ରାଉରକେଲା: ଚଳିତ ବର୍ଷ ପ୍ରବଳ ଶୀତ ପ୍ରକୋପରେ ଥରୁଛି ରାଉରକେଲା ସହର। ଘରେଘରେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଥଣ୍ଡାକାଶ ଓ ଜ୍ବରର ଶିକାର ହେଉଛନ୍ତି । ଥଣ୍ଡାକାଶ ଜ୍ବର ଆରମ୍ଭ ହେଲା ମାନେ ଭଲ ହେବାକୁ ଦୁଇଦିନି ସପ୍ତାହ ଲାଗି ରହୁଛି। ଶରୀରରେ ଯନ୍ତ୍ରଣା ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଥଣ୍ଡାକାଶ ଛାଡ଼ିବାର ୧୫/୨୦ଦିନ ପରେ ପୁଣି ଫେରୁଛି। ଏଭଳି କାହିଁକି ହେଉଛି? ଏହାପଛର କାରଣ କ’ଣ? ଏ ସଂପର୍କରେ ଆରଜିଏଚର ମେଡିସିନ୍ ସ୍ପେସାଲିଷ୍ଟ ଡା.ଦୁର୍ଗେଶ ସଙ୍କଠୁ ଜାଣିବା... 

Advertisment

-ଥଣ୍ଡାକାଶ ଓ ଜ୍ବର ହେଲେ ଛାଡ଼ିବାର ନା ନେଉନାହିଁ ଏହାର କାରଣ କ’ଣ?

* ବର୍ତ୍ତମାନ ହେଉଥିବା ଥଣ୍ଡାକାଶ ଓ ଜ୍ବର ବ୍ୟାକ୍‌ଟେରିଆଲ ନୁହେଁ ଏହା ହେଉଛି ଭାଇରାଲ ସଂକ୍ରମଣ । ପ୍ରତିଥର ଭାଇରସର ଷ୍ଟ୍ରେନ୍ ଭିନ୍ନ ରହିଥାଏ। ଏଇ କିଛି ମାସ ହେବ ଯେଉଁ ଷ୍ଟ୍ରେନ୍ ଆସିଛି ତାହା ଅଧିକ ରହିଛି। ତେଣୁ ଥରେ କାଶ ହେଲେ ଭଲ ହେବାପାଇଁ ଦୁଇସପ୍ତାହ ଲାଗି ଯାଉଛି। ଦ୍ବିତୀୟ କାରଣ ପ୍ରଦୂଷଣକୁ ନିଆଯାଇପା‌ରେ। କେତେକ ସର୍ଭେରୁ ଜଣାପଡ଼ିଛି ପ୍ରଦୂଷଣ ହେତୁ ଧୀ‌ରେଧୀରେ ଫୁସଫୁସର ପ୍ରତିରକ୍ଷା ଶକ୍ତି ହ୍ରାସ ପାଉଛି। ତେଣୁ ଥଣ୍ଡାକାଶ ଭଲ ହେବାପାଇଁ ଅଧିକ ସମୟ ଲାଗିଯାଉଛି।

ଅଧିକପଢ଼ନ୍ତୁ:କୁହୁଡ଼ି ନେଇ ସତର୍କ ସୂଚନା ଜାରି କଲା ଆଇଏମଡି

-ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଓ ଆଣ୍ଟିବାୟୋଟିକ ଖାଇବା ଦ୍ବାରା କ’ଣ ସମସ୍ୟା ରହୁଛି?

* ଏହା ରୋଗୀଙ୍କ ଶରୀର ଉପରେ ଗଭୀରଭାବେ ପ୍ରଭାବ ପକାଉଛି। ଡାକ୍ତର ରୋଗୀଙ୍କ ବୟସ ଓ ଓଜନ ଅନୁଯାୟୀ ଔଷଧ ଖାଇବାର ମାତ୍ରା ଓ ପରିମାଣ ସୂଚାଇ ଦେଇଥାଆନ୍ତି। ଜଣେ ରୋଗୀର ଛାତିରେ ସଂକ୍ରମଣ କେତେ ଅଛି? ଜ୍ବର ରହୁଛି କି ନାହିଁ? କେତେ ମାତ୍ରାରେ ଅଛି ? ବ୍ୟାକ୍‌ଟେରିଆଲ ଇନଫେକସନ ଅଛି କି ନାହିଁ ତାହା ପରୀକ୍ଷା ପରେ ହିଁ ଆଣ୍ଟିବାୟୋଟିକ ଖାଇବାକୁ ଦିଆଯାଇଥାଏ।

