ବଦଳିଲା ସରକାର, ତତ୍ପର ହେଲେ ଅଧିକାରୀ

ଆର୍‌ଏମ୍‌ସିକୁ ଏବେ ବସ୍ତିର ବିକାଶ ଚିନ୍ତା

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ ଗତ ୧୧ ବର୍ଷ ଧରି ହୋଇନି। କୌଣସି ପ୍ରତିନିଧି ନଥିବାରୁ ପ୍ରତ୍ୟେକ ବିଭାଗରେ ଅଫିସରରାଜ ଚାଲିଛି। ଆଉସ୍‌ସୋର୍ସିଂ ସଂସ୍ଥାର ଠିକା କର୍ମଚାରୀ ଓ ଅଧିକାରୀମାନେ ମନଇଛା କାମ କରୁଥିଲେ। ଅଧିକାଂଶ କାମ ବିନା ଟେଣ୍ଡରରେ କରାଯାଉଥିବା ଅଭିଯୋଗ ହେଉଥିଲା। ରାଜନୈତିକ ଦଳଗୁଡ଼ିକ ପ୍ରତିବାଦ କରୁଥିଲେ ହେଁ, ବିଭାଗୀୟ ଅଧିକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିଲା। ସରକାର ବଦଳିଲା ପରେ ଉଭୟ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଘାରିଛି। ଦିନେ ବସ୍ତି ଓ କଲୋନିବାସୀଙ୍କ ସମସ୍ୟା ଶୁଣିବାକୁ ଯେଉଁ ଅଧିକାରୀମାନଙ୍କ ପାଖରେ ସମୟ ନଥିଲା, ଏବେ ସେମାନେ ଖୁବ୍‌ ତତ୍ପର ହୋଇପଡିଥିବା ଦେଖିବାକୁ ମିଳୁଛି। କେବଳ ଆର୍‌ଏମ୍‌ସି ଅଧିକାରୀ ଓ କର୍ମଚାରୀ ନୁହଁନ୍ତି, ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଫୁଲ ଦମ୍‌ରେ ଲାଗିପଡିଛନ୍ତି। ଆସନ୍ତା ଜୁଲାଇ ୨ରୁ ୧୨ ତାରିଖ ମଧ୍ୟରେ ୪ଟି ସ୍ଥାନରେ ବସ୍ତିବାସିନ୍ଦାଙ୍କ ସମସ୍ୟା ଶୁଣିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ୨ରେ ୱାର୍ଡ ନଂ ୪ ଓ ୫ ଅନ୍ତର୍ଗତ ପାନ‌ୋପଷ ବସ୍ତି, ଟୁଙ୍ଗୁରିଟୋଲା, ଜଗନ୍ନାଥ କଲୋନି, ପ୍ରଧାନପାଲୀ, ବନ୍ଧପୋଷ, ତପସ୍ୟାନଗର, ତୁଳସୀଟୋଲା, ଟିସ୍କୋ କଲୋନି, କିସାନ ଟୋଲା, ଛେଣ୍ଡ ବସ୍ତି, କୌଶଲ୍ୟାନଗର ଓ ଫାଦର କଲୋନିବାସିନ୍ଦାଙ୍କ ପାଇଁ କଳିଙ୍ଗ ବିହାର ବିଦ୍ୟାଳୟରେ ଅଭିଯୋଗ ଶୁଣାଯିବ। ୫ରେ ୱାର୍ଡ ନଂ ୧୧ ଓ ୧୨ ଅନ୍ତର୍ଗତ ଗଙ୍ଗାଧରପାଲି, କେଶରୀନଗର, ରିଜର୍ଭ ଲାଇନ୍‌, କୋଏଲ ବ୍ୟାଙ୍ଗ, ଗିରିଜା ଟୋଲି, ଖଡ଼ିଆ ବାହାଲ, ଲକ୍ଷ୍ମୀନଗର, ଆଇଟିଆଇ କଲୋନି, ଶାନ୍ତିନଗର, ରାମ ନଗର, ନେତାଜୀ ନଗର, ଜେଲ କଲୋନି, ଏଫ୍‌ସିଆଇ ବସ୍ତି ଓ ଲେବରଟେନାମେଣ୍ଟ ବସ୍ତିବାସିନ୍ଦାଙ୍କ ଦୁଃଖ ଶୁଣିବେ ଉଭୟ ପ୍ରଶାସନ ଓ ଆର୍‌ଏମ୍‌ସି ଅଧିକାରୀ। ଏଥିପାଇଁ ଲେବରଟେନାମେଣ୍ଟ କଲ୍ୟାଣମଣ୍ଡପରେ ସକାଳ ସାଢ଼େ ୮ଟାରେ ଶୁଣାଣୀ ହେବ। ୯ ତାରିଖରେ ୱାର୍ଡ ନଂ ୧ ଓ ୨ ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଗାଁର (କିଛି ଅଂଶ), ସାନବ୍ରାହ୍ଣୀତରଙ୍ଗ, ବୁରୁଟୋଲା, ଗୋପପାଲି, ସିଂଟୋଲା ଓ ନଦୀଟୋଲା ବାସିନ୍ଦାଙ୍କ ପାଇଁ ବୁରୁଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣୀ କରାଯିବ। ଅନୁରୂପ ଭାବେ ଆସନ୍ତା ୧୨ ତାରିଖରେ ୱାର୍ଡ ନଂ ୩ ଅନ୍ତର୍ଗତ ଝାଡ଼ତରଙ୍ଗର ବୈକୋଟୋଲା, ଓରାମ ଟୋଲା, ବନ୍ଧଟୋଲା, ପାତ୍ର ଟୋଲା, ମୁଣ୍ଡାରୀ ଟୋଲା, ତନ୍ତୀ ଟୋଲା, ଇନ୍ଦରାଆବାସ କଲୋନି ସମେତ ଅନ୍ୟ କିଛି ଅଞ୍ଚଳବାସିନ୍ଦାଙ୍କ ପାଇଁ ବନ୍ଧଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣୀ ହେବ। ହେଲେ ବର୍ଷ ବର୍ଷ ଧରି ଏସବୁ ବସ୍ତିର ସମସ୍ୟା ଶୁଣିବାକୁ ସେମିତି କୌଣସି ଅଭିଯୋଗ ଶୁଣାଣୀ ହେଉ ନଥିଲା। ତେବେ ସରକାରଙ୍କ ଏଭଳି ପଦକ୍ଷେପକୁ ବସ୍ତିବାସିନ୍ଦା ସ୍ବାଗତ କରିଛନ୍ତି। ଅଭିଯୋଗଗୁଡ଼ିକର ସମାଧାନ କେତେ ସମୟ ମଧ୍ୟ ହେଉଛି ? ପୂର୍ବରୁ ଅଧିକାଂଶ କାମରେ ହୋଇଥିବା ଦୁର୍ନୀତିର କି ପ୍ରକାର ତଦନ୍ତ ହେଉଛି ? ଯେଉଁ ଅଧିକାରୀ ଓ କର୍ମଚାରୀ ଏଭଳି ବେଆଇନ କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ ବିଭାଗ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ? ତା’ ଉପରେ ସହରବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର