ଦାଉ ସାଜିଲା କରୋନା, ହାତବାନ୍ଧି ବସିଛନ୍ତି ୪୨ ହଜାର କେନ୍ଦୁପତ୍ର ତୋଳାଳି

ବିକ୍ରି ନ ହୋଇ ଗୋଦାମ ପଡିଛି ୮କୋଟିର କେନ୍ଦୁପତ୍ର, ଚଳିତ ବର୍ଷ ଡୁବିବ ପ୍ରାୟ ସାଢ଼େ କୋଟି !

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀଙ୍କ ପାଇଁ ଦାଉ ସାଜିଛି ମହାମାରୀ କରୋନା। ବେଶି ପ୍ରଭାବିତ ହୋଇଛନ୍ତି କେନ୍ଦୁପତ୍ର ତୋଳାଳୀ। ଲକ୍‌ଡାଉନ୍‌ କଟକଣା ଛଡାଇ ନେଇଛି ସେମାନଙ୍କ ରୋଜଗାରପନ୍ଥା। ଏବେ ତୋଳିବା ପାଇଁ ଉପଯୁକ୍ତ ସମୟ ଥିବାବେଳେ ଲକ୍‌ଡାଉନ୍‌ କଟକଣା ପାଇଁ ଏଯାଏଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ। ଫଳରେ ରାଉରକେଲା କେନ୍ଦୁଲିପି ଡିଭିଜନ ଅନ୍ତର୍ଗତ ୧୧ଟି ରେଞ୍ଜର ପ୍ରାୟ ୪୨ହଜାରରୁରୁ ଅଧିକ କେନ୍ଦୁପତ୍ର ତୋଳାଳି ହାତବାନ୍ଧି ବସିଛନ୍ତି। ଆଗକୁ କେନ୍ଦୁପତ୍ର ସଂଗ୍ରହ ହେବ କି ନାହିଁ ସରକାରଙ୍କ ନିଷ୍ପତ୍ତି ନେଇ ନଥିବାରୁ ସେମାନଙ୍କ ଚିନ୍ତା ବଢ଼ିଯାଇଛି। କେବଳ ତୋଳାଳି ନୁହେଁ, ୨ ହଜାରରୁ ଅଧିକ କେନ୍ଦୁପତ୍ର ବନ୍ଧାଳି ଶ୍ରମିକଙ୍କର ମଧ୍ୟ ସେହି ସମାନ ଅବସ୍ଥା।

ରୋଜଗାର ତ ନୁହେଁ, ସେମାନଙ୍କୁ ଚଳିତ ବର୍ଷ କଲ୍ୟାଣକାରୀ ଯୋଜନା ସହାୟତା ମିଳିବ କି ନାହିଁ ସନ୍ଦେହ। ରୋଜଗାର ନଥିବାରୁ କିପରି ଘରେ ଚୁଲି ଜଳିବ ଓ ପରିବାର ପ୍ରତିପୋଷଣ କରିବେ,ଏସବୁ ଭାବି ଭାବି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ସେମାନେ। ସେପଟେ ଲକ୍‌ଡାଉନ୍‌ର ପ୍ରଭାବ ମଧ୍ୟ କେନ୍ଦୁଲିପି ଡିଭିଜନ୍‌ରେ ପଡିଛି। ଗତବର୍ଷ ସଂଗ୍ରହ ହୋଇଥିବା ପ୍ରାୟ ୮ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ବିକ୍ରି ନ ହୋଇ ଗୋଦାମ ଘରେ ସଢ଼ୁଛି। ଚଳିତ ବର୍ଷ ପ୍ରାୟ ସାଢ଼େ ୮ କୋଟି ଟଙ୍କା କେନ୍ଦୁପତ୍ର ସଂଗ୍ରହ ହେବ କି ନାହିଁ ଅନିଶ୍ଚିତତା ମଧ୍ୟରେ ରହିଛି। ଏଥିପାଇଁ ରାଜ୍ୟ କେନ୍ଦୁଲିପି ନିଗମକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। କେନ୍ଦୁଲିପି ଡିଭିଜନରୁ ମିଳିଥିବା ସୂଚନା ମୁତାବକ ପ୍ରତିବର୍ଷ ଫେବ୍ରୁଆରି ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କେନ୍ଦ୍ରପତ୍ର ସଂଗ୍ରହ ହୋଇଥାଏ। କିନ୍ତୁ ନିକଟରେ ବର୍ଷା ହୋଇଥିବାରୁ ତୋଳିବା ବିଳମ୍ବ ହୋଇଛି। ଏପ୍ରିଲ ୧୦ରୁ ମେ ୩୧ ମଧ୍ୟରେ ପତ୍ର କିଣାଯିବା କଥା। କରୋନା ପାଇଁ କେନ୍ଦୁଲିପି କୋଅର୍ଡିନେସନ୍‌ କମିଟି (କେଏଲ୍‌ଏସିସି)ର ବୈଠକ ବସି ଥିବାରୁ ତୋଳାଳିଙ୍କ ପାରିଶ୍ରମିକ ଧାର୍ଯ୍ୟ ହୋଇ ପାରିନାହିଁ।

