ଲଟକିଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟକୁ ରେଳ ସଂଯୋଗ: ସର୍ଭେରେ ଅଟକିଛି ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥ

ସୁନ୍ଦରଗଡ଼ : ସାମଗ୍ରିକ ବିକାଶରେ ପଛୁଆ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ । ବିଶେଷ କରି ଉନ୍ନତ ଗମନାଗମନରେ ଜିଲ୍ଲା ଏବେ ବି ବହୁ ପଛରେ। ସ୍ବାଧୀନତାର ୭୪ ବର୍ଷ ପରେ ବି ଜିଲ୍ଲା ମୁଖ୍ୟାଳୟକୁ ରେଳ ସଂଯୋଗ ହୋଇପାରିନାହିଁ। ଏ ଭଳି ସ୍ଥିତିରେ ବହୁଦିନରୁ ପ୍ରସ୍ତାବିତ ଝାରସୁଗୁଡ଼ା-ସୁନ୍ଦରଗଡ଼-ଅମ୍ବିକାପୁର ରେଳପଥ କେବଳ ସର୍ଭେରେ ଅଟକି ରହିଛି।

ବହୁଦିନରୁ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାକୁ ରେଳପଥ ସଂଯୋଗ ପାଇଁ ଦାବି ହୋଇ ଆସୁଥିବା ବେଳେ ଝାରସୁଗୁଡ଼ା-ଅମ୍ବିକାପୁର ଭାୟା ସୁନ୍ଦରଗଡ଼ ରେଳପଥ ପ୍ରସ୍ତାବ ଆଣିଥିଲେ ଛତିଶଗଡ଼ ଯଶପୁରର ରାଜା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସ୍ବର୍ଗତ ଦୁଲୀପ ସିଂ ଜୁଦେବ। କେନ୍ଦ୍ରକୁ ଏହି ନୂଆ ରେଳପଥର ପ୍ରସ୍ତାବ ପଠାଗଲା। ତତ୍କାଳୀନ ଲୋକସଭା ସଦସ୍ୟ ହେମାନନ୍ଦ ବିଶ୍ବାଳ ବଜେଟ ଆଲୋଚନା ବେଳେ ଉପା ସରକାରର ରେଳମନ୍ତ୍ରୀଙ୍କୁ ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥରସ୍ଥିତି ସମ୍ପର୍କରେ ପଚାରିଥିଲେ। ସେ ସମୟରେ ରେଳମନ୍ତ୍ରୀ ରେଳପଥ ସର୍ଭେ ଲାଗି ଅର୍ଥ ଦିଆଯାଇଥିବା ଓ ୨୦୧୩ ସୁଦ୍ଧା ସର୍ଭେ କାମ ଶେଷ ହେବ ବୋଲି ଜଣାଇଥିଲେ। ୨୦୧୩ରେ ଏହାର ପ୍ରାଥମିକ ସର୍ଭେ କାମ ଶେଷ ‌ହୋଇ ଥିବା ସୂଚନା ରହିଛି।

ପରବର୍ତ୍ତୀ ସମୟରେ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳ ବଜେଟ୍‌ରେ ଅର୍ଥ ମିଳିବ ବୋଲି ଆଶା କରାଯାଉଥିଲା। ୨୦୧୪ରେ ଉପା ସରକାର ପରାଜିତ ହୋଇ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଆସିବା ପରେ ଏ ଆଶା ଦ୍ବିଗୁଣିତ ହୋଇଥିଲା । କାରଣ ବିଜେପି ସାଂସଦ ଦୁଲୀପ ସିଂ ଜୁଦେବ ଏହି ରେଳପଥ ପାଇଁ ପ୍ରଥମେ ପ୍ରସ୍ତାବ ଆଣିଥିଲେ, ତେଣୁ ବିଜେପି ଏହାକୁ ଅଗ୍ରାଧିକାର ଦେଇ ନୂଆ ରେଳପଥ ନିର୍ମାଣକୁ ଆଗକୁ ନେବେ ବୋଲି ସୁନ୍ଦରଗଡ଼ବାସୀ ଭାବିଥିଲେ। କିନ୍ତୁ କେନ୍ଦ୍ର ସରକାର ଏ ରେଳପଥ ସମ୍ପର୍କରେ ପୂରା ନିରବ ରହିଲେ। ଏପରିକି ତତ୍କାଳୀନ ରାଜ୍ୟସଭା ସଦସ୍ୟ ଦିଲୀପ ତିର୍କି ବାରମ୍ବାର ରେଳ ମନ୍ତ୍ରାଳୟକୁ ପତ୍ର ଲେଖି ତୁରନ୍ତ ଏ ରେଳପଥ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ, କିନ୍ତୁ ରେଳ ମନ୍ତ୍ରାଳୟ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଇତିମଧ୍ୟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଚିଠି ଲେଖି ଏହି ସ୍ବପ୍ନର ରେଳପଥ ସଂଯୋଗ ପ୍ରତି ସୁଦୃଷ୍ଟି ପକାଇବାକୁ ଅନୁରୋଧ କରିଛନ୍ତି। ଆଶା ଅଛି, ନୂଆ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ତାଙ୍କ ରେଳ ବିକାଶରେ ସୁନ୍ଦରଗଡ଼ ସଦର ମହକୁମାକୁ ନିଶ୍ଚୟ ଯୋଡ଼ି ଜିଲ୍ଲାର ବିକାଶକୁ ଆଗକୁ ନେବେ।

ସମ୍ବନ୍ଧିତ ଖବର