କୋଇଡା ବିଡିଓଙ୍କୁ ଘେରିଲା ସିପିଆଇଏମ୍‌; ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି 

କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବି, ବିଡିଓ ପୂର୍ବରୁ ଲେଫ୍ରିପଡ଼ାରେ ଥିବାବେଳେ ମଧ୍ୟ ଦୁର୍ନୀତି ଅଭିଯୋଗ ଥିଲା

କୋଇଡା: ପୁଣି ବିବାଦର ଘେରକୁ ଆସିଛନ୍ତି ବିଡିଓ ପଲ୍ଲବୀ ରାଣୀ ରାଜ। ସେ ଲେଫ୍ରିପଡା ବ୍ଲକର ବିଡ଼ିଓ ଥିବା ସମୟରେ ତାଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲା। ସେଠାରୁ ତାଙ୍କୁ ଗତ ବର୍ଷ କୋଇଡା ବ୍ଲକକୁ ବଦଳି କରା ଯାଇଥିଲା। କିନ୍ତୁ ଏଠାରେ ମଧ୍ୟ ତାଙ୍କ ନାଁରେ ଆହୁରି ସଙ୍ଗୀନ ଅଭିଯୋଗ ଉଠିଛି। ଅନ୍ୟ କେହି ନୁହନ୍ତି, ଏ ଅଭିଯୋଗ ଆଣିଛନ୍ତି ସ୍ବୟଂ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ଆଜି ବିଡ଼ିଓଙ୍କ ବିରୋଧରେ ବ୍ଲକ୍ ଅଫିସକୁ ବିଧାୟକ ଶ୍ରୀ ମୁଣ୍ଡାଙ୍କ ନେତୃତ୍ବରେ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହି ଅବସରରେ ପୁଲିସ ସହିତ ବିକ୍ଷୋଭକାରୀଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା।

କୋଇଡ଼ାରେ ଶ୍ରୀମତୀ ରାଜଙ୍କ କାର୍ଯ୍ୟକାଳ ଭିତରେ ସରପଞ୍ଚମାନଙ୍କୁ ଅବହେଳା କରିବା, ପଞ୍ଚାୟତ ପାଣ୍ଠି କାର୍ଯ୍ୟରେ ପିସି ମାଗିବା, ସମିତି ବୈଠକ ନକରିବା, କାର୍ଯ୍ୟରତ ଥିବା ଜଣେ ବରିଷ୍ଠ ଜେ.ଇ ଇନୋସେଣ୍ଟ୍ ବାରାଙ୍କୁ ଜାତିଆଣ ଆକ୍ଷେପ କରିବା, ବ୍ୟକ୍ତିଗତ ରାଗ କାରଣରୁ ଜଣେ ପିଅନଙ୍କ ଚାକିରି ନେବା, ବ୍ଲକ ଅଧ୍ୟକ୍ଷାଙ୍କ ବିନା ସଂପୃକ୍ତି ଓ ସ୍ବୀକୃତିରେ ଉନ୍ନୟନ କାମଗୁଡ଼ିକୁ ନିଜେ କରାଇବା, ସରକାରୀ କାମ ଭିତରେ ଜାତିଆଣ ଭେଦଭାବ କରିବା, ଜେଇମାନଙ୍କ ଜରିଆରେ ପିସି ଆଦାୟ ସହ ନିଜର ପଦବୀର ଦୁରୁପଯୋଗ କରିବା ଭଳି ସଂଗୀନ ଅଭିଯୋଗ ଆଣି ବିଧାୟକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ବିଡିଓଙ୍କର ତୁରନ୍ତ ବଦଳି ସହ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ। ହେଲେ କିଛି ପଦକ୍ଷେପ ଗ୍ରହଣ କରା ନଯିବାରୁ ଆଜି  ବିଧାୟକ ଶ୍ରୀ ମୁଣ୍ଡାଙ୍କ ନେତୃତ୍ଵରେ  ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ,  କୋଇଡା ବ୍ଲକ ଅଧ୍ୟକ୍ଷା ରୀନା ରାଣୀ କୁମୁଡିଆଲ,  ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ସରପଞ୍ଚ ସୁସିଲା ମୁଣ୍ଡା, ସରପଞ୍ଚ ଭୀମସେନ ଦେହୁରୀ, ସରପଞ୍ଚ ଅନିଲ ବାର୍ଲା, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନ୍ତ, ଚନ୍ଦ୍ରମଣି ନାଏକ, ସୁରେଶ ନାଏକ ଓ ବାବୁଲି ମୁଣ୍ଡା ପ୍ରମୁଖଙ୍କ ସହ ୨,୦୦ରୁ ଊର୍ଦ୍ଧ୍ଵ କର୍ମୀ ଏକ ରାଲି ଯୋଗେ କୋଇଡା ବ୍ଲକ ପରିସର ମଧ୍ୟରେ ପହଞ୍ଚିଥିଲେ।

 

କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବାକୁ ଯାଇ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ମଧ୍ୟ ଘଟିଥିଲା। ପରେ ପରିସର ମଧ୍ୟରେ ଏକ ସଭା କରି ବିଡିଓଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ବଦଳି କରିବା ନେଇ ନେତାମାନେ ଦାବି ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଡ଼ିଓଙ୍କର ବଦଳି ନହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ। ଶେଷରେ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗଙ୍କ ସହ ଆନ୍ଦୋଳକାରୀଙ୍କ ପ୍ରତିନିଧିମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ଏ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ।

ଉଲ୍ଲେଖନୀୟ ଯେ ଶ୍ରୀମତୀ ରାଜ ଲେଫ୍ରିପଡ଼ା ବିଡ଼ିଓ ଥିବାବେଳେ ପାଇଖାନା ଦୁର୍ନୀତି ଭଳି ଅନେକ ଅଭିଯୋଗ ହୋଇଥିଲା। ପାଇଖାନା ତିଆରି ନକରି ସରକାରଙ୍କୁ ଭୁଲ୍ ରିପୋର୍ଟ ଦେଇ ସ୍ବଚ୍ଛ ଭାରତ ମିସନରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପୁରସ୍କାର ସେ ହାସଲ କରିଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ପାଇଖାନା ଦୁର୍ନୀତିକୁ ନେଇ ଗଣମାଧ୍ୟମରେ ଅନେକ ଥର ଖବର ପ୍ରକାଶିତ ହେବାପରେ ହିତାଧିକାରୀଙ୍କୁ ରାତିଅଧରେ ଟଙ୍କା ବଣ୍ଟା ଯିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ଏପରିକି ଥରେ ବ୍ଲକ୍‌ର କର୍ମଚାରୀମାନେ ତାଙ୍କ ବିରୋଧରେ ଧାରଣା ଦେଇଥିଲେ। ଅନେକ ଅଭିଯୋଗ ପରେ ତାଙ୍କୁ ଲେଫ୍ରିପଡ଼ାରୁ ବଦଳି କରା ଯାଇଥିଲା। କିନ୍ତୁ ଦଣ୍ଡ ବଦଳରେ ପୁରସ୍କାର ଦେବାଭଳି ତାଙ୍କୁ କୋଇଡ଼ା ବ୍ଲକକୁ ଅଣା ଯାଇଥିଲା।

ସମ୍ବନ୍ଧିତ ଖବର