ରାଉରକେଲା: ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟର ନାଁରେ ଆଧୁନିକ ମେଟାଲିକ୍ସ କାରଖାନା କର୍ତ୍ତୃପକ୍ଷ ହାତେଇଥିବା ସିଭିଲଟାଉନ୍‌ସିପ୍‌ର ମୂଲ୍ୟବାନ ପ୍ଲଟ ସରକାରୀ ଖାତାକୁ ଫେରିବ। ବିସ୍ଥାପିତ ସଂଘର ନେତା ଖାଡ଼ା କୁଜୁରଙ୍କ ଲିଖିତ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ଏଭଳି କଡ଼ା ନିଷ୍ପତ୍ତି ନେଇଛି। ନିକଟରେ ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ ରାଜସ୍ବ ନିରୀକ୍ଷକଙ୍କ ଜରିଆରେ ବିସ୍ତୃତ ତଦନ୍ତ ରିପୋର୍ଟ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଏଡିଏମ୍‌ ଡାକ୍ତର ମହାପାତ୍ର ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍‌ଏସି)ର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ମୂଲ୍ୟବାନ ପ୍ଲଟ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ। ଆଧୁନିକ ମେଟାଲିକ୍ସ ସିଭିଲଟାଉନସିପ୍‌ ଶନିମନ୍ଦିର ନିକଟରେ ହାତେଇଥିଲା ୧ ଏକରର ପ୍ଲଟ। ଯାହାର ସରକାରୀ ମୂଲ୍ୟ ୨୨ କୋଟି ଟଙ୍କା। ବେସରକାରୀ ମୂଲ୍ୟ ପ୍ରାୟ ୮୦ କୋଟିରୁ ଅଧିକ।

Advertisment

ଗତ ୨୦୧୦ରେ ଆଧୁନିକ ମେଟାଲିକ୍ସ ଏଲ୍‌ଏସିରୁ ଏହି ମୂଲ୍ୟବାନ ଜମି ନେଇଥିଲା। ଯାହାର ପ୍ଲଟ ନମ୍ବର ହେଉଛି ୭୭/୧୧୬୭, ୩୩/୧୧୬୩, ୩୪/୧୧୬୪, ୭୧/୧୧୬୮, ୭୬/୧୧୬୬, ୭୦/୧୧୬୫ ଓ ୩୨/୧୧୬୨। ଏସବୁ ପ୍ଲଟ ରାଉରକେଲା ୟୁନିଟ୍‌ ନଂ ୪୨ ରୁପଟୋଲାର ଖାତା ନଂ ୪୮/୪୧୪ରେ ରହିଛି। ଏହି ଜାଗାରେ ଆଧୁନିକ ମେଟାଲିକ୍ସ ଷ୍ଟିଲ ରିସର୍ଚ୍ଚ ସେଣ୍ଟର ନିର୍ମାଣ କରିବାର ଥିଲା। ଏଲ୍‌ଏସିର ନିୟମ ଅନୁଯାୟୀ ପ୍ଲଟ ପାଇବାର ୩ ବର୍ଷ ମଧ୍ୟରେ ଦଖଲ ପ୍ରମାଣପତ୍ର (ଅକୁପାନ୍ସି ସାର୍ଟିଫିକେଟ୍‌) ନେବା ବାଧ୍ୟତାମୂଳକ। ତିନିବର୍ଷ ତ ଦୂରର କଥା,୧୩ ବର୍ଷ ବିତିଯାଇଥିଲେ‌ ହେଁ ଆଧୁନିକ ମେଟାଲିକ୍ସ ଏଠାରେ କୌଣସି ରିସର୍ଚ୍ଚ ସେଣ୍ଟର ନିର୍ମାଣ କରିନଥିଲା। ତେଣୁ ଦଖଲକାରୀ ପ୍ରମାଣପତ୍ର ଏଲ୍‌ଏଲସି ନିକଟରେ ଦାଖଲ କରିପାରି ନଥିଲା।

ସେପଟେ କୋଟିକୋଟି ଟଙ୍କା ଋଣରେ ବୁଡ଼ିବା ପରେ ଆଧୁନିକ ମେଟାଲିକ୍ସ ପ୍ରାୟ ୫ ବର୍ଷରୁ ଅଧିକ ସମୟ ଧରି ରାଉରକେଲା ଛାଡ଼ି ଚାଲିଯାଇଥିଲା। ହେଲେ ଖାଲି ପଡ଼ିଥିବା ମୂଲ୍ୟବାନ ପ୍ଲଟକୁ ଏଲ୍‌ଏସି ନିଜ ଖାତାକୁ ନଆଣି ଚୁ୍ପ୍‌ ବସିଥିଲା। ବିସ୍ଥାପିତ ସଂଘର ନେତା ଖାଡ଼ା କୁଜୁର ସମ୍ପୃକ୍ତ ଅବବ୍ୟହୃତ ଜାଗାକୁ ବିସ୍ଥାପିତ ପରିବାରଙ୍କୁ ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ। ବିସ୍ଥାପିତ ସଂଘର ଦାବି ମୁତାବକ ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ପାଇଁ ରାଉରକେଲା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ। ଆର୍‌ଆଇ ତଦନ୍ତ ଆରମ୍ଭ କରିଥିଲେ। ସମ୍ପୃକ୍ତ ପ୍ଲଟକୁ ଆଧୁନିକ ମେଟାଲିକ୍ସ ମାଲିକ ମନୋଜ ଅଗ୍ରୱାଲ କମ୍ପାନିର ନିର୍ଦ୍ଦେଶକ ଅରୁଣ କାଟରୁକାଙ୍କ ନାଁରେ ୯୦ ବର୍ଷିଆ ଲିଜ୍‌ରେ ଆଣିଥିଲେ। ଯାହାର ଲିଜ୍‌ କେସ୍ ନମ୍ବର ହେଉଛି ୨/୨୦୦୮। ପ୍ଲଟ ଚତୁଃପାର୍ଶ୍ବରେ କେବଳ ପାଚେରି ନିର୍ମାଣ କରି କାମ ସାରିଦେଇଥିଲେ। କୌଣସି ନିର୍ମାଣ କରି ନଥିଲେ।