ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଭୁତୁଡ଼ା ଓଏମ୍ସି ଖଣ୍ଡାଧାର ଖଣିରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସନ୍ତୋଷ। ଖଣି ଖାଦାନଭରା ଭୁତୁଡ଼ାର ଛାତି ଚିରି ସରକାର କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି। ମାତ୍ର ଭୁତୁଡ଼ା ପଞ୍ଚାୟତର ବିକାଶ ଏବେ ବି ଅପହଞ୍ଚ। ଗାଁକୁ ନାହିଁ ସବୁଦିନିଆ ପକ୍କାରାସ୍ତା। ବିଜୁଳି, ପାଣି ଭଳି ମୌଳିକ ସୁବିଧା ନାହିଁ। ଭୁତୁଡ଼ା ପଞ୍ଚାୟତ ଅଧୀନସ୍ଥ ଓଏମ୍ସି ଖଣିରେ ଲୋଡିଂ, ଟ୍ରାନ୍ସପୋର୍ଟିଂ ଓ ରେଜିଂ ବ୍ୟବସାୟ କରି ପଞ୍ଚାୟତ ବାହାରଲୋକେ ମାଲାମାଲ ହେଉଥିବାବେଳେ ଭୁତୁଡ଼ାବାସୀ ଆଜି ବି ଦୁର୍ଦିନରେ। ଖଣିରେ କାମଖଣ୍ଡେ ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହାକୁ ନେଇ ୨୨ ତାରିଖରେ ଭୁତୁଡ଼ା ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଆଜି ଭୁତୁଡ଼ା ସରପଞ୍ଚ ବାସନ୍ତୀ ମୁଣ୍ଡା, ପଞ୍ଚାୟତ ବିକାଶ କମିଟିର ସମସ୍ତ ସଦସ୍ୟ ଓ ଶହଶହ ଲୋକେ ପଦଯାତ୍ରା ଓ ବିକ୍ଷୋଭକରି ଓଏମ୍ସି ଅଧିକାରୀଙ୍କୁ ଦାବିପତ୍ର ଦେଇଥିବା ଜଣାପଡ଼ିଛି। ଓଏମ୍ସି ଖଣିରୁ ଲୋଡିଂ, ଟ୍ରାନ୍ସପୋର୍ଟିଂ ଓ ରେଜିଂ କାମରେ ପଚାଶ ପ୍ରତିଶତ ଭୁତୁଡ଼ା ପଞ୍ଚାୟତ ବିକାଶ କମିଟିକୁ ଦିଆଯାଉ ବୋଲି ଦାବିରେ ଉଲ୍ଲେଖ ଥିବାବେଳେ ଯଦି ଖଣି କର୍ତୃପକ୍ଷ ଦାବି ପୂରଣ ନ କରନ୍ତି ତେବେ ଆଗାମୀଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଖଣ୍ଡାଧାର ଓଏମ୍ସି ଖଣି ସମ୍ମୁଖରେ ଗଣବିକ୍ଷୋଭ
/sambad/media/post_attachments/wp-content/uploads/2023/09/cb1124f0-d0c0-44a3-81ef-535b37a43b08.jpg)