‘ଅଫିସ୍‌ ଅଫ୍ ପ୍ରଫିଟ୍‌’ ଅଭିଯୋଗ, ଅଡ଼ୁଆରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ

ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲାପାଳ ଦେଲେ ରିପୋର୍ଟ

ରାଉରକେଲା :‘ଅଫିସ ଅଫ୍ ପ୍ରଫିଟ୍‌’ ଅଭିଯୋଗ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ପାଇଁ ଅଡ଼ୁଆ ବଢାଉଛି। ବିଧାନସଭା ନିର୍ବାଚନ ନାମାଙ୍କନପତ୍ରରେ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଏବଂ ସେଥିରୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କିତ ତଥ୍ୟ ଉଲ୍ଲେଖ କରି ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏ ସମ୍ପର୍କିତ ଏକ ତଦନ୍ତ ରିପୋର୍ଟ ଗତ ମାସରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବା ପରେ ସମସ୍ତଙ୍କ ନଜର ନିର୍ବାଚନ କମିସନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ। ନିର୍ବାଚନର ଦେଢବର୍ଷ ପରେ ବିଧାୟିକାଙ୍କୁ ନେଇ ଚର୍ଚ୍ଚା ‌‌ଜୋର୍‌ ଧରିଥିବାରୁ ପ୍ରଶାସନିକ ତନାଘନା ସହ ରାଜନୈତିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି।
ସୁନ୍ଦରଗଡ଼ ପୌରପାଳିକା ୱାର୍ଡ ନମ୍ବର ୨ ନିବାସୀ ଜଗଦୀପ ପ୍ରସାଦ ଦେଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ରାଜ୍ୟପାଳଙ୍କ ନିକଟରେ ୨୦୨୦ ମସିହା ଜାନୁଆରି ୨୭ ତାରିଖ ଦିନ ‘ ଅଫିସ୍‌ ଅଫ୍‌ ପ୍ରଫିଟ୍‌’ ଅଭିଯୋଗ ଆଣିଥିଲେ। ରାଜଭବନର ପ୍ରମୁଖ ସଚିବ ୨୦୨୦ ଫେବ୍ରୁଆରି ୧୪ ତାରିଖ ଦିନ ଏହାର ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିଲେ। ୨୦୨୦ ଅଗଷ୍ଟ ୧୮ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ମୁଖ୍ୟ ନିର୍ବାଚନ କାର୍ଯ୍ୟା‌ଳୟ ପକ୍ଷରୁ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକପତ୍ର ଲେଖାଯାଇ ରିପୋର୍ଟ ତଲବ କରାଯାଇଥିଲା।
ରାଜ୍ୟ ସରକାରଙ୍କ ଚିଠି ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଏ ସମ୍ପର୍କିତ ଏକ ରିପୋର୍ଟ ଗତ ୨୦୨୦ ନଭେମ୍ବର ମାସ ୪ ତାରିଖ ଦିନ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଠାଇଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ରିପୋର୍ଟ ଆଧାରରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଦେଇଛନ୍ତି। ଜିଲ୍ଲାପାଳଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ବିଧାୟିକା ଭାବେ ନିର୍ବାଚିତ ହେବା ପୂର୍ବରୁ କୁସୁମ ଟେଟେ ୨୦୧୯ ଫେବ୍ରୁଆରି ୪ ତାରିଖ ଦିନ ସୁନ୍ଦରଗଡ଼ ‌ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଦାୟିତ୍ବ ନେଇଥିଲେ। ଏହା ପୂର୍ବରୁ ସେ ଉପାଧ୍ୟକ୍ଷା ଦାୟିତ୍ବରେ ମଧ୍ୟ ରହିଥିଲେ। ଅଧ୍ୟକ୍ଷା ଦାୟିତ୍ବରେ ଥିବା ବେଳେ ତାଙ୍କୁ ଦରମା ବାବଦକୁ ମାସିକ ୩୮ ହଜାର ଟଙ୍କା, ପ୍ରଦିଦିନ ଭତ୍ତା ୮୦ ଟଙ୍କାଟ ଲେଖାଏଁ, ବୈଠକ ବାବଦକୁ ଦୈନିକ ଭତ୍ତା ୨୨୦ ଟଙ୍କା, ଗାଡ଼ି ବାବଦକୁ ମାସିକ ୩୦ ହଜାର ଟଙ୍କା ଏବଂ ଟେଲିଫୋନ ପାଇଁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରା ଯାଉଥିଲା। ଏଥିସହ ତାଙ୍କର ଜଣେ ବ୍ୟକ୍ତିଗତ ସହାୟକ (ପିଏ), କାର୍ଯ୍ୟାଳୟ ସହାୟକ ଓ ଆଟେଣ୍ଡାଣ୍ଟ ଖର୍ଚ୍ଚ ମଧ୍ୟ ସରକାର ତୁଲାଉଥିଲେ। ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ସେ ଏ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ କରି ନଥିଲେ।
ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ଲଢିବା ପାଇଁ ସେ ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାପତ୍ର କୁଆଡେ ଗ୍ରହଣ ହୋଇ ନଥିଲା। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇ ୨୦୧୯ ମାର୍ଚ୍ଚ ୨୬ ତାରିଖ ଦିନ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ପରେ ଅଗଷ୍ଟ ମାସରେ ବିନୟ ଟପ୍ପୋ ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ପଦ‌ବି ପାଇଥିଲେ। ଏହି ସମୟ ମଧ୍ୟରେ କୁସୁମ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ହାତେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପ୍ରମାଣିତ ହେଲେ କୁସୁମଙ୍କ ବିଧାୟକ ପଦ ଯିବା ସମ୍ଭାବନା ଥିବାର ଚର୍ଚ୍ଚା ସୁନ୍ଦରଗଡ଼ ରାଜନୀତିରେ ବର୍ତ୍ତମାନ ଜୋର୍‌ ଧରିଛି।

 

ସମ୍ବନ୍ଧିତ ଖବର