ହକି ତାରକାଙ୍କ ଗାଁରେ ନାହିଁ ହକି ପଡ଼ିଆ, ୪ ବର୍ଷ ହେଲା ଅଧାପନ୍ତରିଆ ପଡ଼ିଛି ଆଷ୍ଟ୍ରୋଟର୍ଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍‌ର ଏକ ନିପଟ ଆଦିବାସୀ ଗାଁ ସଉନାମୁରା। ହକିର ଜୀବନ୍ତ କିଂବଦନ୍ତି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ଜନ୍ମମାଟି। ଯିଏ ଦିନେ ହକି ବାଡ଼ି ଧରି ସାରା ବିଶ୍ବକୁ ଚମକାଇ ଦେଇଥିଲେ। ପିଲାଦିନେ ସେହି ଧୂଳିଧୂସରିତ ପଡ଼ିଆରେ ବଙ୍କା ବାଡ଼ି ଖଣ୍ଡେ ଧରି ହକି ଅଭ୍ୟାସ କରୁଥିବା ଦିଲୀପ ଏବେ ଦେଶର ଗୌରବ। କେବଳ ଏକା ଦିଲୀପ ନୁହନ୍ତି, ଏ ମାଟି ବହୁ ସୁନାମଧନ୍ୟ ହକି ତାରକାଙ୍କୁ ଜନ୍ମ ଦେଇଛି। ଭାରତୀୟ ମହିଳା ହକିର ପୂର୍ବତନ ଅଧିନାୟକ ସୁଭଦ୍ରା ପ୍ରଧାନ, ଅନ୍ତର୍ଜାତୀୟ ଖେଳାଳି ଦୀପସାନ ତିର୍କି, ଭାରତୀୟ ହକି ଦଳର ଉପଅଧିନାୟକ ୨୦୨୦ ଅଲିମ୍ପିକ୍ସ କାଂସ୍ୟ ବିଜେତା ଅମିତ ରୋହିଦାସଙ୍କୁ ନେଇ ସଉନାମୁରା ଗାଁ ସମେତ ସୁନ୍ଦରଗଡ଼ ଜିଲ୍ଲା ଧନ୍ୟ ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ, ବିଶ୍ବ ପଡ଼ିଆରେ ଚମକ ସୃଷ୍ଟି କରୁଥିବା ଏହି ହକି ତାରକାଙ୍କ ଗାଁ’ରେ ଆଜିଯାଏ ସାଧାରଣ ହକି ପଡ଼ିଆଟେ ନାହିଁ।

ଗାଁ ପିଲା ଆଜି ବି ସେହି ଧୂଳିଧୂସରିତ ଦାଣ୍ଡ ନହେଲେ ମିସନ ସ୍କୁଲ ପଡ଼ିଆରେ ହକି ଅଭ୍ୟାସ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଦିଲୀପଙ୍କ ସେ ପିଲାଦିନର ପଡ଼ିଆକୁ ଏକ ସ୍ମାରକୀ ଭାବେ ତିଆରି କରିବାକୁ ରାଜ୍ୟ ସରକାର ଆଗେଇ ଆସିଥିଲେ ମଧ୍ୟ ୪ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି। ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ତଳସରା ଆସିଥିବା ବେଳେ ଏଠାରେ ଏକ ଉଚ୍ଚ ମାନର ହକି ଆଷ୍ଟ୍ରୋଟର୍ଫ ତିଆରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସଉନାମରା ଗାଁ ସମେତ ବାଲିଶଙ୍କରା ବ୍ଲକ୍‌ର ଅନ୍ୟସବୁ ଗାଁ ପିଲାଙ୍କୁ ସିଧା ଧୂଳିମାଟିର ପଡ଼ିଆରୁ ଟର୍ଫରେ ଖେଳିବାର ସୁଯୋଗ ଓ ପ୍ରଶିକ୍ଷଣ ଦେଇ ଆଉ ଜଣେ ଜଣେ ଦିଲୀପ ତିର୍କି ତିଆରି ହେବେ ବୋଲି କୁହାଯାଇଥିଲା। ଏଥିପାଇଁ ସାଢ଼େ ୬ କୋଟିର ଏକ ବ୍ୟୟଅଟକଳ ତିଆରି ହୋଇଥିଲା। ଏହାପରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଇଡକୋ, ଏନ୍‌ଟିପିସି, ସାଂସଦ ପାଣ୍ଠିରୁ ପର୍ଯ୍ୟାପ୍ତ ଅନୁଦାନ ପହଞ୍ଚିଥିଲ‌ା। ପଡ଼ିଆରେ କିଛି କିଛି କାମ ହୋଇଥିଲେ ମଧ୍ୟ ହକି ଟର୍ଫ ନିର୍ମାଣ ଅଧାରେ ଅଟକି ରହିଛି। କାର୍ଯ୍ୟନିର୍ବାହୀ ସଂସ୍ଥା ପୂର୍ତ୍ତ ବିଭାଗର ଅବହେଳା ଓ ଉଦାସୀନତା ଯୋଗୁଁ ପର୍ଯ୍ୟାପ୍ତ ପାଣ୍ଠି ଥିବା ସତ୍ତ୍ବେ ୪ ବର୍ଷ ହେଲା କାମ ଆଗେଇ ପାରୁନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର ପରେ ୨୦୧୭-୧୮ରେ ଏନଟିପିସି ଦର୍ଲିପାଲି ୧ କୋଟି ଟଙ୍କା ଓ ଇଡକୋ ୫୦ ଲକ୍ଷ ଟଙ୍କା ପାରିପାର୍ଶ୍ବିକ ଉନ୍ନୟନ ସମିତି ପାଖରେ ଜମା ଦେଇଥିଲେ। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ‌ପ୍ରଦାନ କରିଥିଲା। ସେହି ସମୟରେ ଦିଲୀପ ତିର୍କି ନିଜ ରାଜ୍ୟସଭା ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଦେଇଥିଲେ। ଅନ୍ୟପ‌ଟେ ୨୦୧୭-୧୮ ଆର୍ଥିକ ବର୍ଷରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରୁ ପ୍ରଥମ ପ୍ରକଳ୍ପ ଭାବେ ସଉନମରା ପଡ଼ିଆ ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏଥିପାଇଁ ଆବଶ୍ୟକ ଗ୍ରାମସଭା ପ୍ରସ୍ତାବ ମଧ୍ୟ ଗୃହୀତ ହୋଇସାରିଥିଲା। ତେବେ କେବଳ ସାଂସଦ ପାଣ୍ଠିର କୋଟିଏ ଟଙ୍କାରେ ପୂର୍ତ୍ତ ବିଭାଗ ପଡ଼ିଆକୁ ସମତୁଳ କରି ପିଚୁ କାମ ଓ ପଡ଼ିଆ ଚାରିପ‌ଟେ ଡ୍ରେନ କାମ ସାରି ଦେଇ ଚୁପ୍‌ ବସିଛି ବିଭାଗ। ଟର୍ଫ, ଗୋଲ୍‌ ପୋଷ୍ଟ ଓ ଚାରିପଟେ ତାର ଜାଲି ଫେନ୍ସିଂ କାମ ବାକି ରହିଛି। ଏହାର ବ୍ୟୟ ଅଟକଳ ଥିଲା ସାଢ଼େ ୫ କୋଟି ଟଙ୍କା। କିନ୍ତୁ ପୂର୍ତ୍ତ ବିଭାଗ ସେ କାମ ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନକରିବାରୁ ଅନୁଦାନ ସବୁ ଧିରେଧିରେ ଫେରସ୍ତ ହୋଇଯାଉଥିବା ପ୍ରକାଶ ପାଇଛି।