ତେବେ ଗତ ବର୍ଷ ନିର୍ଦ୍ଧାରିତ ପାରିଶ୍ରମିକ ଅନୁଯାୟୀ ଗୋଟିଏ ଗୋଚ୍ଛା ପତ୍ର ପାଇଁ ତୋଳାଳିଙ୍କୁ ୧ ଟଙ୍କା ମିଳିଥିଲା। ଗୋଟିଏ ଗୋଚ୍ଛାରେ ୨୦ଟି ପତ୍ରଥାଏ। ଗତବର୍ଷ ପ୍ରାୟ ୧୯ ହଜାର ୪୦୦ ବସ୍ତା କେନ୍ଦୁପତ୍ର ସଂଗ୍ରହ ହୋଇଥିଲା। ସେହି ଅନୁଯାୟୀ ଚଳିତ ବର୍ଷ ଢ଼େର ଅଧିକ ସଂଗ୍ରହ ପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଥିଲା। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ମୋଟ୍‌ ୪୮୩ଟି ଫଡି ଘର ତିଆରି ହୋଇଛି। ଫଡି ଘରେ ଗୋଚ୍ଛାଗୁଡ଼ିକୁ ଖୋଲି ଶୁଖାଯାଏ। ପତ୍ରଗୁଡ଼ିକ ‌ଶୁଖିଗଲା ପରେ ସେଗୁଡ଼ିକୁ ୫ କେଜି ଲେଖାଏଁ ବିଡା କରାଯାଏ। ୫ କେଜି ବିଡା ପାଇଁ ଜଣେ ବନ୍ଧାଳି ପାରିଶ୍ରମିକ ବାବଦରେ ୭୦ ଟଙ୍କା ଲେଖାଏଁ ପାଇଥାଏ। ଦେଢ଼ମାସରୁ ଅଧିକ ଦିନ କାମ କରି ଉଭୟ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳି ବେଶ୍‌ ଦି ପଇସା ରୋଜଗାର କରନ୍ତି। ଯେଉଁମାନେ ୨ ହଜାର ଗୋଚ୍ଛା ସଂଗ୍ରହ କରନ୍ତି, ସେମାନଙ୍କୁ ଜନକଲ୍ୟାଣ ଯୋଜନାରେ ବିବାହ, ପାଠପଢ଼ା, ମୃତ୍ୟୁକାଳୀନ ସହାୟତା ଆଦି ସହାୟତା ମିଳିଥାଏ। ଆଗାମୀ ଦିନରେ କେନ୍ଦୁପତ୍ର ସଂଗ୍ରହ ସମ୍ଭାବନା ନଥିବାରୁ ଉଭୟ ତୋଳାଳି ଓ ବନ୍ଧାଳି ଏସବୁ ସୁବିଧାରୁ ବଞ୍ଚିତ ହେବେ। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାର ରାଉରକେଲା କେନ୍ଦୁଲିପି ଡିଭିଜନ୍ ଅଧୀନରେ ବଣାଇଁଗଡ, ରାଜାମୁଣ୍ଡା, ଖୁଣ୍ଟଗାଁ, କଲୁଙ୍ଗା, ରାଜଗାଙ୍ଗପୁର, ବଡଗାଁ, ଉଜ୍ବଳପୁର, ସୁନ୍ଦରଗଡ, ଲେଫ୍ରିପଡା, କିଞ୍ଜରିକେଲା ଓ ବାଲିଶଙ୍କରା ଆଦି ୧୧ଟି ରେଞ୍ଜ ରହିଛି। ସମସ୍ତ ରେଞ୍ଜରୁ ପ୍ରତିବର୍ଷ ୮ରୁ ୧୦ ଲକ୍ଷ ଟଙ୍କାର କେନ୍ଦୁପତ୍ର ସଂଗ୍ରହ ହୋଇଥାଏ।

ଡିଭିଜନ ସଂଗ୍ରହ କରିଥିବା କେନ୍ଦୁପତ୍ରକୁ କ୍ବିଣ୍ଟାଲ ପିଛା ୪ ହଜାର ଟଙ୍କାରେ ବିକ୍ରି କରିଥାଏ। ଏହି କେନ୍ଦୁପତ୍ର ଓଡ଼ିଶା ସମେତ ପଶ୍ଚିମବଙ୍ଗ, ପାକିସ୍ତାନ ଓ ଶ୍ରୀଲଙ୍କା ଆଦିରେ ବିକ୍ରି ହୋଇଥାଏ। ଗତବର୍ଷ ଜିଏସ୍‌ଟି ମାଡ ଓ ଏବେ କରୋନା ପାଇଁ କେନ୍ଦୁଲିପି ନିଗମକୁ ବହୁ କ୍ଷତି ସହିବାକୁ ପଡିବ। ଏସବୁ ଦୃଷ୍ଟିକୋଣରୁ ନିର୍ମାଣ ଶ୍ରମିକଙ୍କ ପରି ସେମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବାକୁ କେନ୍ଦୁପତ୍ର ତୋଳିଳି ଓ ବନ୍ଧାଳିମାନେ ସରକାରଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର