ଜାତୀୟ ରାଜପଥରୁ ତେଲ ବୋଝେଇ ଟ୍ରକ ଲୁଟ, ୨ ଗିରଫ

ଜିଏସଟି ଫାଙ୍କି ଖୋଲିଲା ଗୁମର

ରାଉରକେଲ : ଜାତୀୟ ରାଜପଥରୁ ତେଲ ବୋଝେଇ ଟ୍ରକ ଲୁଟର ପର୍ଦାଫାସ କରିଛି ଜିଏସଟି ବିଭାଗ l କୁଆରମୁଣ୍ଡା ଫାଣ୍ଡି ପୁଲିସ ଦୁଇ ଲୁଟେରାକୁ ଗିରଫ କରିଛି l ଅନ୍ୟ ଚାରି ଫେରାର ହୋଇ ଯାଇଛନ୍ତି। ଲୁଟେରାଙ୍କ ମାଡରେ ଟ୍ରକ ଡ୍ରାଇଭର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଲୁଟେରା ତେଲ ବୋଝେଇ ଏକ ଟ୍ରକ୍‌କୁ ଲୁଟ କରି ଓଡ଼ିଶାରୁ ବିହାର ମୂଝାଫରପୁର ନେଇ ଯାଉଥିଲେ । କୁଆରମୁଣ୍ଡାରେ ଫାଣ୍ଡି ପୁଲିସ, ଜିଏଟି ଟିମ ତେଲ ବୋଝେଇ ଟ୍ରକ୍‌କୁ ଜବତ କରିବା ପରେ ଜଣାପଡିଥିଲା ପୂରା ଘଟଣା।

ମିଳିଥିବା ସୂଚନା ମୁତାବକ, ଗତ ୯ ତାରିଖରେ ଏକ ୧୪ ଚକିଆ ଟ୍ରକ୍‌ରେ ରିଫାଇନ ତେଲ ବୋଝେଇ ହୋଇ ହଳଦିଆରୁ ଝାରସୁଗୁଡ଼ା ଆସୁଥିଲା। କେନ୍ଦୁଝର ତେଲକୋଇ ନିକଟରେ ୨ଟି ଟ୍ରକରେ ୬ ଜଣ ଲୁଟେରା ପିଛା କରି ଉକ୍ତ ଟ୍ରକ୍‌କୁ ଅଟକାଇଥିଲେ। ପରେ ସେମାନେ ଡ୍ରାଇଭର, ହେଲପରଙ୍କୁ ମାଡ଼ ମାରି ନିଶା ଦେଇ ଗାଡ଼ିରୁ ଫିଙ୍ଗି ଦେଇଥିଲେ।

ଏହାପରେ ନିଜେ ଆଣିଥିବା ୨ଟି ଟ୍ରକ୍‌ରେ ତେଲ ପେଟି ଗୁଡିକୁ ଲୋଡ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଣା ଟ୍ରକ୍‌ଟିକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।ଏହାପରେ ଗୁରୁତର ହୋଇଥିବା ଡ୍ରାଇଭର, ହେଲପର ସ୍ଥାନୀୟ ଲୋକଙ୍କ ସହାୟତାରେ ଗତ ୧୦ରେ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇ ଥିଲେ l ୧୧ରେ ଏ ସଂକ୍ରାନ୍ତରେ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଗତକାଲି କୁଆରମୁଣ୍ଡାରୁ ଜିଏସଟି ବିଭାଗ ଅଧିକାରୀ ୨ଟି ଟ୍ରକ୍‌କୁ ଜବତ କରି କାଗଜପତ୍ର ଯାଞ୍ଚ କରିଥିଲେ । ଗାଡ଼ିରେ ଖାଇବା ତେଲ ଚୋରା ଚାଲାଣ ହେଉଥିବା ଜାଣି ଗାଡ଼ିକୁ କୁଆଁରମୁଣ୍ଡା ଫାଣ୍ଡିକୁ ହସ୍ତାନ୍ତର କରିଥିଲେ l ଉଭୟ ଟ୍ରକ୍ କାଗଜପତ୍ର ଠିକ୍ ନ ଥିବା ପୁଲିସ୍ ସୂଚନା ଦେଇଥିଲା । ଟ୍ରକ୍ ନେଇ ଯାଉଥିବା ୨ ଲୁଟେରାଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି l ସୂଚନା ପାଇବା ପରେ ଆହତ ଆଜି ଡ୍ରାଇଭର, ହେଲପର ଓ ଗାଡ଼ି ମାଲିକ କୁଆରମୁଣ୍ଡା ଫାଣ୍ଡିରେ ପହଞ୍ଚିଛନ୍ତି l ଜିଏସଟି ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି l

 

ସମ୍ବନ୍ଧିତ ଖବର