ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଖଏରଟୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)। ଜଣେ ମାତ୍ର ଡାକ୍ତର ଅଛନ୍ତି। ୮ ଘଣ୍ଟା ଡ୍ୟୁଟି ପରିବର୍ତ୍ତେ, ରହୁଛନ୍ତି ମାତ୍ର ୨ରୁ୩ ଘଣ୍ଟା। ଅନେକ ଆଶା ଓ ଭରସା ନେଇ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଆସୁଛନ୍ତି। ଘଣ୍ଟା ଘଣ୍ଟା ଧରି ରୋଗୀ ଓ ତାଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଚାହିଁବସୁଛନ୍ତି। ଡାକ୍ତରଙ୍କୁ ନ ପାଇ ‌ନିରାଶ ହୋଇ ଫେରିଯାଉଛନ୍ତି। ଗୁରୁଣ୍ଡିଆ ବ୍ଲକର ବାଙ୍କି, ତାମଡ଼ା, ଜର୍ଡା ଓ ସୋଲ୍‌ରେ ଗୋଟିଏ ଲେଖାଏଁ ପିଏଚ୍‌ସି ରହିଛି। ସୋଲ୍‌ ପିଏଚ୍‌ସିରେ ନିଯୁକ୍ତି ପାଇଥିବା ଡାକ୍ତର ଡେପୁଟେସନ୍‌ରେ ଅନ୍ୟ ଡାକ୍ତରଖାନାକୁ ଯାଇଛନ୍ତି। ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି। କେବେ ଫେରିବେ କାହାକୁ ଜଣା ନାହିଁ। ତାମଡ଼ା, ଜର୍ଡା ଓ ବାଙ୍କିରେ ଡାକ୍ତରମାନେ ଯେତିକି ସମୟ ରହିବା କଥା, ରହୁନାହାନ୍ତି। ଦୈନିକ ୨୦% ରୋଗୀ ଚିକିତ୍ସା ସେବା ପାଉଛନ୍ତି। ବାକି ୮୦% ରୋଗୀ ଡାକ୍ତରକୁ ଅପେକ୍ଷା କରି ଫେରୁଛନ୍ତି।

Advertisment

ବିଶ୍ରା ବ୍ଲକ ଜରେଇକେଲାର ଧାତକଡିହି ପିଏଚ୍‌ସି, କୁଆରମୁଣ୍ଡାର କଚାରୁ, କାଦୋବାହାଲ ଓ ଅଣ୍ଡାଳି ପିଏଚ୍‌ସିରେ ସେହି ସମାନସ୍ଥିତି। ଗୁରୁଣ୍ଡିଆ, ବିଶ୍ରା, ନୂଆଗାଁ ଓ କୁଆରମୁଣ୍ଡା ବ୍ଲକ ନୁହେଁ ସୁନ୍ଦରଗଡ଼ ୧୭ଟି ବ୍ଲକରେ ୫୯ ପିଏଚ୍‌ସିରେ ମାସ ମାସ ଧରି ଲୋକେ ଚିକିତ୍ସାସେବା ପାଉନାହାନ୍ତି। ଖଣି ଅଞ୍ଚଳ କୋଇଡ଼ା ବ୍ଲକରେ ସ୍ଥିତି ଆହୁରି ସଙ୍ଗୀନ। ହେମଗିରି, ଟାଙ୍ଗରପାଲି, ବଡଗାଁ, ଲହୁଣିପଡା, ଲାଠିକଟା, କୁତ୍ରା ଆଦି ବ୍ଲକରେ ରହିଥିବା ପିଏଚ୍‌ସିରେ ଦୈନନ୍ଦିନ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେତେକ ପିଏଚ୍‌ସିରେ ଏଯାଏଁ ଡାକ୍ତର ନାହାନ୍ତି। ଡାକ୍ତର ଅଭାବରୁ କେଉଁଠି ଫାର୍ମାସିଷ୍ଟ ତ ଅନ୍ୟ କେଉଁଠି ନର୍ସମାନେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସଂଧ୍ୟା ହେଲେ ଅଧିକାଂଶ ପିଏଚ୍‌ସିରେ ତାଲା ଝୁଲୁଛି। ଡାକ୍ତର ତ ଦୂରର କଥା ଜଣେ ହେଲେ କର୍ମଚାରୀଙ୍କୁ ଦେଖିବାକୁ ମିଳୁନି। ତଦାରଖ ଦାୟିତ୍ବରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଅଧିକାରୀ ଏଥିପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି। କେବଳ ଏତିକି ନୁହେଁ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ଉପାନ୍ତ ବ୍ଲକର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ପିଏଚ୍‌ସି ପରି ସିଏଚ୍‌ସିଗୁଡ଼ିକ ମଧ୍ୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। କେବଳ ଡାକ୍ତର ନୁହେଁ ଉଭୟ ସିଏଚ୍‌ସି ଓ ପିଏଚ୍‌ସିରେ ୬୯୯ ନର୍ସିଂ ଅଧିକାରୀ ରହିବା ଦରକାର। କୋଇଡ଼ାରେ ବି ସେହି ସମାନ ଅବସ୍ଥା। ବ୍ଲକ ଅନ୍ତର୍ଗତ ସିଏଚ୍‌ସିରେ ୧୧ରୁ ମାତ୍ର ୫ ଜଣ ଡାକ୍ତର ଅଛନ୍ତି। ବିଶ୍ରା ସିଏଚ୍‌ସିରେ ୧୧ରୁ ମାତ୍ର ୩ ଜଣ ଡାକ୍ତର ଅଛନ୍ତି। ୮ ଡାକ୍ତର ପଦ ଖାଲି ପଡ଼ିଛି।

