ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସମସ୍ତ ତହସିଲ ଅଧୀନରେ ଚାଲିଥିବା ଜମିବାଡ଼ି, ବସତିର ହାଇଟେକ ସର୍ବେକ୍ଷଣ ଓ ବନ୍ଦୋବସ୍ତକୁ ଆଦିବାସୀଙ୍କ ତୀବ୍ର ବିରୋଧ। ଟାଣ ଖରାରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ନୂଆ ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାଟି ବଞ୍ଚାଅର ହୁଙ୍କାର ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ମାଟି ବଞ୍ଚାଅ ମଞ୍ଚର ନେତୃତ୍ବରେ ଆୟୋଜିତ ଶୋଭାଯାତ୍ରା ଓ ବିକ୍ଷୋଭରେ କଂଗ୍ରେସ ସାମିଲ ହୋଇ ଦାବିକୁ ସମର୍ଥନ ଜଣାଇଥିଲେ।
କଂଗ୍ରେସ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ରାଜଗାଙ୍ଗପୁର ବିଧାୟକ ଡ. ସିଏସ ରାଜେନ ଏକ୍କା, ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରୀ, ବରିଷ୍ଠ ନେତା ବେଣୁମାଧବ ତ୍ରିପାଠୀ, ରାଜକିଶୋର ଷଡ଼ଙ୍ଗୀ, ଯୁବନେତା ଆଲବର୍ଟ କିଣ୍ଡୋ, ଅଜିତ ପ୍ରସାଦ, ନିର୍ମଳ ନାୟକ, ଅମିତା ବିଶ୍ବାଳ, ଦେବାଶିଷ ଦାସ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ନେତା ଏହି ସର୍ବେକ୍ଷଣ ଓ ବନ୍ଦୋବସ୍ତକୁ ବନ୍ଦ ନ କଲେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଆନ୍ଦୋଳନ କରାଯିବ ବୋଲି କହିଥିଲେ।
ଆଦିବାସୀମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର ହାଇଟେକ ସର୍ବେକ୍ଷଣ ନାଁରେ ବିଭିନ୍ନ କଳକାରଖାନାକୁ ଜମି ଟେକିଦେବା ପାଇଁ ମସୁଧା ଚଳାଇଛନ୍ତି। ସର୍ବେକ୍ଷଣରେ ସବୁ ନିର୍ଦ୍ଦେଶ ଓ ନିୟମକୁ ଏଡ଼ାଇ ଦିଆଯାଇଛି। ବିଶେଷ କରି ହିନ୍ଦୁ ସଂଶୋଧିତ ଉତ୍ତରାଧିକାରୀ ଆଇନ ଅନୁସୂଚିତ ଜନଜାତିମାନଙ୍କ ପାଇଁ ଲାଗୁ ହେବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ରେ ରାୟ ପ୍ରକାଶ କରିଥିଲେ ମଧ୍ୟ ଏଠାରେ ତାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ମଞ୍ଚ। ଓଡ଼ିଶା ସରକାରଙ୍କ ବିଜ୍ଞପ୍ତିକୁ ଆଧାର କରି ଓଡ଼ିଶା ସ୍ବତନ୍ତ୍ର ସର୍ବେକ୍ଷଣ ଓ ବନ୍ଦୋବସ୍ତ ଆଇନ-୨୦୧୨ ଏବଂ ନିୟମାବଳୀ -୨୦୧୨ର (୫) ଅନୁଯାୟୀ ତହସିଲଗୁଡିକରେ ସର୍ବେକ୍ଷଣ ପାଇଁ ଘୋଷଣା କରି ନଥିବା, ଜମିରେ ସ୍ବାର୍ଥ ଥିବା ବ୍ୟକ୍ତିଙ୍କୁ କୌଣସି ସୂଚନା ଦିଆଯାଉ ନଥିବା, ଏହି ପ୍ରକ୍ରିୟାରେ ପଞ୍ଚାୟତକୁ ସାମିଲ କରାଯାଉ ନଥିବା, ଏହି ପ୍ରକ୍ରିୟାରେ କେବଳ କଲମ-୨ର ସଂଶୋଧନ କରାଯାଉଥିବା ବେଳେ ବହୁଦିନ ଧରି ଦଖଲରେ ଥିବା ଜମିର ବନ୍ଦୋବସ୍ତ କରାଯାଉ ନଥିବା ଏବଂ ଜମିର ପ୍ରତ୍ୟକ୍ଷ ଯାଞ୍ଚ କରାଯାଉ ନଥିବା ମଞ୍ଚ ଅଭିଯୋଗ କରିଛି। ତେଣୁ ହାଇଟେକ୍ ସର୍ବେକ୍ଷଣ ଓ ବନ୍ଦୋବସ୍ତ ପ୍ରକ୍ରିୟାକୁ ବନ୍ଦ କରାଯାଉ ବୋଲି ମଞ୍ଚ ଦାବି କରିଛି। ଏହି ଅବସରରେ ମଞ୍ଚ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।