ସଡ଼କ ଦୁର୍ଘଟଣା: ୧ ମୃତ, ୨ ଗୁରୁତର:କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୀରମିତ୍ରପୁର: ବୀରମିତ୍ରପୁର ଥାନା ଅନ୍ତର୍ଗତ ବାରହାବାଂଶ ଠାରେ ଏକ ବାଇକ୍‌ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ବାଉଁଶଯୋର ଥାନା ଅନ୍ତର୍ଗତ କରମଯୋଲି ଗ୍ରାମର ଇଗ୍‌ନେସ୍‌ କେର୍କେଟା(୫୫)। ଆଜି ସକାଳେ ଇଗ୍‌ନେଶ ବୀରମିତ୍ରପୁର ବଜାରକୁ କାଠ ବିକିବାକୁ ଆସି ଅପରାହ୍ନରେ ସାଇକଲରେ ଘରକୁ ଫେରୁଥିଲେ। ବାର୍‌ହାବାଂସ ଠାରେ ଓଡି ୧୪ଜେ ୨୫୭୦ ବାଇକ୍‌ଟି ଏକ କ୍ରେନ୍‌ କୁ ଅତିକ୍ରମ କରିବା ସମୟରେ ତାଙ୍କ ସାଇକଲକୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ଥିବା ବୈଦନାଥପୁରର ରୁବେନ ସୁରିନ(୨୩) ଓ ଜୋରେଙ୍ଗ ସୁରିନ ଗୁରୁତର ହେବା ସହ ସାଇକଲରେ ଥିବା ଇଗ୍‌ନେସ୍‌ କେର୍କେଟାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଇଗ୍‌ନେସ୍‌ କାଠ ବିକି ଘର ପାଇଁ ସଉଦା ପନିପରିବା ଧରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। କାଠ ବିକି ଘର ଚଳାଇବା ତାର ପ୍ରତିଦିନର ବେଉସା ଥିଲା। ଦୁର୍ଘଟଣା ପରେ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ବୀରମିତ୍ରପୁର-ନୂଆଗାଁ ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ବୀରମିତ୍ରପୁର ଥାନା ଅଧିକାରୀ ଦେବୀ ପ୍ରସାଦ ଦାସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରି ତହସିଲଦାରଙ୍କ ଉପସ୍ଥିତିରେ ରେଡ଼କ୍ରସରୁ ଅନୁଦାନ ଦିଆଯିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର