ରାଉରକେଲା: ସହରର ବିଭିନ୍ନ ଅଞ୍ଚଳରେ ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ହୁଳହୁଳି, ହରିବୋଲ, ଶଙ୍ଖ, ସଂକୀର୍ତ୍ତନର ତାଳେତାଳେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ସୁଭଦ୍ରା ମନ୍ଦିରକୁ ବାହୁଡ଼ିଛନ୍ତି। ହଜାର ହଜାର ଆବାଳବୃଦ୍ଧବନୀତା ରଥକୁ ଟାଣି ଟାଣି ଆଣିଥିଲେ ଜଗନ୍ନାଥ ମନ୍ଦିରକୁ। ପ୍ରଭୁ ବଳଭଦ୍ର ‘ତାଳଧ୍ବଜ’ ରଥ, ମା’ ସୁଭଦ୍ରା ‘ଦର୍ପଦଳନ’ ଓ ଜଗନ୍ନାଥ ‘ନନ୍ଦିଘୋଷ’ ରଥରେ ବିଜେ ହେବାପରେ ଠାକୁରରାଜା ଛେରା ପହଁରା କରିଥିଲେ। ଇସ୍ପାତ ସହରର ରିଂ ରୋଡ୍‌ଠାରୁ ଆରମ୍ଭକରି ଡେଲିମାର୍କେଟ୍‌ ପର୍ଯ୍ୟନ୍ତ, ପୁଣି ଛେଣ୍ଡ୍‌, ବାସନ୍ତୀକଲୋନି, ଉଦିତନଗର, ପାନପୋଷ ଆଦି ପ୍ରତ୍ୟେକ ଅଞ୍ଚଳରେ ଭକ୍ତଙ୍କ ଉପସ୍ଥିତିରେ ପୁରି ଉଠିଥିଲା ରାସ୍ତା ଓ ଗଳିକନ୍ଦି। ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ପୁଲିସ କର୍ମଚାରୀ ନିୟୋଜିତ ଥିଲେ। ସହରର ଏକାଧିକ ସ୍ଥାନରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ଅତ୍ୟନ୍ତ ଶାନ୍ତିପୂର୍ଣ୍ଣଭାବେ ସମ୍ପନ୍ନ ହୋଇଥିଲା।
ସହରର ସର୍ବପୁରାତନ ଅହିରାବନ୍ଧ ଜଗନ୍ନାଥ ମନ୍ଦିରକୁ ରାତି ପ୍ରାୟ ୮ଟାରେ ବାହୁଡ଼ିଛନ୍ତି ତିନିଠାକୁର। ଆମ୍ବାଗାନ ଗୁଣ୍ଡିଚାମନ୍ଦିରରୁ ତିନି ଠାକୁର ରଥାରୁଢ଼ ହୋଇଥିଲେ। ପ୍ରାୟ ୩.୨୦ରେ ରାଜା ଅତନୁ ଭୌମିକ ଛେରାପହଁରା କରିଥିଲେ। ପରେ ପ୍ରାୟ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ହଜାରହଜାର ଭକ୍ତ ରଥଟଣାରେ ସାମିଲ ହୋଇଥିଲେ। କିଏ ପବିତ୍ର ରଥ ଦଉଡ଼ି ଛୁଇଁବାକୁ ଆଗଭର ହେଉଥିଲେ ତ ପୁଣି କିଏ ଦୀର୍ଘସମୟଧରି ରଥ ଟାଣିଟାଣି ନେଇଥିଲେ। ଏହିଅବସରରେ ସଂକୀର୍ତ୍ତନ, ହୁଳହୁଳି, ଶଙ୍ଖନାଦରେ କମ୍ପି ଉଠିଥିଲା ପରିସର। ସେହିଭଳି ଉଦିତନଗର ରେଲୱେ ଷ୍ଟେସନ ସଙ୍କଟମୋଚନ ମାଉଓୀ ମା’ ମନ୍ଦିରରେ ପ୍ରାୟ ୩ଟାରେ ଛେରାପହଁରା କରାଯାଇଥିଲା। ପାଖାପାଖି ୩.୧୫ରେ ରଥଟଣା ଆରମ୍ଭ ହୋଇଥିଲା। ପରେ ମୁଖ୍ୟରାସ୍ତା, ଡେଲିମାର୍କେଟ୍‌ ଦେଇ ଶ୍ରଦ୍ଧାଳୁକୁ ରଥକୁ ଟାଣିଟାଣି ଉଦିତନଗର ଜଗନ୍ନାଥ ମନ୍ଦିରକୁ ଆଣିଥିଲେ। ସେକ୍ଟର-୨୦ ଗୁଣ୍ଡିଚାମନ୍ଦିରରେ ମହାପ୍ରଭୁ ରଥକୁ ବିଜେ କଲାପରେ ଅପରାହ୍ନ ପ୍ରାୟ ୪ଟାରେ ଉପଜିଲ୍ଲାପାଳ ବିଜୟ ନାୟକ ଛେରାପହଁରା କରିଥିଲେ। ପ୍ରାୟ ସାଢ଼େ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ଏତଦ୍‌ବ୍ୟତୀତ ପ୍ଲାଣ୍ଟସାଇଟ୍‌ ଗୁଣ୍ଡିଚା ମନ୍ଦିରରୁ ତିନି ଠାକୁରଙ୍କ ରଥ ରିଂ ରୋଡ୍‌ଦେଇ ହନୁମାନବାଟିକା ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିବାବେଳେ ସେକ୍ଟର-୮ ମାଉସୀ ମା’ ମନ୍ଦିରର ତିନି ରଥ ସେକ୍ଟର-୬ ଏଚ୍‌’ବ୍ଲକ ଜଗନ୍ନାଥ ମନ୍ଦିର, ପାନପୋଷ କାଳୀ ମନ୍ଦିର ମାଉସୀ ମା’ ମନ୍ଦିରରୁ ତିନି ରଥ ସର୍କିଟ ହାଉସ ପାଖ ଜଗନ୍ନାଥ ମନ୍ଦିର, ଏସ୍‌ଟିଆଇ ଛକ ମାଉସୀ ମା’ ମନ୍ଦିରରୁ ରଥ ତାରିଣୀ ମନ୍ଦିରରେ ଥିବା ଜଗନ୍ନାଥ ମନ୍ଦିର, କଳିଙ୍ଗବିହାର ଉମାଶଙ୍କର ପୀଠ ଗୁଣ୍ଡିଚା ମନ୍ଦିରରୁ ବାହାରି ତିନି ଠାକୁର ଛେଣ୍ଡ କଲୋନି ଦେବବିହାର ଜଗନ୍ନାଥ ମନ୍ଦିର, ଛେଣ୍ଡ୍‌ ଭିଏସ୍‌ଏସ୍‌ ମାର୍କେଟ ପାଖ ଗୁଣ୍ଡିଚା ମନ୍ଦିରରୁ ଏଲ୍‌ସିଆର୍‌ ବ୍ଲକ ଜଗନ୍ନାଥ ମନ୍ଦିର, ତରକେରାସ୍ଥିତ ମାଉସୀ ମା’ ମନ୍ଦିରରୁ ତିନି ଠାକୁରଙ୍କ ରଥ ଦେଓଗାଁ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା।