ରାଉରକେଲା: ଚଳନ୍ତା କାର ଉପରେ ଗଛ ପଡ଼ିବାରୁ ବ୍ୟବସାୟୀଙ୍କ ମୃତ୍ୟୁ

ରାଉରକେଲା(ଡମ୍ବରୁଧର ନାୟକ): ଚଳନ୍ତା କାର ଉପରେ ଗଛ ପଡ଼ିବାରୁ ମଙ୍ଗଳବାର ରାତି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଷ୍ଟିଲ ସିଟି ରାଉରକେଲା ଠାରେ ରାତି ୯ଟାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁଦ୍ୱାର ରୋଡସ୍ଥିତ ‘ହୋଟେଲ ଅନୁରାଗ’ର ମାଲିକ ଅନୁପ ଅଗ୍ରଓ୍ଵାଲ ନିଜ ଘରକୁ ଫେରୁଥିବା ବେଳେ ଚଳନ୍ତା କାର ଉପରେ ରାସ୍ତାକଡ଼ରେ ଥିବା ଶୁଖିଲା ଗଛ ଢଳି ପଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲଙ୍କୁ ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଅନୁପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ହୋଟେଲ ମାଲିକ ଅନୁପ ଅଗ୍ରଓ୍ଵାଲ ଉଦୀତ ନଗର ଆରଡିଏ ରୋଡରେ ନିଜ ଓ୍ଵାଗନର କାର(ଓଆର୧୪ଏ ୧୬୧୪)ରେ ଘରକୁ ଫେରୁଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ଏକ ବର୍ଷ ତଳେ ସହରର ଜଣେ ଯୁବକ ପ୍ରସାଦ କୁନ୍ଦନ ଯାଦବ ରାଉରକେଲା ସହରରେ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ଗୁଡ଼ିକୁ କାଟିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ। ଏଥି ସହିତ ସେ ଗତ ଜୁଲାଇ ୧୬ରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର