ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଗୋ ଚାଲାଣ ବନ୍ଦ କରିବା ପାଇଁ ପୋଷ୍ଟର। ସୁନ୍ଦରଗଡ଼ ଟାଉନ ଥାନା ଘରୋଇ ବସଷ୍ଟାଣ୍ଡ ନିକଟ ଓଭର ବ୍ରିଜ କାନ୍ଥରେ ଏହି ପୋଷ୍ଟର ଲାଗିଛି । ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ ଇଣ୍ଡିଆ ବା ପି ଏଲ ଏଫ୍ ଆଇର ଏହି ପୋଷ୍ଟରରେ ଗୋ ଚାଲାଣ ବନ୍ଦ କରିବା ପାଇଁ କୁହାଯାଇଛି। ବନ୍ଦ ନ ହେଲେ ଫୌଜି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲେଖା ଯାଇଛି। କେନ୍ଦ୍ରୀୟ କମିଟିର ପ୍ରେମ କୁମାର ଯାଦବଙ୍କ ନାଆଁରେ ଏହି ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ସୁନ୍ଦରଗଡ଼ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ରେ ପି ଏଲ୍ ଏଫ୍ ଆଇ ସଂଗଠନର ଗତିବିଧି ରହିଥିଲା । ୨୦୧୪ ବେଳକୁ ଛଅ ଜଣ ନୀରହ୍ ଲୋକଙ୍କୁ ପୁଲିସ ଇନଫର୍ମର କହି ନିର୍ମମ ହତ୍ୟା କଲା ପରେ ତତକାଳୀନ ଏସ ପି ସଞ୍ଜୀବ ଅରୋରାଙ୍କ ନେତୃତ୍ବରେ ଅପରେସନ କରି ପି ଏଲ ଏଫ୍ ଆଇର ମୁଖ୍ୟ ସମେତ ୬ ଜଣ ସଦସ୍ୟଙ୍କୁ ଏନକାଉଣ୍ଟର୍ କରା ଯାଇଥିଲା । ତାପରେ ଏମାନଙ୍କ କୌଣସି ଗତିବିଧି ପରିଲକ୍ଷିତ ହୋଇନଥିଲା। ତେବେ ଆଜିକାର ଏହି ପୋଷ୍ଟର ପୁଣି ଥରେ ପି ଏଲ ଏଫ୍ ଆଇର ଉପସ୍ଥିତିକୁ ଜାହିର କରିଛି।