ବୀରମିତ୍ରପୁର: ବାହାରୁ ଚକ୍ଚକ୍ ଭିତରୁ ଫମ୍ପା ଏଭଳି ଦୃଶ୍ୟ ଦେଖାଦେଇଛି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟରେ ମୋ ସରକାର ଓ ୫ଟି ଭଳି ମେଗା ଯୋଜନା କାର୍ଯ୍ୟ କରୁଥିବାବେଳେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏହାର ଏକ ବ୍ୟତିକ୍ରମ। ଡାକ୍ତରଖାନା ବିଲଡିଂଙ୍କୁ ବାହାରୁ ରଙ୍ଗଦେଇ ଚକାଚକ କରାଯାଇଛି। ଡାକ୍ତରଖାନା ବାହାରେ ଆଇ ଲଭ ବୀରମିତ୍ରପୁର ସିଏଚ୍ସି ଲେଖାଯାଇଛି` ହେଲେ ଡାକ୍ତରଖାନା ଭିତରେ ଫମ୍ପା ପରିଲକ୍ଷିତ ହୋଇଛି।
ଏଠାରେ ପ୍ରକାଶ ଥାଉକି ଆଗରୁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୬ ବେଡ ବିଶିଷ୍ଟ ରହିଥିବାବେଳେ ବର୍ତ୍ତମାନ ଏହାକୁ ସମ୍ପ୍ରସାରଣ କରାଯାଇ ୩୦ ବେଡ ବିଶିଷ୍ଟ କରାଯିବାକୁ ସମସ୍ତ ପ୍ରକ୍ରିୟା ସରିଛି। ଡାକ୍ତରଖାନାରେ ନୂତନ କୋଠା ନିର୍ମାଣ କରାଯାଇ ଖାଲି ବେଡ ସଂଖ୍ୟା ବଢ଼ାଇ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିଥିବା ପରିଲକ୍ଷିତ ହୋଇଛି। ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉଟଡୋରରେ ମାସକୁ ୬ହଜାରରୁ ଊର୍ଦ୍ଧ୍ବ ରୋଗୀ ନିଜର ଚିକିତ୍ସା ପାଇଁ ଆସୁଥିବା ଜଣାପଡିଛି। ଏହି ଡାକ୍ତରଖାନାରେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମାସକୁ ୫ଶହରୁ ଅଧିକ ରୋଗୀ ଭର୍ତି ହୋଇ ଚିକିତ୍ସିତ ହେଉଥିବାବେଳେ ଡାକ୍ତରଖାନାରେ ଡାକ୍ତର ଅଭାବଯୋଗୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ତ୍ତମାନ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବେଡ ଅନୁଯାଇ ଆବଶ୍ୟକ ଡାକ୍ତର ନାହାନ୍ତି। ତିନିଜଣ ଚୁକ୍ତିଭିତ୍ତିକ ଡାକ୍ତର ଜଣେ ଡାକ୍ତର ଡେପୁଟେସନରେ ରହିଛନ୍ତି। ଜଣେ ସ୍ଥାୟୀ ଦାନ୍ତ ଡାକ୍ତର ରହିଥିବାବେଳେ ଡିଏମ୍ଏଫ୍ ପାଣ୍ଠିରୁ ଜଣେ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି।
ହଜାର ହଜାର ରୋଗୀ ଓ ପ୍ରସୂତି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବାବେଳେ କୌଣସି ବିଶେଷଜ୍ଞ ଡାକ୍ତର ଏଠାରେ ନାହାନ୍ତି। ଦାନ୍ତ ଡାକ୍ତର କାଶ, ଜ୍ୱର, ଚିକିତ୍ସା କରୁଛନ୍ତି। କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ର ଅଧିନରେ ରହିଥିବା ବୀରମିତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ସବୁଠୁ ଗୁରୁତ୍ୱପୂର୍ଣ ହେଲା ଏଠାରେ ଏକ୍ସରେ କିମ୍ବା ଅଲଟ୍ରାସାଉଣ୍ଡ ମେସିନ ନଥିବାରୁ ଗର୍ଭବତୀ ମହିଳାଙ୍କୁ ନନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ସମେତ କୁଆରମୁଣ୍ଡା ବ୍ଲକର ଏଗାରଟି ଗ୍ରାମପଞ୍ଚାୟତ ଓ ଏଗାର ୱାର୍ଡ଼ ବିଶିଷ୍ଟ ବୀରମିତ୍ରପୁର ପୌରାଞ୍ଚଳ ଗର୍ଭବତୀ ମହିଳା କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡିଏମ୍ଏଫ୍ ପାଣ୍ଠିରୁ ନିଯୁକ୍ତି ପାଇଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦିନକୁ ମାତ୍ର ୧୫ଜଣ ରୋଗୀଙ୍କ ଓଲଟ୍ରାସାଉଣ୍ଡ କରୁଥିବା ବେଳେ ଭର୍ଭବତୀ ମହିଳାମାନଙ୍କୁ ମାସାଧିକ ଆଗରୁ ଲମ୍ବା ଲାଇନ ଲଗାଇବାକୁ ପଡ଼ିଥାଏ। ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବରେ ଜଣେ ଦାନ୍ତ ଡାକ୍ତର ଦାୟିତ୍ୱରେ ରହିଛନ୍ତି। ଡାକ୍ତରଖାନା ପରିସରରେ ଡାକ୍ତରଙ୍କ ପାଇଁ କ୍ଵାର୍ଟର ରହିଥିଲେ ମଧ୍ୟ ଉକ୍ତ ଅଧିକାରୀ ରାଉରକେଲାରେ ରହୁଥିବାରୁ ସକାଳ ୧୦ଟାରେ ଡାକ୍ତରଖାନା ଆସୁଥିବା ସହ ସନ୍ଧ୍ୟା ୫ଟା ଆଗରୁ ଚାଲିଯାଉଥିବା ଅଭିଯୋଗ ହୋଇଛି। ରୋଗୀସେବା ପାଇଁ ମାତ୍ର ୪ ଜଣ ସ୍ଥାୟୀ ନର୍ସ ରହିଥିବାବେଳେ ଜିଲ୍ଲା ଖଣିଜ ପାଣ୍ଠିରୁ ୪ ଜଣଙ୍କୁ ଥଇଥାନ କରାଯାଇଛି। ଡାକ୍ତର ମରୁଡି ସାଙ୍ଗକୁ ଅନ୍ୟାନ୍ୟ ଡାକ୍ତରଖାନା କର୍ମଚାରୀ ଅଭାବ ଯୋଗୁ ଲୋକେ ସ୍ୱାସ୍ଥ୍ୟସେବା ପାଇବାରେ ବାଧା ଉପୁଜୁଛି।
ଦୁର୍ଘଟଣାଜନିତ ରୋଗୀ କିମ୍ବା ଜରୁରୀକାଳୀନ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରି ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯେଉଁ ଡାକ୍ତର ଏଠାରେ ରହୁଛନ୍ତି, ସେମାନେ ଡାକ୍ତରଖାନାରେ କମ୍ ନିଜ କ୍ଵାର୍ଟରରେ ଅଧିକ ରୋଗୀ ଦେଖିବା ସହ ମୋଟା ଅଙ୍କର ଆଦାୟ କରୁଥିବା ଅଭିଯୋଗ ହୋଇଛି। ଡାକ୍ତରଖାନରେ କୌଣସି ବିଶେଷଜ୍ଞ ଡାକ୍ତର ନଥିବାରୁ ଲୋକମାନେ ରାଉରକେଲା ଠାରେ ବିଭିନ୍ନ ଘରୋଇ ଡାକ୍ତରଖାନା ଗୁଡିକରେ ନିଜ ଚିକିତ୍ସା କରାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏକ୍ସରେ ଓ ଅଲଟ୍ରାସାଉଣ୍ଡ ମେସିନ ସାଙ୍ଗକୁ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞଙ୍କ ସମେତ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍ ନର୍ସ ଓ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏସମ୍ପର୍କରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀରଞ୍ଜନ ଶତପଥିଙ୍କୁ ପଚରା ଯିବାରୁ ସାରା ଜିଲ୍ଲାରେ ଥିବା ଡାକ୍ତରଖାନାଗୁଡ଼ିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ରାଜ୍ୟ ସରକାର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେଲେ ଯାଇ ଜିଲ୍ଲାରେ ବିଭିନ୍ନ ବ୍ଲକ୍ରେ ଥିବା ଡାକ୍ତରଖାନାରେ ଥଇଥାନ କରାଯିବ ବୋଲି ସେ କହିଥିଲେ।