ରାଉରକେଲା: ବର୍ଦ୍ଧିତ ଆଳୁ ଦରକୁ ନେଇ ଚିନ୍ତାରେ ଥିବା ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟଯୋଗାଣ ବିଭାଗର ନିର୍ଦ୍ଦେଶକ୍ରମେ ଆଜିଠୁ ରାଜ୍ୟର ୫ଟି ମହାନଗର ନିଗମ ଯଥା ରାଉରକେଲା, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ କେଜି ପ୍ରତି ୩୦ରୁ ୩୩ ଟଙ୍କାରେ ଆଳୁ ବିକ୍ରି ହେଉଛି। ପ୍ରଥମ ପର୍ଯ୍ୟାୟରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅନ୍ତର୍ଗତ ୧୨ଟି କଣ୍ଟ୍ରୋଲ ଦୋକାନରେ ଆଳୁ ବିକ୍ରି ଆରମ୍ଭ ହୋଇଛି। କଣ୍ଟ୍ରୋଲ ଦୋକାନୀମାନେ ୩ କିଲୋ ଆଳକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଛେଣ୍ଡକଲୋନି, ବାସନ୍ତୀକଲୋନି, ଫର୍ଟିଲାଇଜର, ପାନପୋଷ, ଆଇଟିଆଇ, ସେକ୍ଟର-୨୦, ସେକ୍ଟର-୭, ସେକ୍ଟର-୮, ସେକ୍ଟର-୬ ଓ ୧୪ ଆଦି ଅଞ୍ଚଳରେ ଥିବା କଣ୍ଟ୍ରୋଲ ଦୋକାନକୁ ଅଢ଼େଇ କ୍ବିଣ୍ଟାଲ ଲେଖାଏଁ ଆଳୁ ଦିଆଯାଇଛି। କମ୍‌ ଦାମରେ ଆଳୁ ମିଳୁନଥିବାରୁ କଣ୍ଟ୍ରୋଲ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଆସନ୍ତା ଦିନରେ ଅନ୍ୟ କଣ୍ଟୋଲ ଦୋକାନୀମାନଙ୍କୁ ଯୋଗାଣ ବିଭାଗ ସହାୟତାରେ ଆଳୁ ଯୋଗାଇ ଦିଆଯିବ। କଣ୍ଟୋଲ ଦୋକାନୀମାନେ ଆଜି ଲମ୍ବା ଆଳୁ ହୋଲ୍‌ସେଲ୍‌ ମାର୍କେଟରୁ କେଜି ପ୍ରତି ୩୦ ଟଙ୍କା ଲେଖାଏଁ କିଣି କେଜି ପ୍ରତି ୩୩ ଟଙ୍କାରେ ବିକ୍ରି କରିଛନ୍ତି। ଜଣେ ଗ୍ରାହକ କଣ୍ଟ୍ରୋଲ ଦୋକାନରୂ ଏକକାଳୀନ ୩ କେଜି ଆଳୁ ନେଇପାରିବେ ବୋଲି ‌ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ସେପଟେ ଗତକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ଯୋଗାଣ ବିଭାଗ ଅଫିସ୍‌ରେ ବର୍ଦ୍ଧିତ ଆଳୁ ଦରକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଉରକେଲା ସହକାରୀ ଯୋଗାଣ ଅଧିକାରୀ, ସହରର ହୋ‌ଲସେଲ୍‌ ଆଳୁବେପାରିଙ୍କ ସହ କଣ୍ଟ୍ରୋଲ ଦୋକାନୀମାନେ ଉପସ୍ଥିତ ଥିଲେ। କଳାବଜାର ରୋକିବା, ଗ୍ରାହକମାନଙ୍କୁ ଉଚିତ ମୂଲ୍ୟରେ ଆଳୁ ଯୋଗାଇ ଦେବା ଉପରେ ବିସ୍ତୃତ ଆଲୋଚନ ହୋଇଥିଲା। ଅଧିକ ଦାମରେ ଆଳୁ ବିକ୍ରି କରୁଥିବା ଉଭୟ ହୋ‌ଲ୍‌ସେଲ୍‌ ଓ ଖୁଚୁରା ବେପାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।