ରାଉରକେଲା: ଦେଓ ନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ କାମ ସାରିବା ଦାବିରେ ରାସ୍ତାରୋକ କରାଯାଇଛି। କଂଗ୍ରେସ, ଆମ ଆଦମୀ ପାର୍ଟି, ସ୍ଥାନୀୟ ବାସିନ୍ଦା ଝିରପାଣି - ନୂଆଗାଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଆମରଣ ଅନଶନରେ ବସିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସମର୍ଥନ କରି ଶତାଧିକ ସ୍ଥାନୀୟ ବାସିନ୍ଦା ରାସ୍ତାରୋକରେ ସାମିଲ ହୋଇଛନ୍ତି। ଏହାଫଳରେ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ଗତ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମାଜସେବୀ ମୁକ୍ତିକାନ୍ତ ଆମରଣ ଅନଶନରେ ବସିଛନ୍ତି।
ଦେଓନଦୀ ଉପରେ ପୂର୍ଣ୍ଣାଙ୍ଗ ସେତୁ ଦାବୀରେ ଗତ ଅକ୍ଟୋବର-୨ ଗାନ୍ଧି ଜୟନ୍ତୀରୁ ୨୨ଦିନ ହେବ ସମାଜସେବୀ ମୁକ୍ତିକାନ୍ତ ଦେଓ ନଦୀ ଉପରେ ଧାରଣାରେ ବସିବାପରେ ଗତକାଲିଠାରୁ ଅନଶନରେ ବସିଛନ୍ତି। ୨୦ହଜାର ଲୋକଙ୍କ ସ୍ୱାର୍ଥ ସହିତ ଜଡ଼ିତ ଏ ସେତୁରେ ସାଧାରଣ ଜନତା ଏକ ୩୦ ଫୁଟ୍ ଶିଡ଼ି ମାଧ୍ୟମରେ ବିପଦସଂକୁଳ ଅବସ୍ଥାରେ ଗମନାଗମନ କରୁଛନ୍ତି। ଯାହାକି ମାନବ ଅଧିକାରର ଖୋଲା ଉଲ୍ଲଂଘନ। ୨୦ ଦିନର ଧାରଣା ଭିତରେ ପ୍ରଶାସନ ତରଫରୁ ଗ୍ରାମସଭା ଓ ଜନଶୁଣାଣୀ ହେବା ସତ୍ତ୍ୱେ ଅଧପନ୍ତରିଆରେ ପଡ଼ିଥିବା ସେତୁ କେବେ ଆରମ୍ଭ ହେବ ତାହାର ସଠିକ୍ ବିବରଣୀ ସର୍ବସାଧାରଣରେ ପ୍ରଦାନ ନ କରିବା ଦୁଃଖଦାୟକ। ପ୍ରଶାସନ ଏ ବିଷୟରେ ଅବଗତ ଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ନୀରବଦ୍ରଷ୍ଟା ସାଜିଛି। ସେଥିପାଇଁ ସାଧାରଣ ଜନତାଙ୍କ ଜୀବନ ବିପଦସଂକୁଳ ଅବସ୍ଥାରେ ଥିବାରୁ ଏହାର ପ୍ରତିବାଦରେ (ମଙ୍ଗଳବାର) ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁକ୍ତିକାନ୍ତ ଆମରଣ ଅନଶନରେ ବସିଛନ୍ତି। ଭବିଷ୍ୟତରେ ଯାହାକିଛି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ।