ବଣାଇଁଗଡ଼/ଗୁରୁଣ୍ଡିଆ : ବଣାଇଁ ଉପଖଣ୍ଡରେ ଗାଡ଼ି ଚକ ଚୋର ମାତିଛନ୍ତି। ଦୁଇ ଦିନ ତଳେ ଟାଙ୍କଯୋଡା ଗ୍ରାମର କର୍ମୁ କିସାନଙ୍କ ଘର ଆଗରେ ଠିଆ ହୋଇଥିବା ଏକ ନୂଆ ପିକ୍ଅପ୍ ଭ୍ୟାନ୍ରୁ ଷ୍ଟେପିନି ସହ ୫ଟି ଚକ ଚୋରି ହୋଇଥିଲା। ଗତ ଅକ୍ଷୟ ତୃତୀୟା ଦିନ ସେ ଏହି ନୂଆ ବଲେରୋ ପିକ୍ଅପ୍ ଭ୍ୟାନ୍ କିଣି ଥିଲେ। ଏ ସଂପର୍କରେ ସେ ଲହୁଣିପଡ଼ା ଥାନାରେ ଏକ ଏତଲା ଦେବା ସହ ପୁଲିସ ଘଟଣାର ତନାଘନା ଚଳାଇଥିଲେ ହେଁ ଚୋର ଦଳଙ୍କୁ ଠାବ କରି ପାରି ନଥିଲାବେଳେ ଗତକାଲି ରାତିରେ ଅନୁରୂପ ଘଟଣା ବଣାଇଁଗଡ଼ ସହରରେ ଦେଖିବାକୁ ମିଳିଛି। ବଣାଇଁଗଡ଼ ମୁଖ୍ୟ ମାର୍ଗ ବ୍ଲକ୍ ଛକରେ ରହୁଥିବା ଅଭିଷେକ ଜୟଶ୍ବାଲ୍ ନିଜର ନୂଆ ପିକ୍ଅପ୍ ଭ୍ୟାନ୍କୁ ଘର ଆଗରେ ରଖି ଶୋଇଥିଲେ। ସକାଳେ ନିଦରୁ ଉଠି ଗାଡ଼ିର ଚକ ନଥିବା ଦେଖିବାକୁ ପାଇଥିଲେ। ଗାଡ଼ିର ଆଗ ଚକ କୌଣସି ଦୁର୍ବୃତ୍ତ ଖୋଲି ନେବା ସହ ଷ୍ଟେପିନି ମଧ୍ୟ ନେଇଯାଇଥିଲେ। ଗତ ୧୦ ଦିନ ତଳେ ସେ ଏହି ନୂଆ ପିକ୍ଅପ୍ ଭ୍ୟାନ୍ କିଣିଥିଲେ। ଗାଡ଼ିର ଏକ୍ସେଲ୍ରେ ପଥର ଖଣ୍ଡ ରଖି ଅତି ଚତୁରତାର ସହ ଚକ ଖୋଲି ନେଇଥିବା ଦେଖିବାକୁ ମିଳିଛି। ଏହା ସହିତ ନିକଟରେ ଥିବା ଅନ୍ୟ ଏକ ବୋଲେରୋର ଚକ ଖୋଲିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଆଜି ସକାଳେ ଘଟଣା ସଂପର୍କରେ ଅଭିଷେକ ବଣାଇଁ ଥାନାରେ ଏକ ଏତଲା ଦେଇଥିଲେ। ଦୁଇ ଦିନ ବ୍ୟବଧାନରେ ଏହା ଦ୍ବିତୀୟ ଘଟଣା ହୋଇଥିବାବେଳେ ଉପଖଣ୍ଡରେ ଗାଡ଼ି ଚକ ଚୋର ଦଳ ମାତିଥିବାରୁ ସାଧାରଣରେ କୋକୁଆ ଭୟ ଖେଳିଯାଇଛି। ଲୋକେ ନିଜ ନିଜ ଗାଡ଼ିର ସୁରକ୍ଷା ନେଇଚିନ୍ତିତ ହୋଇ ପଡ଼ିଛନ୍ତି। ଏଥିପ୍ରତି ଉପଖଣ୍ଡ ପୁଲିସ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାତିରେ ପାଟ୍ରୋଲିଂ କରାଯିବା ସହ ଚୋର ଦଳକୁ ତୁରନ୍ତ ଠାବ କରିବାକୁ ଦାବି ହେଉଛି।
ସେହିପରି ଗୁରୁଣ୍ଡିଆ ଥାନାରୁ ଠାରୁ ମାତ୍ର ୨୦୦ ମିଟର ଦୂରରେ ଠିଆ ହୋଇ ଥିବା ଓଡ଼ି ୧୪ ଆର୍ ୧୫୮୬ ପିକ୍ଅପ୍ ଭ୍ୟାନ୍ରୁ ମଧ୍ୟ ଅନୁରୁପ ଭାବେ ଷ୍ଟେପିନି (ଚକ) ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଗାଡ଼ି ମାଲିକ ଗୁରୁଣ୍ଡିଆରେ ନଥିବାରୁ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଅନ୍ୟ ପକ୍ଷରେ ଗୁରୁଣ୍ଡିଆ ସଦର ମହକୁମାରେ ଘର ଓ ଦୋକାନ ଆଗରେ ୫୦ରୁ ଅଧିକ ଗାଡ଼ି ଛିଡ଼ା ହେଉଥିଲାବେଳେ ଏଭଳି ଚକ ଚୋରି ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।
ରୢାକେଟ୍ ସକ୍ରିୟ:ପୁଣି ୨ ନୂଆ ଭ୍ୟାନରୁ ଚକ ଚୋରି
/sambad/media/post_attachments/wp-content/uploads/2019/05/tyrepile.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)