ନୂଆଗାଁ ବ୍ଲକ ହାତୀବାରି ସିଏଚ୍‌ସିରେ ୧୧ରୁ ୪, ଲାଠିକଟା ବ୍ଲକ ଅନ୍ତର୍ଗତ ବିରକେରା ସିଏଚ୍‌ସିରେ ୧୧ରୁ ୭ ଡାକ୍ତର ଅଛନ୍ତି। କୁଆରମୁଣ୍ଡାରେ ୧୧ରୁ ୭, ବୀରମିତ୍ରପୁର ସିଏଚ୍‌ସିରେ ୧୦ ଡାକ୍ତରରୁ ୫ ଜଣ ଅଛନ୍ତି। ୫ ଡାକ୍ତର ପଦ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଏସବୁ ଡାକ୍ତର ପଦବି କେବେ ପୂରଣ ହେବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ହେଲେ ଅଛନ୍ତି ମାତ୍ର ୨୩୪ ନର୍ସିଂ ଅଧିକାରୀ। ୪୬୫ ନର୍ସିଂ ଅଧିକାରୀରୁ ଅଧିକ ପଦ ଖାଲି ପଡ଼ିଛି। ଏଥିରୁ ସୁନ୍ଦରଗଡ଼ର ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାର କେତେ ଗୁରୁତ୍ବ ଦେଉଛନ୍ତି, ଖାଲିପଡ଼ିଥିବା ପଦରୁ ସ୍ପଷ୍ଟ ବାରି ହୋଇପଡୁଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବରୁ ଦୈନିକ ଶତାଧିକ ରୋଗୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆର୍‌ଜିଏଚ୍‌କୁ ଆସିବାକୁ ବାଧ୍ୟ ହେଉଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀଙ୍କୁ ପଚାରିବାରୁ ସେ କହିନ୍ତି, ପିଏଚ୍‌ସି ଗୁଡ଼ିକରେ ଡାକ୍ତରମାନେ ଠିକ୍‌ ଭାବେ ଆସୁଛନ୍ତି କି ନାହିଁ, ଦାୟିତ୍ବ ସିଏଚ୍‌ସି ଅଧିକାରୀଙ୍କର। ଯେଉଁ ଯେଉଁ ବ୍ଲକରେ ଏଭଳି ସମସ୍ୟା ରହୁଛି, ତଦରଖ ପାଇଁ ସିଏଚ୍‌ସି ଅଧିକାରୀଙ୍କୁ କୁହାଯିବ ବୋଲି କହିଛନ୍ତି।