ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ବିଭିନ୍ନ କାମରେ ଦୁର୍ନୀତିର ଗନ୍ଧ। ‘ମୁକ୍ତା’, ‘ଜାଗା ମିସନ’, ‘ଲୁ’, ରାସ୍ତା ଓ ଡ୍ରେନ୍ ହେଉ ଅବା ଶୌଚାଳୟ ନିର୍ମାଣ ଆଦି କାମରେ ବ୍ୟାପକ ଅନିୟମିତତା ହୋଇଛନ୍ତି। ସବୁଠୁ ବେଶି ଦୁର୍ନୀତି ହୋଇଛନ୍ତି ‘ମୁକ୍ତା’ ଯୋଜନାରେ। ଆର୍ଏମ୍ସି ବିଭାଗୀୟ ଅଧିକାରୀ ମନଇଚ୍ଛା ଏସ୍ଏଚ୍ଜି ଗ୍ରୁପ୍କୁ କାମ ବାଣ୍ଟିଛନ୍ତି। ହେଲେ କାମ ଠିକ୍ ହୋଇଛି, ତା’ର ତଦାରଖ କରି ନାହାନ୍ତି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ (ଜେଇ)। ମୁକ୍ତା ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନାଁରେ ଗୋଟିଏ ଗୋଟିଏ ଏସ୍ଏଚ୍ଜି ଗ୍ରୁପ୍ ୧୦ରୁ ୧୫ଟି କରି କାମ ଦିଆଯାଇଛି। ଏଥି ମଧ୍ୟରୁ ପ୍ରାୟ ୬୦% କାମ ନିମ୍ନମାନର ହୋଇଛି। କିଛି ସ୍ଥାନରେ କାମର ଚିହ୍ନବର୍ଣ୍ଣ ନାହିଁ। ହେଲେ ପ୍ରତ୍ୟେକ କାମକୁ ୩୨ ହଜାର ୮୦୦ ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ରାଉରକେଲା ଶିଳ୍ପାଞ୍ଚଳକୁ ଉଦାହରଣ ଭାବେ ନିଆଯାଇପାରେ। ଏଠି ୩୦ରୁ ଅଧିକ କାମ ହୋଇଛି। ପ୍ରତ୍ୟେକ କାମର ବିବରଣୀ କାନ୍ଥରେ ଲେଖାଯାଇଛି। ହେଲେ ସେଠି କାମର ଚିହ୍ନବର୍ଣ୍ଣ ନାହିଁ। ଏମିତି ଭାବେ ବର୍ଷ ଜଳ ସଂରକ୍ଷଣ ପ୍ରକଳ୍ପ କାମରେ ପ୍ରାୟ କୋଟି କୋଟି ଟଙ୍କା ପାଣି ବୋହିଲା ପରି ଖର୍ଚ୍ଚ କରି ଦିଆଯାଇଛି। କାମକୁ ନେଇ ଅନେକ ବାର ଅଭିଯୋଗ ହୋଇଛି। ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ତଦନ୍ତ ହେବ ବୋଲି କହି ବଦଳି ହୋଇ ଅନ୍ୟତ୍ର ଚାଲିଗଲେ। ତା’ ପରେ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ସେମିତି ଆର୍ଏମ୍ସି ଅନ୍ତର୍ଗତ ବାଲିଯୋଡର ମୁଖ୍ୟ ରାସ୍ତା ଓ ଡ୍ରେନ୍ କାମରେ ବି ସମାନ ଅଭିଯୋଗ। ଉଭୟ ରାସ୍ତା ଓ ଡ୍ରେନ୍ କାମ ପାଇଁ ଆର୍ଏମ୍ସି ପକ୍ଷରୁ ୨୮ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ପ୍ରାୟ ୧୬ ଲକ୍ଷ ଟଙ୍କାର ଡ୍ରେନ୍ କାମ ହୋଇଛି। ୧୨ ଲକ୍ଷ ଟଙ୍କାର ରାସ୍ତା କାମକୁ ଯେନତେନ ପ୍ରକାର କରି ବିଲ୍ ଉଠାଇ ନିଆଯଇଛି। ତା’ ପୁଣି ଅନ୍ୟ ଏକ ରାସ୍ତା କାମର ଫଟୋକୁ ଦେଖାଇ ଅର୍ଥକୁ ଚଳୁ କରି ଦିଆଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ପୂର୍ବରୁ କଂକ୍ରିଟ ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ରାସ୍ତାକୁ ଭାଙ୍ଗି ପୁନଃ ମରାମତି କରିବାକୁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ସମ୍ପୃକ୍ତ ଠିକାଦାର ଏହା ନ କରି କନିଷ୍ଠ ଯନ୍ତ୍ରୀଙ୍କ ସହ ଭିତିରି ସଲାସୁତୁରା କରି କେବଳ ଚିପ୍ସ ପକାଇ କାମ ସାରି ଦିଆଯାଇଛି। ରାସ୍ତା ଓ ଡ୍ରେନ ସଂକ୍ରାନ୍ତ ସମ୍ପୃକ୍ତ ଜେଇ ଚନ୍ଦ୍ରକାନ୍ତ ଧଳକୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ଜେ. ପାଢ଼ୀ ଏହି କାମ ତଦାରଖ କରୁଥିଲେ। ତାଙ୍କର ବଦଳି ପରେ ମୋତେ ତଦାରଖ କରିବାକୁ କୁହାଯାଇଥିଲା। ନିମ୍ନମାନର କାମ ହୋଇ ନାହିଁ। ଯଦି ଏମିତି ହୋଇଥାଏ ବୋଲି ଅଭିଯୋଗ ହେଉଛି, ତା’ର ତଦନ୍ତ ହେଉ। କେବଳ ଗୋଟିଏ କାମ ନୁହେଁ, ଜାଗା ମିସନ, ‘ଲୁ’ ଯୋଜନାରେ ରାସ୍ତା ପାର୍ଶ୍ବ ଶୌଚାଳୟରେ ସମାନ ଦୁର୍ନୀତି ହୋଇଛି। ଏସବୁ ବିଧିବଦ୍ଧ ତଦନ୍ତ ହେଲେ, ବଡଧରଣର ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା।
କାମ ନ କରି ବିଲ୍ ଉଠାଇ ନେଉଛି ଠିକାସଂସ୍ଥା!
ସନ୍ଦେହ ଘେରରେ କନିଷ୍ଠ ଯନ୍ତ୍ରୀଙ୍କ ଭୂମିକା
/sambad/media/post_attachments/wp-content/uploads/2024/06/e1c7b3fced32666270472d2bc115f2e9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)