କିନ୍ତୁ କେତେକ ଅଛନ୍ତି ଡାକ୍ତରଙ୍କ ପରାମର୍ଶ ବିନା ଅନାବଶ୍ୟକ ଭାବେ ଔଷଧ ଦୋକାନରୁ ଆଣ୍ଟିବାୟୋଟିକ କିଣି ଖାଇ ଦେଉଛନ୍ତି। ଏହା ଶରୀର ଉପରେ କ’ଣ ପ୍ରଭାବ ପକାଉଛନ୍ତି ରୋଗୀ ଜାଣି ପାରୁନାହାନ୍ତି। ଧୀରେଧୀରେ ଶରୀରରୁ ରୋଗପ୍ରତି‌ରୋଧକ ଶକ୍ତି ହ୍ରାସ ପାଉଛି। ଫଳରେ କାଶ ଓ ଥଣ୍ଡା ଥରେ ହେଲେ ଛାଡ଼ିବା ପାଇଁ ଅଧିକ ଦିନ ଲାଗି ଯାଉଛି।

-କରୋନା ମହାମାରୀ ପରେ ଏହି ସମସ୍ୟା ଅଧିକ ଦେଖା ‌ଦେଉଛି କି?

*ଏବେ ପର୍ଯ୍ୟନ୍ତ ସେପରି କିଛି ବୈଜ୍ଞାନିକ କାରଣ ଆସିନାହିଁ କିନ୍ତୁ କିଛିଟା ହୃଦପିଣ୍ଡଜିନତ ସମସ୍ୟା ବୃଦ୍ଧି ପାଇବାର ଘଟଣା ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ସମୟରେ ଯଦି କୌଣସି ରୋଗୀଙ୍କ ନିମୋନିଆ ବିକାଶିତ ହୋଇଛି ସେ କ୍ଷେତ୍ରରେ ଥଣ୍ଡା ଓ କାଶ ହେଲେ ଭଲ ହେବାପାଇଁ ପୂର୍ବ ଅପେକ୍ଷା ଅଧିକ ସମୟ ଲାଗୁଛି। କିନ୍ତୁ ଡାକ୍ତରୀ ଚିକିତ୍ସାରେ ଏନେଇ କିଛି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

-କେତେଦିନ ଭିତରେ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ?

* ଜ୍ବର ଓ ଥଣ୍ଡାକାଶ ହେଲେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଦିନେ/ଦୁଇଦିନ ଅପେକ୍ଷା ପରେ ଯଦି ଜ୍ବର ନକମିଲା, ଶରୀର ଅଧିକ ଅସୁସ୍ଥ ଲାଗିଲା ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡ଼ିବା ଆବଶ୍ୟକ। ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା ସହିତ ଔଷଧ ଖାଇବା ଦ୍ବାରା ରୋଗୀ ଶୀଘ୍ର ସୁସ୍ଥ ହୋଇପାରିବ।

-ସାଧାରଣ ଥଣ୍ଡାକାଶ ଓ ଭାଇରାଲ ସଂକ୍ରମଣ ମଧ୍ୟରେ ପ୍ରାର୍ଥକ୍ୟ କ’ଣ ରହିଛି?

* ସାମାନ୍ୟ ଥଣ୍ଡାକାଶର ଅବଧି ୩ରୁ ୭ଦିନ ପାଇଁ ଥାଏ । କିନ୍ତୁ ଭାଇରାଲ ସଂକ୍ରମଣ ହେଲେ ଅଧିକଦିନ ଜ୍ବର ରହିବା ସହିତ ପ୍ରବଳ ଥଣ୍ଡା ଲାଗିବା, ନାକରୁ ପାଣି ବୋହିବା, ଗଳା କୁଣ୍ଡାଇ କାଶ ହେବା, ମୁଣ୍ଡା ବିନ୍ଧା, ନିଶ୍ବାସ ନେବାରେ କଷ୍ଟ ଓ ଶରୀର ପୀଡ଼ା ଇତ୍ୟାଦି ଲକ୍ଷଣ ଦେଖା ଦେଇଥାଏ।

-ଛୋଟ ପିଲାଙ୍କ କ୍ଷେତ୍ରରେ କିଭଳି ସତର୍କତା ଅବଲମ୍ବନ କରିବା?

*ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଯୋଗୁଁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଅତ୍ୟଧିକ ଥଣ୍ଡା ହେଲେ ଛୁଆଙ୍କୁ ନିମୋନିଆ ହେବାର ଆଶଙ୍କା ରହିଛି। ତେଣୁ ବ୍ୟସ୍ତବିବ୍ରତ ନହୋଇ ପ୍ରତିଷେଧକମୂଳକ ପଦକ୍ଷେପ ନେବା ସହିତ ଥଣ୍ଡାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।

ଅଧିକପଢ଼ନ୍ତୁ:ଅତିରିକ୍ତ କୃଷି ଅଧିକାରୀ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି

ସାକ୍ଷାତ ରୀନାରାମ ଭୂୟାଁ