ସୁନ୍ଦରଗଡ଼: ସରକାର ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଦିବାସୀ।ମାତ୍ର ଦୁଇ ମାସ ମଧ୍ୟରେ ଏପରି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦର ସାମ୍ନା କରିବାକୁ ପଡ଼ିଛି ସରକାରଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ। ଆଜି ଜିଲ୍ଲା କୋଣ ଅନୁକୋଣରୁ ହଜାର ହଜାର ଆଦିବାସୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ଚଳିତ ମାସ ୬ ତାରିଖରେ ରାଜସ୍ବ ବିଭାଗ ଜବରଦଖଲ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି, ଯାହାକୁ ବିରୋଧ କରିଛନ୍ତି ଜିଲ୍ଲାର ଆଦିବାସୀ। ବିରୋଧ କରି ସୁନ୍ଦରଗଡ଼ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚର ଆହ୍ବାନରେ ଆଜି ହଜାର ହଜାର ଆଦିବାସୀ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି।ଗୋଟିଏ ପଟେ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ସରକାର ଜଙ୍ଗଲ ଜମିରୁ ସେମାନଙ୍କ ଜୀବନ ଜୀବିକା ଓ ବସତିକୁ ଉଚ୍ଛେଦ କରି ଜମି ସବୁ କମ୍ପାନି ହାତରେ ଟେକି ଦେବାକୁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ କରିଛି ମଞ୍ଚ। ଯଦି ସରକାର ଏହି ନିର୍ଦ୍ଦେଶ ପ୍ରତ୍ୟାହାର ନ କରନ୍ତି ତାହେଲେ ଆଗକୁ ଆହୁରି ତୀବ୍ର ପ୍ରତିବାଦ କରାଯିବ ବୋଲି କହିଛନ୍ତି ଆଦିବାସୀ।

ବିଶାଳ ବିକ୍ଷୋଭରେ ରାଜଗାଙ୍ଗପୁର ବିଧାୟକ ଡ. ରାଜେନ ଏକ୍କା, ଜିଲ୍ଲା ମାଟି ବଞ୍ଚାଅ ମଞ୍ଚ ସଭାପତି ଆଲବର୍ଟ କିଣ୍ଡୋ ଓ ଅନ୍ୟ ନେତୃବର୍ଗ ସାମିଲ ହୋଇଛନ୍ତି। ସ୍ଥାନୀୟ ନାରୀକଲ୍ୟାଣ କେନ୍ଦ୍ରରୁ ହଜାର ହଜାର ଆଦିବାସୀ ୪ କିଲୋମିଟର ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।