ରାଉରକେଲା(କୋଇଡ଼ାରୁ ମଳୟ ରଞ୍ଜନ ସାହୁ ): ଜଳ ହିଁ ଜୀବନ। ଚବିଶଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ସରକାର କେତେ କ’ଣ ବ୍ୟବସ୍ଥା କରିଛନ୍ତି। ସୁନ୍ଦରଗଡ଼ର ଖଣି ଅଞ୍ଚଳ କୋଇଡ଼ାବାସିନ୍ଦାଙ୍କ ପ୍ରାୟ ଅଧିକାଂଶ ଲୋକଙ୍କ ପାଇଁ ବିଶୁଦ୍ଧପାଣି ତ ଦୂରର କଥା, ନଳକୂଅ ପାଣିଟୋପେ ପାଇବା ସାତସପନ ପାଲଟିଛି। ବର୍ଷକୁ ପ୍ରାୟ ୫ ହଜାର କୋଟି ରାଜସ୍ବ ଦେଉଥିବା ଏହି ଅଞ୍ଚଳର ଅଧିକାଂଶ ଅଞ୍ଚଳବାସୀ ଏବେ ବି ନାଳର ବିଷାକ୍ତପାଣି ବ୍ୟବହାର କରୁଛନ୍ତି। ଜିଲ୍ଲା ପ୍ରଶାସନ ଆଉ ଖଣିର ସିଏସ୍ଆର୍ ପାଣ୍ଠି ଏମାନଙ୍କ ପାଇଁ ବାଟହୁଡ଼ିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଯେତିକି ଖର୍ଚ୍ଚ ହେବା କଥା, ସେତିକି ଖର୍ଚ୍ଚ ହେଉନି। ଯଦି ବି ଖର୍ଚ୍ଚ ହେଉଛି ଉପାନ୍ତ ଗ୍ରାମବାସୀଙ୍କ କାମରେ ଆସୁନି। ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି କୋଇଡ଼ା ବ୍ଲକ୍ ଅନ୍ତର୍ଗତ ପାଟମୁଣ୍ଡା, ମାଲଦା ଓ କୋଇଡ଼ା ପଞ୍ଚାୟତବାସିନ୍ଦା ସ୍ୱାଧୀନତାର ୭୭ ବର୍ଷ ପରେ ବି ସୁନାନାଳର ବିଷାକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
ନାମ ହେଉଛି ସୁନାନାଳ। ହେଲେ ଏହାର ବିଷାକ୍ତପାଣି, ପ୍ରାଣଘାତୀ ହେଲେ ବି ଏମାନଙ୍କ ପାଇଁ ଯେମିତି ସୁନା। ଏହି ପାଣି ପିଇ ଅନେକ ଲୋକ ପେଟବେମାର, କାଛୁକୁଣ୍ଡିଆ ଆଦି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତଥାପି ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନି। ଆଶ୍ଚର୍ଯ୍ୟର କଥା ଏହି ଅଞ୍ଚଳର ଆୟରେ ଦୂର ସହର ଚକାଚକ ହେଉଛି। ମାତ୍ର ବିଡ଼ମ୍ବନା, ଖଣି ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟା ଦୂର ହେଉନି। ଯେଉଁଠି ନାଳତୁଠରେ ମଇଁଷି, ଗାଈଗୋରୁ ଗାଧୋଉଛନ୍ତି, ସେଇଠି ତିନି ପଞ୍ଚାୟତର ପ୍ରାୟ ୬ ହଜାର ଲୋକ ପାଣି ପିଉଛନ୍ତି। କେବଳ ସେତିକି ନୁହେଁ, ସେହି ନାଳ ପାଣିରେ ଗାଧୋଇବା ସହ ଲୁଗାପଟା ସଫା କରୁଛନ୍ତି।
ପାଟମୁଣ୍ଡାର ପ୍ରାୟ ୨ ହଜାର ୫ ଶହ, ମାଲଦାର ୩ ହଜାର ଓ କୋଇଡ଼ା ପଞ୍ଚାୟତର ପ୍ରାୟ ୫ ଶହ ଲୋକଙ୍କ ପାଇଁ ଖଣିର ବର୍ଜ୍ୟଜଳ ମିଶୁଥିବା ନାଳପାଣି ଏକମାତ୍ର ଭରସା। ସକାଳେ ସ୍ଥାନୀୟ ଗାଁର ମହିଳା ବାଲ୍ଟି, ଡେକ୍ଚି ଧରି ସୁନାନାଳକୁ ପାଣି ନେବାକୁ ବାହାରନ୍ତି। ବେଶି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଦମଡିହି, ପାଟମୁଣ୍ଡା, ଇନ୍ଦିପୁର, କଳମଙ୍ଗ, ମାଲଦା ଓ ତେହେରେଇ ଗାଁର ପ୍ରାୟ ୩ ହଜାର ଲୋକ। ଗାଁଠୁ ପ୍ରାୟ ଗୋଟିଏ କିଲୋମିଟର ଦୂର ଚାଲିଚାଲି ଏମାନେ ସୁନାନାଳ ଯିବାକୁ ବାଧ୍ୟ ହେଉଛନ୍ତି। ଥରେ ନୁାହଁ, ଅନେକବାର ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ପାଖକୁ ଗ୍ରାମବାସୀ ଯାଇଛନ୍ତି। ଗୁହାରି ଜଣାଇଛନ୍ତି। ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିଛି। ହେଲେ ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି।
ମାଲଦା ପଞ୍ଚାୟତ ଗଣୁଆ ଗାଁର ବାଦଲ ବାରିକ କହନ୍ତି, ସୁନାନାଳ ଆମ ପାଇଁ ଏକମାତ୍ର ସାହାଭରସା। ଖଣିରୁ ନିର୍ଗତ ବର୍ଜ୍ୟପାଣି ନାଳରେ ମିଶି ଜଳ ଦୂଷିତ ହେଉଛି। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସୁନାନାଳ ପାଣିକୁ ବାଧ୍ୟ ହୋଇ ଦୈନନ୍ଦିନ ବ୍ୟବହାର କରୁଛୁ। ରାଉରକେଲା ପରି ହଇଜା ବ୍ୟାପିବା ପୂର୍ବରୁ ପ୍ରତିକାର କରିବା ଜରୁରି। କଦମଡିହିର ହିରନ ବାରିକ କହନ୍ତି, ଆମ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ। ବାପା, ଜେଜେ ଅମଳରୁ ଏହି ନାଳର ବିଷାକ୍ତପାଣିକୁ ସମସ୍ତ କାମରେ ବ୍ୟବହାର କରୁଛୁ।