ସୁନ୍ଦରଗଡ଼: ବେଆଇନ ପାଉଁଶ ପରିବହନ ବନ୍ଦ, ସ୍ଥାନୀୟ ନିଯୁକ୍ତି, ସିଏସଆର ପାଣ୍ଠିରେ ଅଞ୍ଚଳର ଉନ୍ନତି ଆଜି ୧୭ଟି ଦାବି ନେଇ ଆଜି ଏନଟିପିସି ଦର୍ଲିପାଲି ତାପଜ ବିଦ୍ୟୁତ୍ ପ୍ରକଳ୍ପ ଆଗରେ ପ୍ରଭାବିତ ଅଞ୍ଚଳବାସୀ ବିକ୍ଷୋଭ କରିଛନ୍ତି। ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ନେତୃତ୍ବରେ ଶତାଧିକ ପ୍ରଭାବିତ ରାଏଡିହି, ବଡ଼ବଙ୍ଗା, ଦର୍ଲିପାଲି, ଝୁରିମାଲ, ଅଁଲାବାହାଲ, ମଙ୍ଗସପୁର ସମେତ ଅନେକ ଗାଁର ଶତାଧିକ ଲୋକ ଏନଟିପିସି ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ପହଞ୍ଚି ପ୍ରତିବାଦ କରିଥିଲେ। ପ୍ରଭାବିତ ଅଞ୍ଚଳ ପ୍ରତି ଏନଟିପିସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବାବେଳେ, ପ୍ରଦୂଷଣରେ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି। କୋଇଲା ଓ ପାଉଁଶ ପରିବହନ ଯୋଗୁ ଅଞ୍ଚଳର ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାବେଳେ ଲୋକଙ୍କ ଜୀବନଧାରା ନଦୀନାଳ ମଧ୍ୟ କାରଖାନା ବର୍ଜ୍ୟ ଜଳରେ ପ୍ରଦୂଷିତ ହେଉଛି। ଅନ୍ୟପଟେ କାରଖାନାରେ ସ୍ଥାନୀୟ ପ୍ରଭାବିତଙ୍କ ନିଯୁକ୍ତିକୁ ଉପେକ୍ଷା କରି ବାହାର ରାଜ୍ୟର ଲୋକଙ୍କୁ ନିୟୋଜିତ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ।
ଏହାକୁ ନିୟନ୍ତ୍ରଣ କରିବା ଓ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ କମ୍ପାନି ଶୁଣୁ ନଥିବା ସେମାନେ ଅଭିଯୋଗ କରିଥିଲେ। ଏହି ଅବସରରେ ବିକ୍ଷୋଭକାରୀ ୧୭ ଦଫା ଦାବି ରଖିଥିଲେ। ଦର୍ଲିପାଲିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବସୁନ୍ଧରା ନଦୀରେ ନୂଆ ଜଳ ବିଶୋଧନାଗାର, କାରଖାନାର ବର୍ଜ୍ୟ ପାଉଁଶ ପାଣି ଓ ନର୍ଦ୍ଦମା ଜଳ ନଦୀରେ ନ ଛାଡିବା, ଦର୍ଲିପାଲିର ଜମିହରା ଓ ସ୍ଥାନୀୟ ପ୍ରଭାବିତ ଅଞ୍ଚଳର ଯୋଗ୍ୟ ଯୁବକଯୁବତୀଙ୍କୁ କମ୍ପାନିରେ ନିଯୁକ୍ତି, ବେଇଆନ ପାଉଁଶ ପରିବହନ ବନ୍ଦ, ପ୍ରକଳ୍ପର ଛୋଟ କାମରେ ସ୍ଥାନୀୟ ଠିକାଦାରଙ୍କୁ ନିୟୋଜନ, ପାଉଁଶ ପାଣି ମାଡ଼ି କ୍ଷତି ହୋଇଥିବା ଫସଲର କ୍ଷତିପୂରଣ,ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା, ଆଲୋକୀକରଣ ଦାବି କରାଯାଇଥିଲା।
ବିକ୍ଷୋଭରେ ଜିଲ୍ଲା ପରିଷଦ ସଭ୍ୟ ଗେଲବତୀ ପଟେଲ, ଅଶ୍ବିନୀ ନାଏକ, ଅଞ୍ଜଳି ଘୋଷ, ସୁନିଲ ପଟେଲ, ସଂଜୟ ସାହୁ, ରାଏଡିହି ସରପଞ୍ଚ, ବଡ଼ବଙ୍ଗା ସରପଞ୍ଚଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଛନ୍ତି। ଏନଟିପିସି ଜିଏମ ଏଚ ଏମ ଚକ୍ରବର୍ତ୍ତୀ, ମାନବ ସମ୍ବଳ ଏଜିଏମ ପ୍ରତିଭା ସିଂ, ସମୀର ଭଞ୍ଜ ଏଜିଏମ ଆର ଏଣ୍ଡ ଆର୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।