ପ୍ରତିଶ୍ରୁତିରେ ଅଟକିଛି ରାଉରକେଲା-ଭଦ୍ରକ ଇଣ୍ଟରସିଟି: ରେଳମନ୍ତ୍ରୀଙ୍କୁ ଭେଟିଲା ପରେ ବି ଫଳ ଶୂନ

ରାଉରକେଲା: ରାଉରକେଲାରେ ବସବାସ କରୁଥିବା କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବରବାସୀଙ୍କ ଯାତାୟତର ସୁବିଧା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି ରାଉରକେଲା-ଭଦ୍ରକ ଇଣ୍ଟରସିଟି। ନିକଟରେ ଉତ୍ତର ଓଡ଼ିଶା ରେଳ ସମନ୍ବୟ ବିକାଶ ସମିତିର ପ୍ରତିନିଧି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ। ରାଉରକେଲା- ଭଦ୍ରକ ମଧ୍ୟରେ ଇଣ୍ଟରସିଟି ନ ହେଲେ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବାକୁ ଦାବି କରିଥିଲେ। ରେଳମନ୍ତ୍ରୀ ସମିତିର ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରାଉରକେଲା-ଭଦ୍ରକ ଇଣ୍ଟରସିଟି କେବଳ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ରହିଯାଇଛି।

ପ୍ରତିବାଦରେ ଉତ୍ତର ଓଡ଼ିଶା ରେଳ ବିକାଶ ସମନ୍ବୟ ସମିତି ପକ୍ଷରୁ ଆଗାମୀ ଦିନରେ ବାଲେଶ୍ବର ଓ ଭଦ୍ରକ ଷ୍ଟେସନରେ ବିକ୍ଷୋଭ କରିବା ସହ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। ରାଉରକେଲା-ଭଦ୍ରକ ‌ଷ୍ଟେସନ ମଧ୍ୟରେ ଇଣ୍ଟରସିଟି ଚଳାଚଳ କଲେ କେବଳ ଯାତାୟତ ନୁହେଁ ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ଭଦ୍ରକରେ ବାବା ଆଖଣ୍ଡଳମଣି, ଯାଜପୁରରେ ମା’ ବିରଜା, କେନ୍ଦୁଝରରେ ମା’ତାରିଣୀ, ବାଲେଶ୍ବରରେ ପଞ୍ଚଲିଙ୍ଗେଶ୍ବର ଆସୁଥିବା ପର୍ଯ୍ୟଟକମାନେ ବେଶ ଉପକୃତ ହେବେ। ସେମିତି ଦୀର୍ଘ ଦିନ ଦାବି ହୋଇ ଆସୁଥିବା ଭୁବନେଶ୍ବର-ରାଉରକେଲା ଦ୍ବିତୀୟ ଇଣ୍ଟରସିଟି କେବଳ ରେଳବାଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତିରେ ଅଟକିଛି। କେବଳ ଦୁଇଟି ଟ୍ରେନ୍‌ ନୁହେଁ ଅନେକ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣିକୁ ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି। ସ୍ମାର୍ଟସିଟି ରାଉରକେଲାରୁ ରାଜଧାନୀ ଭୁବନେଶ୍ବର ସମେତ ସମ୍ବଲପୁର, କଟକ, ଖୋର୍ଦ୍ଧା ପୁରୀ , ଢ଼େଙ୍କାନାଳ, ଅନୁଗୋଳ ଆଦି ଅଞ୍ଚଳକୁ ଦୈନିକ ଶହ ଶହ ଲୋକ ଯାଉଛନ୍ତି। ରାଉରକେଲାରୁ ଭୁବନେଶ୍ବର ସକାଳେ ଇଣ୍ଟରସିଟି ଦୈନିକ ଯାତାୟତ କରୁଛି। କିନ୍ତୁ ଭୁବନେଶ୍ବର ପଟୁ ଦ୍ବିତୀୟ ଇଣ୍ଟରସିଟି ଟ୍ରେନ୍‌ ଏଯାଏ ଚାଲି ପାରି ନାହିଁ। ବାରମ୍ବାର ଦାବି ସତ୍ବେ ତାହା କେବଳ ରେଳବାଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପ୍ରତିଶ୍ରୁତିରେ ଅଟକିଛି। ରାଜ୍ୟରାଣୀ ଏକ୍ସପ୍ରେସ୍‌ ସବୁଦିନ ଚାଲୁ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯାତ୍ରୀମାନେ ଟିକେଟ୍‌ କରୁଥିଲେ ହେଁ ୧୦ରୁ ୧୫ ଦିନ ପରେ ସିଟ୍‌ କନଫର୍ମ ହେଉଛି। ଅଧିକାଂଶ ସମୟରେ ୱେଟିଂ ଲିଷ୍ଟ ରହୁଛି।

ରାଉରକେଲାରୁ ଭୁବନେଶ୍ବର, କଟକ, ପୁରୀ, ଢ଼େଙ୍ଗାନାଳ, ଅନୁଗୁଳ ଆଦି ସହରକୁ ଯିବାକୁ ଯେତିକି ଲୋକ ଟିକେଟ୍‌ କାଟୁଛନ୍ତି, ତା’ର ୭୦% ଯାଇ ପାରୁଛନ୍ତି। ଅବଶିଷ୍ଟ ୩୦ % ଲୋକଙ୍କୁ ସିଟ୍‌ ମିଳି ପାରୁ ନାହିଁ। ଏହି ସମସ୍ୟା ଆଜି ନୁହେଁ ମାସ ମାସ ଧରି ଲାଗି ରହିଛି। ପ୍ରତିବର୍ଷ ପର୍ବ ପର୍ବାଣୀରେ ସ୍ଥିତି ଆହୁରି ସଙ୍ଗୀନ ହୋଇ ପଡୁଛି। ବିଭିନ୍ନ ରେଳବାଇ ସଙ୍ଗଠନ, ତାଳଚେର-ବିମଳାଗଡ ରେଳବାଇ ସଂଗ୍ରାମ ସମିତି, ଉତ୍ତର ଓଡ଼ିଶା ରେଳ ସମନ୍ବୟ ସମିତି, ରାଉରକେଲା ବିକାଶ ମଞ୍ଚ, ରାଉରକେଲା ଜାଗରଣ ମଞ୍ଚ ପ୍ରମୁଖ ଦାବି କରି ଆସୁଥିଲେ ହେଁ ଫଳ ଶୂନ। ତେବେ ଆଗାମୀ ଦିନରେ ସହରବାସୀଙ୍କ ଏସବୁ ଦାବି ପୂରଣ କରିବାରେ ସଙ୍ଗଠନଗୁଡ଼ିକର ଭୂମିକା କେତେଦୂର ସମର୍ଥ ହେଉଛି, ତା’ ହିଁ ଅପେକ୍ଷା।

ସମ୍ବନ୍ଧିତ ଖବର