ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ ପ୍ରସଙ୍ଗ କୋର୍ଟରେ ଝୁଲୁଛି। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୧୦ ବର୍ଷ ଧରି ନିର୍ବାଚନ ହେଉଛି। ବିଜେଡି ସରକାର ଶାସନ ସମୟରେ ଆର୍‌ଏମ୍‌ସି ନିର୍ବାଚନ କରାଯିବାକୁ ଅନେକଥର ଦାବି କରାଯାଇଛି। କଂଗ୍ରେସ, ବିଜେପ ଓ ଅନ୍ୟ ରାଜନୈତିକ ସଙ୍ଗଠଗୁଡ଼ିକ ରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ଆଳ ଦେଖାଇ ପୂର୍ବ ସରକାର ନିର୍ବାଚନକୁ ଘୁଞ୍ଚାଇ ଚାଲିଥିଲେ। ଏବେ ସରକାର ବଦଳିଛି। ରାଜ୍ୟରେ ବନ୍ଦ ଥିବା ମହାନଗରଗୁଡ଼ିକରେ ନିର୍ବାଚନ କରାଯିବାକୁ ପ୍ରକ୍ରିୟା ଆରମ୍ଭ ‌‌ହୋଇଥିବା ଜଣାପଡିଛି।

Advertisment

ପୂର୍ବତନ ନଗରପାଳ ନିହାର ରାୟ ହାଇକୋର୍ଟରେ ଏକ ରିଟ୍‌ ପିଟିସନ୍‌ (ନଂ ୩୫୭୦୩/୨୦୨୧) ଦାଖଲ କରିଥିଲେ। ରାୟଙ୍କ ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇ ପୂର୍ବତନ ନଗରପାଳ ସ୍ବର୍ଗତ ରମେଶ ବଳ ହାଇକୋର୍ଟରେ ମଧ୍ୟ ଅନ୍ତରୀଣ ଆବେଦନ (୧୭୮୨୫/୨୧) ଦାଖଲ କରିଥିଲେ। ଶ୍ରୀ ବଳଙ୍କ ପକ୍ଷ ମୂଳ ରିଟ୍‌ ପିଟିସନ୍‌ ସହ ଶୁଣାଣୀ କରି ନିର୍ବାଚନ କରାଇବାକୁ ତାଙ୍କ ଓକିଲ ରମେଶ ସାହୁଙ୍କ ଜରିଆରେ ଯୁକ୍ତିରଖିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ପାରିଲା ନାହିଁ। ୨୦୧୩ ପରଠାରୁ ନିର୍ବାଚନ ନ ହେବା ଯୋଗୁଁ ସହରବାସି ତାଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ୧୦ ବର୍ଷ ଧରି ରାଜ୍ୟ ସରକାର ନିର୍ବାଚନ ନ କରି କରଦାତାଙ୍କ ପ୍ରତି ଅନ୍ୟାୟ କରି ଆସୁଛନ୍ତି। ନିର୍ବାଚନ ହେଉ ନଥିବାରୁ ବସ୍ତି ଓ ‌କଲୋନିରେ ଯେତିକି ବିକାଶମୂଳକ କାମ ହେବା କଥା, ତା’ ହୋଇପାରୁନି। ନିକଟରେ ଆର୍‌ଏମ୍‌ସି ପକ୍ଷରୁ କରାଯାଇଥିବା ଜନଶୁଣାଣୀରେ ବସ୍ତି ଓ କଲୋନିର ବାସ୍ତବ ଚିତ୍ର ସାମ୍ନାକୁ ଆସିଥିଲା। ପ୍ରତ୍ୟେକ ୱାର୍ଡବାସୀ ସେମାନଙ୍କ ଅଞ୍ଚଳର ମାଳମାଳ ସମସ୍ୟା ଆର୍‌ଏମ୍‌ସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବୁଠି ଥିଲା ରାସ୍ତାଘାଟ, ଆଲୋକ ଓ ପାନୀୟ ଜଳ ସମସ୍ୟା। ଆର୍‌ଏମ୍‌ସି ନିର୍ବାଚନ ନ ହେବା ପର୍ଯ୍ୟନ୍ତ ୱାର୍ଡରେ ଏଭଳି ସମସ୍ୟା ରହିଥିବ। ୨୦୦୮ରେ ରାଉରକେଲା ପୌରପାଳିକା ୩୩ଟି ୱାର୍ଡକୁ ନେଇ ନିର୍ବାଚନ ହୋଇଥିଲା।

ଗତ ୨୦୧୪ ନଭେମ୍ବର ୧୪ରେ ସରକାର ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ। ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ, ନବକୃଷ୍ଣନଗର, ତଳବାଲିଯୋଡି, ଆଇଡିଏଲ୍‌ କଲୋନି, ଗୋପବନ୍ଧୁନଗର, ଭଞ୍ଜ କଲୋନି, ସୋନାପର୍ବତ, ଧରମଡ଼ିହି ଆଦି ଅଞ୍ଚଳକୁ ସାମିଲ କରି ୪୦ ଟି ୱାର୍ଡ କରାଯାଇଛି। ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ କରି କିଛି ବସ୍ତିବାସିନ୍ଦା ଗତ ୨୦୧୫ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣୀ କରି ସରକାରଙ୍କ ବିଜ୍ଞପ୍ତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।