ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଲଣ୍ଡ୍ରି, ମର୍ଗହାଉସ୍‌ର ଫ୍ରିଜ୍‌ର, ସିକ୍ୟୁରିଟି ଓ ପରିମଳ ବ୍ୟବସ୍ଥାରେ ହୋଇଥିବା ଦୁର୍ନୀତିର ତଦନ୍ତ ନିକଟରେ ହୋଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିସନର ତିନି ଜଣିଆ ଟିମ୍‌ ତଦନ୍ତ କରି ପରିଚାଳନା ନିର୍ଦ୍ଦେଶକ ଡାକ୍ତର ବୃନ୍ଧା ଡି.ଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଆଜି ଏନ୍‌ଏଚ୍‌ଏଚ୍‌ ନିର୍ଦ୍ଦେଶାଳୟ ଆର୍‌ଜିଏଚ୍‌ର ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରିକରିଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଅନୁସନ୍ଧାନକାରୀ ଟିମ୍‌ର ରିପୋର୍ଟରେ କୁହାଯାଇଛି, ବେଡ୍‌ସିଟ୍‌ ସଫେଇ କାମ ନେଇଥିବା ମେର୍ସସ୍‌ ମେଡ଼ିଏଡ୍‌ ଆନ୍‌ସିଲାରି ସର୍ଭିସେ୍‌କୁ କାର୍ଯ୍ୟ ଅବଧିକୁ ଉଦ୍ଦେଶ୍ୟମୂଳକ ଭାବେ ଏକ ବର୍ଷ ପାଇଁ ବଢ଼ାଇ ଦିଆଯାଇଛି। ଆର୍‌ଜିଏଚ୍‌ ମର୍ଗହାଉସ୍‌ରେ ନୂଆ ଫ୍ରିଜ୍‌ର କିଣାବେଳେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପାଳନ କରାଯାଇ ନାହିଁ। କେଟିପିଏଲ୍‌ର ବାଇଓ ମେଡ଼ିକାଲ ଇଞ୍ଜିନିୟର ଅଜୟ କୁମାର ଶୁକ୍ଳାଙ୍କୁ ହସ୍ପିଟାଲ ମ୍ୟାନେଜର ଶ୍ରୀ ବାସ୍ତବ ଫ୍ରିଜର ଦେବାକୁ ଜିଦ୍‌ ଧରିଥିଲେ। ନୂତନ ଫ୍ରିଜର ଷ୍ଟକ୍‌ ଏଣ୍ଟ୍ରି ଅନଧିକୃତ ଭାବେ କରିଛନ୍ତି। ଏନ୍‌ଏଚ୍‌ଏମ୍‌ ରେଜିଷ୍ଟ୍ରାର ଯାହା ଆର୍‌ଜିଏର ସେଣ୍ଟ୍ରାଲ ଷ୍ଟୋରକୁ ହସ୍ତାନ୍ତର କରାଯିବାର ନିୟମ ରହିଛି। ହେଲେ ମୋହିତ ଶ୍ରୀବାସ୍ତବ ଏହି ନିୟମକୁ ଆଦୌ ପାଳନ କରିନାହାନ୍ତି। ଦୁଇଟି ପୁରୁଣା ଫ୍ରିଜ୍‌ର ଆର୍‌ଜିଏଚ୍‌ କେନ୍ଦ୍ରୀୟ ଷ୍ଟୋରକୁ ହସ୍ତାନ୍ତର କରାଯାଇ ନାହିଁ। ଅନୁସନ୍ଧାନକାରୀ ଟିମ୍‌ ଶ୍ରୀବାସ୍ତବକୁ ପଚରାଉଚୁରା ବେଳେ ଜାଣିବାକୁ ପାଇଛନ୍ତି। ମୁମ୍ବାଇର ରାମଦେବ ଏଣ୍ଟରପ୍ରାଇଜେସ୍‌କୁ ଦୁଇଟି ପୁରୁଣା ଓ ଅଣ କାର୍ଯ୍ୟକ୍ଷମ ଫ୍ରିଜ୍‌ର ଦିଆଯାଇଛି। ଆର୍‌ଜିଏଚ୍‌ ସୁରକ୍ଷା ସୁପରଭାଇଜର ମହମ୍ମଦ ଫରହାନ୍‌ କହିବାନୁଯାୟୀ ଟାଟା ଏସି (ଓଆର୍‌ ୧୪ଭି-୮୭୯୫)ରେ ଦୁଇଟି ପୁରୁଣା ଫ୍ରିଜ୍‌ର ଲୋଡିଂ କରାଯାଇଥିଲା। ଲୋଡିଂ ସମୟରେ ହାଉସ୍‌କିପିଂର ଦୁଇ ସୁପରଭାଇଜର ପ୍ରଫୁଲ୍ଲ ନାଥ ଓ ଲକି ଉପସ୍ଥିତ ଥିଲେ। ସୁପରଭାଇଜର ମହମ୍ମଦ ଫରହାନ ଦୁଇଟି ପୁରୁଣା ଫ୍ରିଜ୍‌ର କୁଆଡେ ଯାଉଛି ବୋଲି ପ୍ରଫୁଲ୍ଲ ଓ ଲକିଙ୍କୁ ପଚାରିଥିଲେ। ଦୁହେଁ ଅଫିସ୍‌ର ନିର୍ଦ୍ଦେଶ ଅନୁଯାୟୀ ମରାମତି ପାଇଁ ରାଉରକେଲା ବାହାକୁ ଯାଉଛି ବୋଲି ସଫେଇ ଦେଇଥିଲେ। ଓମ୍‌ ସାରଳା ସିକ୍ୟୁରିଟି ସର୍ଭିସ୍‌, ହାଉସ୍‌କିପିଂ ସଂସ୍ଥା ପରି‌ତୋଷ ଏଜେନ୍ସି ଓ ମେସର୍ସ ମେଡ଼ିଏଡ୍‌ ଆନ୍‌ସିଲାରି ସର୍ଭିସେସ୍‌ ଆର୍‌ଜିଏଚ୍‌ର କୌଣସି ନୀତନିୟମକୁ ଆଦୌ ପାଳନ କରୁନଥିଲେ। ସରକାରୀ କାର୍ଯ୍ୟରେ ଅବହେଳା, ଅନିୟମିତତା ଓ ସରକାରୀ ନିୟମ ଉଲ୍ଲଂଘନ ପାଇଁ କାହିଁକି ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏମ୍‌ର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ବୃ୍ନ୍ଧା ଡି.ଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।