୩ ସୁପାରି କିଲର୍‌ ସମେତ ୮ ଗିରଫ

ମିଟ୍‌କୁନ୍ଦରି ଗୁଳିକାଣ୍ଡର ପର୍ଦ୍ଦାଫାସ୍‌

ରାଉରକେଲା : ୨୦୧୭ ଜୁନ୍‌ ୨୧ରେ ବିଶ୍ରା ଥାନା ଅନ୍ତର୍ଗତ ମିଟ୍‌କୁନ୍ଦରିଠାରେ ସଂଘଟିତ ଗୁଳିକାଣ୍ଡର ପର୍ଦ୍ଦାଫାସ୍‌ କରିଛି ରାଉରକେଲା ପୁଲିସ। ଜମି ହଡ଼ପ ଉଦ୍ୟମରେ ବିଫଳ ବ୍ୟକ୍ତିବିଶେଷ ମୁତୟନ କରିଥିବା ୩ ଜଣ ସୁପାରି କିଲର୍‌ଙ୍କ ସମେତ ୮ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଆମେରିକା ତିଆରି ପିସ୍ତଲ, ଗୋଟିଏ ଦେଶୀ ପିସ୍ତଲ, ୪ଟି ଗୁଳି ଓ ୨ଟି ବାଇକ୍‌ ଜବତ ହୋଇଛି। ଏସ୍‌ପି ଡ. ଉମା ଶଙ୍କର ଦାଶଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଦୀର୍ଘ ୬ ମାସର ତଦନ୍ତ ପରେ ଆନ୍ତଃରାଜ୍ୟ ଅପରାଧୀମାନଙ୍କୁ ଗିରଫ କରିଛି ଖୋଦ୍‌ ଡିଜିପି ଡ. ଆର୍‌.କେ. ଶର୍ମା ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ-ବନ୍ଧମୁଣ୍ଡା ଥାନା ଜାମସେରାର ରାଜ କୁମାର ନାଗ (୨୮) , ବିଶ୍ରା ଥାନା ମିଟକୁନ୍ଦରିର ରୋହିଦାସ କମଳ (୩୩), ତିନି ଜଣ ସୁପାରି କିଲର୍‌ହେଲେ-ସୁଦାମ ସିଂ (୩୦)ର ଘର ବାନୋ, ସିମଡେଗା, ଝାଡ଼ଖଣ୍ଡ, ଚନ୍ଦ୍ରଭାନୁ ସିଂ(୩୬) ବାନୋ, ସିମଡେଗା, ଝାଡ଼ଖଣ୍ଡ ନିବାସୀ, ଭୀଷ୍ମ ସହାୟ (୨୪) ଘର ରାଉରକେଲା ଗୋପବନ୍ଧୁପାଲିରେ। ସେମାନଙ୍କ ସହଯୋଗୀ ସୁରେନ୍ଦ୍ର ସାହୁ (୨୮) ଘର ହାତୀବାରି ଥାନାଅଙ୍କୁରପାଲି, ମୁସ୍ତାଫା ଅଲାମ (୨୦) ଘର ଫୁଲ୍‌ଝର, ବିଶ୍ରା ଓ ଚନ୍ଦ୍ରଶେଖର ସାହୁ(୨୬) ଘର ଗୋପବନ୍ଧୁପାଲି, ରାଉରକେଲାରେ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବିଶ୍ରା ଜୋନ୍‌ ଡିଏସ୍‌ପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର ସମସ୍ତ ଅଭିଯୁକ୍ତଙ୍କୁ ହାଜର କରିବା ସହିତ ପୂରା ଘଟଣାର ବିବରଣୀ ରଖିଥିଲେ। ତାଙ୍କ ସୂଚନା ଅନୁସାରେ ଝିରପାଣି ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବା ପରେ ମିଟ୍‌କୁନ୍ଦରି ଛକ ସଂଲଗ୍ନ ଜମି ଦର ହଠାତ ବଢ଼ି ଯାଇଥିଲା। ଫଳରେ ଜମି ହାତେଇବାକୁ ଗାଁର ସୁରେଶ ଭୂମିଜ ଓ ପୂର୍ବତନ ସରପଞ୍ଚ ମହାଦେବ କମଳ ଓରଫ ମୁଣ୍ଡାରିଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକି ଥିଲା। ମହାଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରୋହିଦାସ କମଳ ମୁଣ୍ଡାରି ଓ ସୁରେଶଙ୍କ ଜ୍ୱାଇଁ ଦିନେଶ ମୁଣ୍ଡାରିଙ୍କ ମଧ୍ୟରେ ଜମି ହାତେଇବାକୁ କେନ୍ଦ୍ର କରି ବିବାଦ ତେଜିଥିଲା। ଦିନେଶ ବିବାଦୀୟ ଜମିକୁ ନିଜ ଦଖଲକୁ ନେବାକୁ ଉଦ୍ୟମ କରିଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ରୋହିଦାସ କମଳ ଯୋଜନା କରିଥିଲେ। ଜାମସେରାରେ ଢାବା ଖୋଲିଥିବା ରୋହିଦାସଙ୍କ ସାଙ୍ଗ ରାଜୁ ଓରଫ ରାଜ କୁମାର ନାଗ ଏଥିରେ ସହାୟତା କରିବାକୁ ଆଗେଇ ଆସିଥିଲେ। ଝାରଖଣ୍ଡରୁ ଢାବାକୁ ଚୋରା ମଦ ଯୋଗାଉଥିବା ଅପରାଧୀ ସୁରେନ୍ଦ୍ର ସାହୁଙ୍କ ସହାୟତା ଲୋଡ଼ିଥିଲା ରାଜୁ। ସୁରେନ୍ଦ୍ର ଦେଢ଼ ଲକ୍ଷ ଟଙ୍କାରେ ମୂଲଚାଲ କରି ସୁପାରିକିଲର୍‌ ସୁଦାମ ସିଂ (୩୦), ଭୀଷ୍ମ ସହାୟ (୨୪) ଓ ଚନ୍ଦ୍ରଭାନୁ ସିଂ (୩୬)ଙ୍କୁ ଦିନେଶକୁ ହତ୍ୟା କରିବା ପାଇଁ ଯୋଗାଡ଼ କରିଥିଲା। ସେମାନଙ୍କୁ ଅନ୍ୟତମ ଅଭିଯୁକ୍ତ ଖୁଣ୍ଟଗାଁ ଗ୍ୟାରେଜ୍‌ର ମିସ୍ତ୍ରି ମୁସ୍ତାଫା ଆଲମ୍‌ ଓ ଚନ୍ଦ୍ରଶେଖର ସାହୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର