ରାଜଗାଙ୍ଗପୁର: ରାଜଗାଙ୍ଗପୁର ଶିଳ୍ପନଗରୀରେ ଶ୍ରମ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ଶିଳ୍ପସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା ଠିକାଦାରମାନେ ବିନା ଅନୁମତିରେ ରାଜ୍ୟବାହାରୁ ଶ୍ରମିକ ଆଣି ନିୟୋଜିତ କରୁଥିବା ଜଣାପଡ଼ିଛି। ସ୍ଥାନୀୟ ଏକ ରେଳପ୍ରକଳ୍ପ କାମ ପାଇଁ ବାଙ୍ଗଲାଦେଶୀ ଶ୍ରମିକମାନେ ଆସିଥିବା ଅଭିଯୋଗ ହେଉଛି। ଫଳରେ ସ୍ଥାନୀୟ ଶ୍ରମଜୀବୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଓଡ଼ିଶା ଶ୍ରମ ନିୟମ ଅନୁଯାୟୀ ରାଜ୍ୟବାହାରୁ ଶ୍ରମିକ ଆଣି କୌଣସି କାରଖାନାରେ ନିଯୁକ୍ତକଲେ ଅନୁମତିର ଆବଶ୍ୟକତା ରହିଛି। ଠିକାଦାର ଯେଉଁ ରାଜ୍ୟରୁ ଶ୍ରମିକଙ୍କୁ ଆଣିଛନ୍ତି ସେମାନଙ୍କର ସମସ୍ତ ତଥ୍ୟ ସହିତ ପ୍ରଥମେ ସେହିରାଜ୍ୟର ଶ୍ରମବିଭାଗଠାରୁ ଅନୁମତି ଆଣିବା ସହିତ ଓଡ଼ିଶା ଶ୍ରମବିଭାଗ ନିକଟରେ ଏକ ମାଇଗ୍ରେଟେଡ୍ ଲେବର ଲାଇସେନ୍ସ ନେବାର ନିୟମ ରହିଛି। ଯେଉଁ କମ୍ପାନି ଉକ୍ତ ଶ୍ରମିକଙ୍କୁ ନିୟୋଜିତ କରିବ ସେ ମଧ୍ୟ ଶ୍ରମ ବିଭାଗକୁ ଜଣାଇବ। ଏହି ପ୍ରକ୍ରିୟାରେ ୩ଟି ସଂସ୍ଥା ବାହାରରାଜ୍ୟର ଶ୍ରମବିଭାଗ, ଓଡ଼ିଶା ରାଜ୍ୟ ଶ୍ରମବିଭାଗ, କମ୍ପାନି ଓ ଠିକାଦାରଙ୍କ ମଧ୍ୟରେ ଯୋଗସୂତ୍ର ରଖାଯିବାକୁ ନିୟମ ରହିଥିବାବେଳେ ପ୍ରକୃତପକ୍ଷରେ ସେଗୁଡ଼ିକ ପାଳନ କରାଯାଉନାହିଁ। ରାଜଗାଙ୍ଗପୁରର ଅଧିକାଂଶ କମ୍ପାନି ଏ ଦିଗରେ ଆଖିବୁଜି ଦେଇଛନ୍ତି। କମ୍ପାନିଗୁଡ଼ିକ ଶ୍ରମିକ ନିଯୁକ୍ତିବେଳେ ଠିକାଦାରଙ୍କ ମାଇଗ୍ରେସନ ଲାଇସେନ୍ସ ଅଛିକି ନାହିଁ, ତାହାର ଯାଞ୍ଚ କରିନଥାନ୍ତି। ଏହି ସୁଯୋଗରେ ଠିକାଦାର ବିନା ଅନୁମତିରେ ବାହାରାରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତ କରିବାକୁ ସୁଯୋଗ ପାଇଥାନ୍ତି। ଅନ୍ୟପକ୍ଷରେ ରାଜ୍ୟ ଶ୍ରମବିଭାଗ ନିକଟରେ ସମସ୍ତ ତଥ୍ୟ ରହିବା ସହିତ ନିୟମିତ ଭାବେ ଯାଞ୍ଚ କରିବା କଥା। ମାତ୍ର ଶ୍ରମବିଭାଗ ବି ନିରବଦ୍ରଷ୍ଟା ସାଜିଛି। ଫଳରେ କେତେଜଣ ରାଜ୍ୟବାହାରୁ କାମ କରିବା ପାଇଁ ଓଡ଼ିଶାକୁ ଆସିଛନ୍ତି ତା’ର ତଥ୍ୟ ବିଭାଗ ପାଖରେ ରହିନଥାଏ। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେବାର ଆବଶ୍ୟକତା ରହିଛି।