ତେଲ ଠକେଇ : ୬ ପେଟ୍ରୋଲ ପମ୍ପରେ ଚଢ଼ଉ

ରାଉରକେଲା : ମାଓ ଓ ଓଜନ ବିଭାଗ ପକ୍ଷରୁ ଆଜି ସହରର ୬ଟି ପେଟ୍ରୋଲ ପମ୍ପରେ ଚଢ଼ଉ ହୋଇଛି। ପେଟ୍ରୋଲ୍‌ ପମ୍ପରେ ଚାଇନା ଚିପ୍‌ସ ବ୍ୟବହାର କରି ପେଟ୍ରୋଲ, ଡିଜେଲ ଠକେଇ ହେଉଥିବା ଅଭିଯୋଗ ମିଳିବା ପରେ ଏହି ଚଢଉ ହୋଇଥିଲା।ଜଣେ ପେଟ୍ରୋଲ୍‌ ପମ୍ପ ମାଲିକଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।

ମାପ ଓ ଓଜନ ବିଭାଗର ବରିଷ୍ଠ ନିରୀକ୍ଷକ ରବୀନ୍ଦ୍ର କୁମାର ମହାପାତ୍ର ଓ ସହକାରୀ ନିରୀକ୍ଷକ ବିଦ୍ୟାଧର ବିଶ୍ୱାଳ ନେତୃତ୍ୱରେ ଗଠିତ ଟିମ୍‌ ପ୍ରଥମେ ପାନପୋଷ ହକି ଛକ ପେଟ୍ରୋଲ ପମ୍ପରୁ ଚଢ଼ାଉ ଆରମ୍ଭ କରିଥିଲେ। ପରେ ଡେଲିମାର୍କେଟ, ଉଦିତନଗର କଚେରୀ ରୋଡ, ପାନପୋଷ ରୋଡ ଏବଂ ଶେଷରେ ବେଲ୍‌ଡିହି ସ୍ଥିତ ଚୌଧୁରୀ ଅଟୋ ମୋବାଇଲ୍‌ରେ ଉପରେ ଚଢ଼ଉ ହୋଇଥିଲା। ସର୍ଭିସ ଇଞ୍ଜିନିୟର ସୁକାନ୍ତ ମୁଦୁଲି, ଗୋପାଳ ପଟ୍ଟନାୟକ ପ୍ରତ୍ୟେକ ପେଟ୍ରୋଲ ପମ୍ପର ମିଟରରେ ବ୍ୟବହୃତ ଚିପ୍‌ସ, ତେଲର ମାନ ସହ ଅନ୍ୟାନ୍ୟ ଯନ୍ତ୍ରାଂଶଗୁଡିକୁ ଯାଞ୍ଚ କରିଥିଲେ। ଅଧିକାରୀମାନେ କ୍ରୟ ଏବଂ ବିକ୍ରୟ କାଗଜପତ୍ର, ପଞ୍ଜିକୃତ ଲାଇସେନ୍ସର ଅବଧି ଆଦିକୁ ଯାଞ୍ଚ କରିଥିଲେ ।

ବେଲଡିହି ଚୌଧୁରୀ ଅଟୋ ମୋବାଇଲ ପେଟ୍ରୋଲ ପମ୍ପରେ ତେଲ୍‌ କ୍ରୟ ବିକ୍ରୟ କାଗଜପତ୍ର ଠିକ୍‌ ନଥିବାରୁ ମାଲିକଙ୍କୁ ୧୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଥିଲା। ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ମାପ ଓ ଓଜନ ବିଭାଗର ପ୍ରିୟବ୍ରତ ଜେନା, ରଞ୍ଜନ ରଶ୍ମୀ ପରିଡା, ଅମ୍ରିତ ଛୋଟରାୟ, ବୁଧୁରାମ ସିଂଙ୍କ ସହ ଏଚ୍‌ପିସିଏଲ୍‌ର ସେଲ୍‌ସ ଅଫିସର ଜୟପ୍ରକାଶ ପ୍ରଧାନ, ଆଇଓସିଏଲ୍‌ର ସଚ୍ଚିନ ସୋନକର ସାମିଲ ଥିଲେ। ଏହି ଚଢ଼ଉକୁ ନେଇ ସହରର ପେଟ୍ରୋଲ ପମ୍ପ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଆଜିର ଚଢଉରେ ତେଲ୍‌ ଠକେଇ ସମ୍ପର୍କିତ କୌଣସି ପ୍ରମାଣ ମାପ ଓ ଓଜନ ବିଭାଗ ହାତରେ ଲାଗି ନଥିଲା। ଚଢଉ ପୂର୍ବରୁ ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ଆଗୁଆ ସୂଚନା ମିଳି ଯାଉଥିବାରୁ ସେମାନେ ସତର୍କ ହୋଇଯାଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର