ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କ ନାଁ ସାମ୍ନାକୁ ଆସିବା ଉଭୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ବାସ୍ଥଞ ମିସନ ଗଟଣାକୁ ଗୁରୁତର ସହ ନେଇଛନ୍ତି। ଦୁର୍ନୀତିରେ କେବଳ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ନୁହେଁ ନିର୍ଦ୍ଦେଶକ, ଅଧୀକ୍ଷକ ଓ କିଛି ଡାକ୍ତରଙ୍କ ଭୂମିକା ରହିଥିବା ସନ୍ଦେହ କରାଯାଉଛି। ସିକ୍ୟୁରିଟି ସଂସ୍ଥା, ଲଣ୍ଡ୍ରି, ଶାବାଗାର ଫ୍ରିଜ୍‌ର କିଣା ଓ ଗାଏବ ହେବା, ଏସ୍‌ସି ଓ ପ୍ରସୂତି ମହିଳାଙ୍କ ଅସ୍ତ୍ରୋପଚାର କିଣାଯାଇଥିବା ଲାପ୍ରୋସ୍କୋପିମ୍‌ ମେସିନ୍‌ କିଣାରେ ବଡଧରଣ ଦୁର୍ନୀତି ହୋଇଥିବା ପ୍ରାଥମିକ ତଦନ୍ତରୁ ଉଭୟ ସ୍ବାସ୍ଥ୍ୟବିଭାଗ ଓ ଜାତୀୟ ସ୍ବାସ୍ଥ୍ୟମିସନ ଜାଣିବାକୁ ପାଇଛି। ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କ ପରେ ସନ୍ଦେହ ଘେରକୁ ଆସିଛନ୍ତି ପୂର୍ବତନ ନିର୍ଦ୍ଦେଶକ, ଅଧୀକ୍ଷକ ଓ କିଛି ଡାକ୍ତର। ସେମାନଙ୍କୁ ତଦନ୍ତକାରୀ ଟିମ୍‌ ପୃଥକ ପୃଥକ ଜେରା କରିବାର କରିବ ବୋଲି ଜଣାପଡ଼ିଛି। ନିକଟରେ ଏନ୍‌ଏଚ୍‌ଏମ୍‌ର ତିନି ଜଣିଆ ଟିମ୍‌ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ, ସିକ୍ୟୁରିଟି ସୁପରଭାଇଜର, ପରିମଳ ପରିତୋସ ସଂସ୍ଥାରେ କାମ କରୁଥିବା ପ୍ରଫୁଲ୍ଲ ନାଥ ଓ ଲକିକୁ ପଚରାପୁଚୁରା କରିବା ପରେ ଏନ୍‌ଏଚ୍‌ଏଚ୍‌ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଡକ୍ଟର ବୃନ୍ଧା ଡି.ଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟକୁ ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଡକ୍ଟର ବୃ୍ନ୍ଧା ଡି. ତର୍ଜମା କରିବା ପରେ ହସ୍ପିଟାଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ତିନି ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଆଜି ପର୍ଯ୍ୟନ୍ତ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ଏନ୍‌ଏଚ୍‌ଏମ୍‌ଙ୍କୁ କାରଣ ଦର୍ଶାଅ ଚିଠିରେ ଉତ୍ତର ମିଳିନଥିବା ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଡକ୍ଟର ଡି. ବୃନ୍ଧା ଡି. କହିଛନ୍ତି। ହସ୍ପିଟାଲ ମ୍ୟାନେଜରଙ୍କଠୁ କାରଣଦର୍ଶାଅ ନୋଟିସ୍‌ର ଉତ୍ତର ମିଳିବା ପରେ ଶୁଣାଣି ହେବ। ଶୁଣାଣି ସରିବା ମାତ୍ରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ହେଲେ ହସ୍ପିଟାଲ ମ୍ୟାନେଜର ଭଳି ଜଣେ ଠିକା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଇ, କାହିଁକି ତଦନ୍ତ ନାଁରେ ଘଣ୍ଟ ଘୋଡାଯାଉଛି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଆର୍‌ଜିଏଚ୍‌ର ହୋଇଥିବା ସମସ୍ତ ଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍‌ ହେବାକୁ ଯାଉଛି। ଏ ସମ୍ପର୍କରେ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟବିଭାଗକୁ ଚିଠି କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ସ୍ବାସ୍ଥ୍ୟବିଭାଗର ସ୍ବତନ୍ତ୍ର ଅଡିଟ୍‌ ଟିମ୍‌ ରାଉରକେଲା ଆସିପାରନ୍ତି ବୋଲି ଆର୍‌ଜିଏଜ୍‌ରେ ଜଣେ ଅଧିକାରୀ କହିଛନ୍ତି। ସ୍ବତନ୍ତ୍ର ଅଡିଟ ହେଲେ ହସ୍ପିଟାଲ ମ୍ୟାନେଜର ସହ ପୂର୍ବତନ ନିର୍ଦ୍ଦେଶକ, ଅଧୀକ୍ଷକ ଓ କିଛି ଡାକ୍ତର ଦୁର୍ନୀତି ଜାଲରେ ପଡିପାରନ୍ତି। ସିକ୍ୟୁରିଟି, ଲଣ୍ଡି, ପରିମଳ ବ୍ୟବସ୍ଥା, ମେସିନ୍‌ ଓ ଏସ୍‌ସି କିଣାରେ ବର୍ଷକୁ କେତେ ଟଙ୍କା ଚଳୁ କରାଯାଉଥିଲା। ଗତ ୪/୫ ବର୍ଷ ମଧ୍ୟରେ କେତେ ଟଙ୍କାରେ ଦୁର୍ନୀତି ହୋଇଛି ? ଦୁର୍ନୀତିର ଚେର ରାଉରକେଲାରୁ ଏନ୍‌ଏଚ୍‌ଏଚ୍‌ ଓ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପର୍ଯ୍ୟନ୍ତ ଲମ୍ବିଛି ନାହିଁ, ତା’ ସାମ୍ନାକୁ ଆସିବ।