ସୁନ୍ଦରଗଡ଼: ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ମୃତକଙ୍କ ଶବ ବ୍ୟବଚ୍ଛେଦ ଶେଷ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର
କରାଯାଇଛି। ଏବେ ମୁସଲିମବସ୍ତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ଅଧୀନ ବଗିଚାପଡ଼ାର କିଛି ଲୋକ ଗତକାଲି ପୂର୍ବାହ୍ଣରେ ତେଲେନଡିହି ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ। ସେମାନେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଭୋଜି ସାରି ଏକ ଅଟୋରେ ଘରକୁ ଫେରୁଥିଲେ। ଫେରିବା ବାଟରେ ସେମାନଙ୍କୁ ଏକ ହାଇୱା ଭାରସାମ୍ୟ ହରାଇ ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ହାଇୱାଟି ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିବା ପରେ ଟ୍ରଲିରୁ ଏହାର ଇଞ୍ଜିନ ଛିଣ୍ଡିପଡ଼ି ଅଲଗା ହୋଇଯାଇଥିଲା। ସେହିପରି ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଅଟୋ ମଧ୍ୟ ବିଲଭିତରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଶିଶୁ ଓ ମହିଳା ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକମାନ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ୍ ମାର୍କେଟ୍ ନିକଟ ବଗିଚାପଡ଼ାର ବୋଲି ଜଣାଯାଇଥିଲା।