ସୁନ୍ଦରଗଡ଼: ଚିକିତ୍ସା ପାଇଁ ଟଙ୍କା ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ (ଭିଜିଲାନ୍ସ କୋର୍ଟ) ଜଣେ ଫାର୍ମାସିଷ୍ଟଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ଶୁଣାଇବା ସହିତ ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟରେ ଅଧିକ ୪ ମାସ କାରବାସ ବୃଦ୍ଧି ହେବ ବୋଲି ଅଦାଲତ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ସ୍ପେଶାଲ ଜଜ୍ ଆଜି ଏହି ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ର ପୂର୍ବତନ ଫାର୍ମାସିଷ୍ଟ ତଥା ହାତୀବାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ଖଇରତୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସନତ କୁମାର ମହାନ୍ତିଙ୍କ ପାଇଁ ଏହି ଦଣ୍ଡ ଶୁଣାଇଛନ୍ତି।
ମାମଲାରୁ ଜଣାଯାଏ ଯେ, ୨୦୧୩ ସେପ୍ଟେମ୍ବର ମାସରେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅଧୀନବ ବଡ଼ଗାଁର ସ୍ବର୍ଗତ ମିର୍ଦ୍ଧା ଓରାମଙ୍କ ସ୍ତ୍ରୀ ଜିଦ୍ଦୀ ଓରାମ ଅସୁସ୍ଥ ଥିଲେ। ମା’ଙ୍କ ଚିକିତ୍ସା ପାଇଁ ପୁଅ ଜଉରା ଓରାମ ସେହି ସମୟରେ ଗୁରୁଣ୍ଡିଆସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେ ମା’ଙ୍କୁ ଭଲ ଔଷଧ ଦେବା ପାଇଁ ଫାର୍ମାସିଷ୍ଟ ସନତ କୁମାର ମହାନ୍ତିଙ୍କୁ ନିବେଦନ କରିଥିଲେ। ଜବାବରେ ଶ୍ରୀ ମହାନ୍ତି ୧୨୦୦ ଟଙ୍କା ଲାଞ୍ଚ ମାଗିଥିଲେ।
ଅଭିଯୋଗକାରୀ ଏନେଇ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଫାର୍ମାସିଷ୍ଟଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ମହାନ୍ତି ୨୦୧୩ ସେପ୍ଟମ୍ବର ୧୬ ତାରିଖରେ ଜଉରା ଓରାମଙ୍କଠାରୁ ତାଙ୍କ ଅସୁସ୍ଥ ମା’ ଜିଦ୍ଦି ଓରାମଙ୍କୁ ଭଲ ଔଷଧ ଯୋଗାଇଦେବା ପାଇଁ ୧୨ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତତ୍କାଳୀନ ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ ଉପଆରକ୍ଷୀ ଅଧୀକ୍ଷକ ପରମେଶ୍ବର କିସାନଙ୍କ ନେତୃତ୍ବରେ ମାମଲାର ତଦନ୍ତ ହୋଇଥିଲା। ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଜନଅଭିଯୋଜକ (ଏସପିପି) ଶ୍ୟାମସୁନ୍ଦର ମିଶ୍ର ମାମଲାର ପରିଚାଳନା କରିଥିଲେ।
Odisha Vigilance | Court judgement | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/28/060f3fa1-4b99-4467-9663-b2ef0443c11f-2025-06-28-17-49-43.jpg)