ଏହା ମଧ୍ୟରେ ଗତ ହକି ବିଶ୍ବକପ୍‌ ସମୟରେ ସୁନ୍ଦରଗଡ଼ର ପ୍ରତି ବ୍ଲକ୍‌ରେ ଗୋଟିଏ ଗୋଟିଏ ଆଷ୍ଟ୍ରୋଟର୍ଫ ନିର୍ମାଣ କରାଯିବ ‌ବୋଲି ଆଉ ଏକ ସ୍ବପ୍ନ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ପଦ୍ମଶ୍ରୀ ଦିଲୀପ ତିର୍କି ସମେତ ଭାରତୀୟ ମହିଳା ହକିର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ଅମିତ ରୋହିଦାସ, ଦୀପସାନ ତିର୍କି ଓ ଲୁଲକିଡିହିର ହକି ଖେଳାଳି ଦୁଇ ଭାଇ ପ୍ରବୋଧ ତିର୍କି ଓ ଇଗ୍ନେସ ତିର୍କି, ଭାରତୀୟ ମହିଳା ହକିର ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ସୁନିତା ଲାକ୍ରାଙ୍କ ସମେତ ଜିଲ୍ଲାର ଚର୍ଚ୍ଚିତ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅନୁପ ବାର୍ଲା, ଆନନ୍ଦ ଲାକ୍ରା, ନୀଲମ ସଞ୍ଜୀବ ଖେସ୍‌, ମାରିଆନା କୁଜୁର, ରଶ୍ମିତା ମିଞ୍ଜଙ୍କ ପରି ୬୦ରୁ ଅଧିକ ଦକ୍ଷ ଖେଳାଳିଙ୍କୁ ଜନ୍ମ ଦେଇଥିବା ହକିର ଗଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ଭେଟି ବୋଲି କୁହାଗଲା। ଏବେ ଅଲିମ୍ପିକ୍ସରୁ କାଂସ୍ୟ ପଦକ ଆଣିବା ପରେ ସାରା ଓଡ଼ିଶା ତଥା ଦେଶର ନଜର ଅମିତଙ୍କ ଗାଁ ସଉନାମୁରାରେ ଅଟକିଛି। ଏସ୍ଥିତିରେ ସଉନମରାର ହକି ଟର୍ଫ ଅଧାରେ ଅଟକି ରହିବା ବିଡ଼ମ୍ବନା ନିଶ୍ଚୟ। ଏହା ବ୍ୟତୀତ ଅଲିମ୍ପିଆନ୍ ତଥା ଦେଶର ଗୌରବଙ୍କ ପ୍ରତି ସରକାରଙ୍କ ସମ୍ମାନ ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ।

ସମ୍ବନ୍ଧିତ ଖବର