍ତ୍ତରେ ବାତିଲ ହେଲା ବୋଲି ଘୋଷଣା କରି ଦେଉଥିଲେ। ଯାତ୍ରୀଙ୍କ ଟିକେଟ୍‌ ଭଡା ଫେରାଇ ଦେଇ କାମ ସାରି ଦେଉଛନ୍ତି। କିପରି ଭାବେ ନିୟମିତ ବିମାନ ଚାଲିବ, ଏଥିପ୍ରତି ଆଦୌ ଗୁରୁତ୍ବ ଦେଉ ନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଆସନ୍ତା ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ତା’ ପୂର୍ବରୁ ଦୈନିକ ବିମାନ ସେବା ବାରମ୍ବାର ବାତିଲ ହେବା, ସରକାରଙ୍କ ଚିନ୍ତା ବଢ଼ାଇଛି।