ରାଉରକେଲା: ଠିକାଦାର ପୋଷାନୀତି ଆପଣେଇଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ‘ମୁକ୍ତା’ ହେଉ ଅବା ‘ଜାଗା ମିସନ’ ଯୋଜନା ସବୁଥିରେ ଦୁର୍ନୀତିର ଗନ୍ଧ ବାହାରୁଛି। ନିକଟରେ ମୁକ୍ତା ଯୋଜନାରେ ‘ଲୁ’ (ଶୌଚାଳୟ) ନିର୍ମାଣ ଓ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାର କାମଗୁଡ଼ିକୁ ସ୍ପଷ୍ଟ ବାରି ହୋଇପଡୁଛି। ଏବେ ଆର୍‌ଏମ୍‌ସି ପରିବହନ ବିଭାଗ ସେହି ସମାନ ପନ୍ଥା ଆପଣେଥିବା ଅଭିଯୋଗ ହେଉଛି। ପୁରୁଷ ହକି ପୂର୍ବରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ଆର୍‌ଏମ୍‌ସିକୁ ରାସ୍ତା ସଫେଇ ଓ ପାଣି ସିଞ୍ଚନ ଗାଡ଼ି ମିଳିଥିଲା। ପାଣି ସିଞ୍ଚନ ଗାଡ଼ି ସହରର ସୌନ୍ଦର୍ଯ୍ୟକରଣ ଲାଗି ରାସ୍ତା ପାର୍ଶ୍ବରେ ଲାଗିଥିବା ଗଛଗୁଡ଼ିକରେ ପାଣି ସିଞ୍ଚନ କରୁଥିଲା। ରାସ୍ତା ସଫେଇ ଗାଡ଼ି ମଧ୍ୟ ସେବେଠୁ ଆଜି ପର୍ଯ୍ୟନ୍ତ ସଫେଇ କାମରେ ବ୍ୟବହାର ହେଉଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା। ପ୍ରତ୍ୟେକ ଦିନ ଗାଡ଼ିରେ ପାଖାପାଖି ୧୧୮ ଲିଟର ଡିଜେଲ ପଡୁଛି। ଦୈନନ୍ଦିନ ତେଲ ଖର୍ଚ୍ଚ ବାବଦରେ ଆର୍‌ଏମ୍‌ସି ପାଖାପାଖି ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କେବଳ ଏତିକି ନୁହେଁ ଗାଡ଼ି ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଏକ ଠିକାସଂସ୍ଥାକୁ ଆର୍‌ଏମ୍‌ସି ମାସକୁ ଲକ୍ଷ ଲକ୍ଷ ଗଣୁଛି। ଆଶ୍ଚର୍ଯ୍ୟର କଥା, ଆର୍‌ଏମ୍‌ସି ପରିବହନ ବିଭାଗ ଦୈନିକ ଡିଜେଲ ଖର୍ଚ୍ଚ ବାବଦରେ ଯେତିକି ଟଙ୍କା ଦେଉଛନ୍ତି, ସେତିକି ଖର୍ଚ୍ଚ ହେଉଛି କି ନାହିଁ ସନ୍ଦେହ। ବର୍ଷା ଦିନେ ସଫେଇ ଗାଡ଼ି ରାସ୍ତାରେ କାଁ ଭାଁ ଗଡୁଛି। ହେଲେ ଠିକାସଂସ୍ଥା ଓ ପରିବହନ ବିଭାଗର କର୍ମଚାରୀଙ୍କ ଭିତିରି ସଲାସୁତୁରାରେ ଦୈନିକ ଡିଜେଲ୍‌ ବିଲ୍‌ ଦର୍ଶାଯାଉଛି ବୋଲି ଭଳି ସାଂଘାତିକ ଅଭିଯୋଗ ଆସୁଛି। ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ସେମିତି ବର୍ଷା ଋତୁରେ ପାଣି ସିଞ୍ଚନ ଗାଡ଼ି ଗଡୁ ନଥିବାବେଳେ ଡ୍ରାଇଭରଙ୍କୁ ଠିକାରେ ରଖାଯାଉଛି। ଏ ବାବଦରେ ଆର୍‌ଏମ୍‌ସି ମାସକୁ ମାସ ଟଙ୍କା ଗଣୁଛନ୍ତି। ଏଭଳି ଅଭିଯୋଗ ସଂକ୍ରାନ୍ତରେ ପରିବହନ ବିଭାଗର ସଞ୍ଜିବ ତିଗ୍‌ଗାଙ୍କୁ ପଚାରିବାରୁ ସେ କହିଛନ୍ତି ଏମିତି ଅଭିଯୋଗ ଆମ ପାଖକୁ ଆସିନି। ପରିବହନ ବିଭାଗର ଏମିତି କୌଣସି ତଥ୍ୟ ଦିଆଯାଇ ପାରିବନାହିଁ। ଏଥିରୁ ଆର୍‌ଏମ୍‌ସି ପରିବହନ ବିଭାଗ ଚାଲିଥିବା କାମଗୁଡ଼ିକୁ କେମିତି ଚାଲିଛି ସହଜେ ଅନୁମେୟ। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ପରିବହନ ବିଭାଗରେ ଚାଲିଥିବା ପ୍ରତ୍ୟେକ କାର୍ଯ୍ୟର ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।