ରାଉରକେଲା: ଦେଶର ପଞ୍ଚମ ତଥା ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟରେ ସୋମବାର ସୁନ୍ଦରଗଡ଼ ଜିଲ୍ଲାରେ ମତଦାନ ଜାରି ରହିଛି। ଏହା ପୂର୍ବରୁ ଶନିବାର ରାତିରେ ରାଉରକେଲା ସହରର ଗଙ୍ଗାଧରପାଲି, ଛେଣ୍ଡକଲୋନି ଏଲ୍‌ସିଆର୍‌ ଓ ଏମ୍‌ଆଇସିଆର୍‌ ବ୍ଲକରେ ଟଙ୍କା ବଣ୍ଟା ତଥ‌ା ଦଳୀୟ ଚିହ୍ନଥିବା ଚିରକୁଟ ବଣ୍ଟନ ଅଭିଯୋଗକୁ ନେଇ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଥିଲା। ଗଙ୍ଗାଧରପାଲି ଲକ୍ଷ୍ମୀମାର୍କେଟ ଛକରେ ବସ୍ତିରେ ପ୍ରଚାରକୁ କେନ୍ଦ୍ରକରି ବିଜେପି ନେତା ଅରୁଣ କୁମାର ପୁହାଣ ଓ ବିଜେଡିର ଅଭିଷେକ ମହଲଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଭିଷେକ ମହଲ, ତାଙ୍କ ସହଯୋଗୀ ସୌଭାଗ୍ୟ ସାହାଣି ଓ ସ୍ମୃତିରଞ୍ଜନ ମହଲ ବିଜେପିର ଅରୁଣ ପୁହାଣଙ୍କୁ ଧକ୍କା ମାରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ପାଡପିଟ୍‌ ହେବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଥାନାକୁ ଉଠାଇ ନେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଉଭୟଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଅଭିଷେକ, ସୌଭାଗ୍ୟ, ସ୍ମୃତିରଞ୍ଜନ ଓ ଅରୁଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନୁରୂପ ଭାବେ ଛେଣ୍ଡକଲୋନିରେ ବିଜେଡିର କିଛି ନେତା ଚିରକୁଟ ଓ ସ୍ବାସ୍ଥ୍ୟବୀମା କାର୍ଡ ବାଣ୍ଟୁଥିବା ଅଭିଯୋଗ କରିଥିଲେ ବିଜେପି କର୍ମୀ।

Advertisment

ବିଜେପିର ବିନୋଦ କୁମାର ପରିଡ଼ା ଓ ତାଙ୍କର ସହଯୋଗୀ କଲୋନିରେ ଏମିତି ନ କରିବାକୁ ବିଜେଡି କର୍ମୀଙ୍କୁ ବାରଣ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ମାଡ଼ପିଟ୍‌ ମଧ୍ୟ ହୋଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା ଥିଲା। ଉଭୟ ଦଳର ୬ ଗଣ୍ଡଗୋଳକାରୀଙ୍କୁ ଥାନାକୁ ଉଠାଇ ଆଣିଥିଲା। ଉଭୟ ପକ୍ଷରୁ ଥାନାରେ ପୃଥକ ପୃଥକ ଲିଖିତ ଅଭିଯୋଗ ଦିଆଯାଇଛି। ପୁଲିସ ଥାନାରେ ଅଟକ ଥିବା ଉଭୟ ଦଳର ଅଟକ ୬ ନେତା ଓ କର୍ମୀଙ୍କୁ ପଚରାଉଚରା କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।