ରାଉରକେଲା: ଝାଡ଼ଖଣ୍ଡ ଚାଲାଣ ହେଉଥିବା ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍‌କୁ ନୂଆଗାଁ ଫାଣ୍ଡି ପୁଲିସ ଜବତ କରିଛି। ଘଟଣାସ୍ଥଳରୁ ପୁଲିସ ପିକ୍‌ଅପ୍‌ ଡ୍ରାଇଭର ସମେତ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଅଞ୍ଚଳର ଡ୍ରାଇଭର ଶ୍ୟାମଘନ ରଣା (୨୩), ଝାଡ଼ଖଣ୍ଡର ବାନୋ ଥାନା ଅନ୍ତର୍ଗତ ଝାରପଣ୍ଡାର ସୁକେନ୍ଦର ରାମ (୨୮) ଓ ଏତୱା ହରିଜନ୍ (୫୦)। ଜବତ ଗାଡ଼ିରୁ ପୁଲିସ ୧୧ ଗୋରୁ ଉଦ୍ଧାର କରି ସ୍ଥାନୀୟ ଗୋଶାଳାକୁ ପଠାଇ ଦେଇଛି। ଗିରଫ ଅଭିଯୁକ୍ତମାନେ କେତେଦିନ ଧରି ଝାଡ଼ଖଣ୍ଡ ଓ ଅନ୍ୟ ଅଞ୍ଚଳକୁ ଗୋରୁ ଚାଲାଣ କରୁଥିଲେ ଓ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୁଲିସ ତା’ର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ନୂଆଗାଁ ଫାଣ୍ଡି ଅଧିକାରୀ ହରିହର ଦାସ ଏବଂ ତାଙ୍କ ଟିମ୍‌ ଆଜି ସକାଳ ପ୍ରାୟ ୧୧ଟାରେ ସ୍ଥାନୀୟ ଅଞ୍ଚଳ ପ୍ରମୁଖ ରାସ୍ତାରେ ଗାଡ଼ି ଗୁଡ଼ିକୁ ଯାଞ୍ଚ କରୁଥିଲେ। ଗାଡ଼ି ଯାଞ୍ଚ ହେଉଥିବା ଦେଖି ଗୋଟିଏ ଗାଡ଼ି (ଓଡି୧୪ବି-୩୨୬୦) ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲେ। ପୁଲିସ ପିଛା କରି ସାତଜୁଆଡି ଛକ ନିକଟରେ ଗାଡିକୁ ଜବତ କରିଥିଲା। ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ପୁଲିସକୁ ଧମକଚମକ ଦେଇଥିଲା। ଘଟଣାସ୍ଥଳରେ ଆତ୍ମହତ୍ୟା କରିବାକୁ ମଧ୍ୟ ପୁଲିସକୁ ଧମକ ଦେଇଥିଲା। ଗୋରୁଚାଲାଣ ବାବଦ ଆବଶ୍ୟକୀୟ କାଗଜପତ୍ର ପୁଲିସ୍ ସେମାନଙ୍କୁ ମାଗିଥିଲା। ଡ୍ରାଇଭର ଓ ତିନି ଅଭିଯୁକ୍ତ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପୁଲିସ ତିନିଜଣଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରିଥିଲା।