ରାଉରକେଲା: ରାଉରକେଲାକୁ ରେଳବାଇର କ୍ରମାଗତ ଅବହେଳା ଅନ୍ତ ହେବାର ନାଁ ନେଉନି। ଓଡ଼ିଶାର ବିଭିନ୍ନ ରେଳଷ୍ଟେସନ ନୂଆ ରୂପ ପାଇସାରିଥିବାବେଳେ ରାଉରକେଲା ରେଳ ଷ୍ଟେସନର ଭାଗ୍ୟ କିନ୍ତୁ ଫିଟିନି। ଛଅ ଦଶନ୍ଧି ପୁରୁଣା ବିମଳାଗଡ଼-ତାଳଚେର ରେଳପଥ ପ୍ରକଳ୍ପ ପାଇଁ ଏଯାଏଁ ଜମିଅଧିଗହଣ ସଂପୂର୍ଣ୍ଣ ହୋଇନି। ଦ୍ବିତୀୟ ବନ୍ଦେଭାରତ ଚଳାଚଳ ଆରମ୍ଭଠାରୁ ଅନ୍ୟାନ୍ୟ ଦ୍ରୁତଗାମୀ ଟ୍ରେନ୍‌ ସେବା ପର୍ଯ୍ୟନ୍ତ, ସବୁଥିରେ ରାଉରକେଲାକୁ ଅଣଦେଖା କରାଯାଉଛି। ଏବେ ରାଉରକେଲା ରେଳ ମଣ୍ଡଳ ସ୍ଥାପନରେ ରାଉରକେଲା ପ୍ରତି ବୈମାତୃକ ମନୋଭାବ, ପଦାରେ ପଡ଼ିଯାଇଛି। ଏଠାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବାସତ୍ତ୍ବେ ରାଉରକେଲାକୁ ବିଚାରକୁ ନନେଇ ରାୟଗଡ଼ାରେ ରେଳମଣ୍ଡଳ ସ୍ଥାପନ ଓ ଅର୍ଥ ଅନୁମୋଦନ କରାଯିବାକୁ, ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରିନାହାନ୍ତି।

Advertisment

ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ମିଶାଇ ରାଉରକେଲା ରେଳମଣ୍ଡଳ ସ୍ଥାପନ ଓ ଏହାକୁ ପୂର୍ବତଟ ରେଳପଥରେ ସାମିଲ କରିବା ଦାବି ପଛରେ ନ୍ୟାୟସଙ୍ଗତ ଯୁକ୍ତି ରହିଛି। ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନ ଅଧୀନରେ ରାଉରକେଲା ରହିଛି। ଚକ୍ରଧରପୁର ରେଳ ମଣ୍ଡଳ ପ୍ରାୟ ୭୪୧.୭୦୫ କିଲୋମିଟର ପରିବ୍ୟାପ୍ତ ହୋଇଥିବାବେଳେ ଏଥିମଧ୍ୟରୁ ଓଡ଼ିଶାରେ ୪୦୫.୯୦୭ କିଲୋମିଟର ରହିଛି। ଚକ୍ରଧରପୁର ମଣ୍ଡଳର ବାର୍ଷିକ ରାଜସ୍ବର ୫୦ ପ୍ରତିଶତରୁ ଅଧିକ ରାଉରକେଲାରୁ ହିଁ ଆଦାୟ ହେଉଛି। ଚକ୍ରଧରପୁର ଡିଭିଜନରେ ବାର୍ଷିକ ପ୍ରାୟ ୧୮୦ ମିଲଅନ ଟନ୍‌ ବିଭିନ୍ନ ସାମଗ୍ରୀ, ଯଥା-ଲୁହାପଥର, କୋଇଲା, ପିଗ୍‌ ଆଇରନ, ଇସ୍ପାତ, ପେଟ୍ରୋଲିୟମ ସାମଗ୍ରୀ, ସିମେଣ୍ଟ୍‌, ଖାଦ୍ୟ ସାମଗ୍ରୀ, ସାରବିହନ ଆଦି ଲୋଡିଂ ହେଉଛି। ଏଥିମଧ୍ୟରୁ ୬୦% ସାମଗ୍ରୀ କେବଳ ରାଉରକେଲାରେ ହିଁ ଲୋଡିଂ ହେଉଛି। ପ୍ରସ୍ତାବିତ ରାଉରକେଲା ମଣ୍ଡଳର ତିନି ଜିଲ୍ଲା, ଯଥା-ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ମାଙ୍ଗାନିଜ୍‌, କ୍ରୋମାଇଟ୍, କୋଇଲା, ଲୁହାପଥର, ଚୂନପଥର, କ୍ୱାର୍ଟାଇଟ୍, ବକ୍ସାଇଟ୍, ପିରୋଫାଇଲାଇଟ୍ ଆଦି ବିଭିନ୍ନ ଖଣି ରହିଛି। ଏତଦ୍‌ବ୍ୟତୀତ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି), ଓସିଏଲ୍‌ (ରାଜଗାଙ୍ଗପୁର), ଲିବର୍ଟି ହାଉସ୍‌(କୁଆରମୁଣ୍ଡା), ଏଲ୍‌ ଆଣ୍ଡ୍‌ ଟି(କାଂଶବାହାଲ), ଟାଟା ରିଫ୍ରାକ୍ଟୋରିଜ୍‌(ବେଲପାହାଡ଼), ବେଦାନ୍ତ (ଝାରସୁଗୁଡ଼ା) ଆଦି ଏକାଧିକ ଶିଳ୍ପସଂସ୍ଥା ରହିଛି। ଏଣୁ ରାଉରକେଲା ରେଳ ମଣ୍ଡଳ ସ୍ଥାପନ ହେଲେ ଅଧିକ ରାଜସ୍ବ ଆଦାୟ ହେବା ସ୍ପଷ୍ଟ। ରାଉରକେଲାରୁ ମାତ୍ର ୬ କିଲୋମିଟର ଦୂରତାରେ ଥିବା ବନ୍ଧମୁଣ୍ଡାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଏଠାରେ ଏସିଆର ଦ୍ବିତୀୟ ବୃହତ୍ତମ ରେଲୱେ ଷ୍ଟକ୍‌ୟାର୍ଡ ଅବସ୍ଥିତ। ଏହାସହ ବନ୍ଧମୁଣ୍ଡାରେ ପର୍ଯ୍ୟାପ୍ତସଂଖ୍ୟକ କ୍ବାର୍ଟର, ରେଲୱେ ହସପିଟାଲ ଆଦି ରହିଛି। ଏତଦ୍‌ବ୍ୟତୀତ ନିକଟ ଅତିତରେ ଷ୍ଟିଲ୍‌ କରିଡର, ରାଉରକେଲା-ଝାରସୁଗୁଡ଼ା(୧୦୦ କିଲୋମିଟର), ରାଉରକେଲା-ଜରୈକେଲା(୩୦ କିଲୋମିଟର), ରାଉରକେଲା-ବରସୁଆଁ-ବଲାଣି-ମେଗାଟାବୁରୁ-କିରିବୁରୁ-କେନ୍ଦୁଝର(୨୦୦ କିଲୋମିଟର), ରାଉରକେଲା-ବିମଳାଗଡ଼-ତାଳଚେର(୧୯୫ କିଲୋମିଟର), ରାଉରକେଲା-ବୀରମିତ୍ରପୁର(୩୦ କିଲୋମିଟର), କଳୁଙ୍ଗା-ଲାଠିକଟା(୨୯ କିଲୋମିଟର) ଏବଂ ଜନଜାତୀୟ ଗୌରବ କରିଡର, ଯଥା-ଝାରସୁଗୁଡ଼ା-ସରଡେଗା-ସୁନ୍ଦରଗଡ଼-ପଥଲଗାଁଓ(୧୨୮ କିଲୋମିଟର) ଓ ଧର୍ମଜୟଗଡ଼-ଲୋହାରଡେଗା(୨୪୦ କିଲୋମିଟର) ଘୋଷଣା କରାଯାଇଛି।